ମହାପ୍ରଭୁଙ୍କଠାରେ ଲାଗି ହେଲା ଫୁଲୁରି ତେଲ

ବଡ଼ଓଡ଼ିଆ ମଠରୁ ଶୋଭାଯାତ୍ରାରେ ଗଲା ଶ୍ରୀମନ୍ଦିର

ପୁରୀ: ଜ୍ୱରାକ୍ରାନ୍ତ ମହାପ୍ରଭୁ ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି। ସେଠାରେ ତାଙ୍କର ଶାସ୍ତ୍ରାନୁମୋଦିତ ଚିକିତ୍ସା ଚାଲିଛି। ଚିକିତ୍ସା ପରେ ମହାପ୍ରଭୁ ନବଯୌବନପ୍ରାପ୍ତି ହେବେ। ୧୫ ଦିନର ଅସୁସ୍ଥତା ପରେ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ। ଏଥିପାଇଁ ଅସୁସ୍ଥ ମହାପ୍ରଭୁଙ୍କ ପାଇଁ ଫୁଲୁରି ତେଲ ଶ୍ରୀମନ୍ଦିର ଯାଇଛି। ବର୍ଷେ ତଳେ ମାଟି ତଳେ ପୋତା ହୋଇ ରହିଥିବା ଫୁଲୁରି ତେଲକୁ ବାହାର କରାଯାଇ ଛଣାଯିବା ପରେ ଏହାକୁ ସ୍ୱତନ୍ତ୍ର ହାଣ୍ଡିରେ ବଡ଼ଓଡ଼ିଆ ମଠରୁ ଶୋଭାଯାତ୍ରା ମଧ୍ୟରେ ଶ୍ରୀମନ୍ଦିର ନିଆଯାଇଛି। ନୀଳାଦ୍ରି ମହୋଦୟ ଶାସ୍ତ୍ରରେ ମହାପ୍ରଭୁଙ୍କ ଅଣସରକାଳୀନ ଗୋପନ ସେବା ସଂପର୍କରେ ରହିଥିବା ମାର୍ଗଦର୍ଶନ ମୁତାବକ ବିଶ୍ୱାବସୁ ତଥା ବିଦ୍ୟାପତି ବଂଶଧରମାନେ ଶ୍ରୀଅଙ୍ଗର ଲେପ ଛଡ଼ାଇବା ପୂର୍ବରୁ ମହାପ୍ରଭୁଙ୍କୁ ଔଷଧଯୁକ୍ତ ତୈଳ ମର୍ଦ୍ଦନ କରିବାର ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ମୁତାବକ ଆଜି ଶ୍ରୀବିଗ୍ରହଙ୍କ ଅଣସର ବାସରେ ଶଯ୍ୟାଶାୟୀ ଶ୍ରୀବିଗ୍ରହମାନଙ୍କୁ ଜଡିବୁଟିଯୁକ୍ତ ଔଷଧୀୟ ତୈଳ ଫୁଲୁରି ତେଲ ଲାଗି କରାଯାଇଛି। ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଶରୀରରେ ଔଷଧୀୟ ତୈଳ ମାଲିସ ହୋଇଛି। ଏହି ତେଲ ଶ୍ରୀଅଙ୍ଗରେ ମର୍ଦ୍ଦନ ହେଲେ ପ୍ରଭୁ ସୁସ୍ଥ ହେବେ। ବଡ଼ଓଡ଼ିଆ ମଠ ପକ୍ଷରୁ ଏହାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିଲା। ଏହି ନୀତି ପାଇଁ ପୂର୍ବରୁ ସ୍ୱତନ୍ତ୍ର ଭାବେ ନୀତି ନିର୍ଘଣ୍ଟ ହୋଇଥିଲା । ବଡଦେଉଳରେ ମଧ୍ୟାହ୍ନ ଧୂପ ବଢ଼ିବା ପରେ ପରମ୍ପରା ମୁତାବକ ବଡଓଡ଼ିଆ ମଠକୁ ଶ୍ରୀମନ୍ଦିର ବରକନ୍ଦାଜଙ୍କ ଜରିଆରେ ଫୁଲୁରି ତେଲ ବିଜେ ପାଇଁ ଖବର ଯାଇଥିଲା। ଏହି ବାର୍ତ୍ତା ପାଇବା ପରେ ବଡଓଡ଼ିଆ ମଠ ମହନ୍ତ ବଂଶୀଧର ଦାସ ଗୋସ୍ୱାମୀ ମହାପ୍ରଭୁଙ୍କ ପାଇଁ ଏହି ଫୁଲୁରି ତେଲ ବ୍ୟବସ୍ଥା କରିଥିଲେ। ଏହି ମହୌଷଧିଯୁକ୍ତ ତେଲକୁ ବଡଓଡ଼ିଆ ମଠରୁ ଶୋଭାଯାତ୍ରାରେ ଶ୍ରୀମନ୍ଦିର ବିଜେ କରାଯାଇଥିଲା। ପ୍ରାୟ ବର୍ଷ ତଳେ ଏହାକୁ ମାଟି ତଳେ ପୋତାଯାଇ ପ୍ରସ୍ତୁତ କରାଯାଇଥିଲା।

ମହାପ୍ରଭୁ ହେଉଛନ୍ତି ଜୀବନ୍ତ ଠାକୁର। ମଣିଷ ଭଳି ତାଙ୍କର ସେବା କରାଯାଏ। ଦେହର ଦରଜ ଭାଙ୍ଗିବା ପାଇଁ ତାଙ୍କ ଶ୍ରୀଅଙ୍ଗକୁ ମାଲିସ୍‌ କରାଯାଏ। ତେଣୁ ଏହି ତୈଳ ମର୍ଦ୍ଦନ ବ୍ୟବସ୍ଥା କରାଯାଇଛି। ରାଜା ପ୍ରତାପ ଦେବଙ୍କ ଅମଳରୁ ବଡ଼ଓଡ଼ିଆ ମଠକୁ ଫୁଲୁରି ତେଲ ସେବା ଦାୟିତ୍ଵ ଦିଆଯାଇଛି। ସେହି କାଳରୁ ମଠ ଏହି ଫୁଲୁରି ତେଲକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପାଇଁ ପ୍ରସ୍ତୁତ କରିଆସୁଛି। ଏକ ସ୍ୱତନ୍ତ୍ର ପ୍ରଣାଳୀରେ ଏହି ତୈଳକୁ ପ୍ରସ୍ତୁତ କରାଯାଉଛି। ତିନୋଟି ତିନି ସେରିଆ ମାଟି ଘଡ଼ିରେ ଘଣା ପେଡ଼଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ ଗୁଣ୍ଡ, କିଆ, କେତକୀ, ଚା, ବଉଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଆଦି ଫୁଲ ମିଶ୍ରଣରେ ଏହାକୁ ପ୍ରସ୍ତୁତ କରାଯାଇଥାଏ। ପ୍ରତିବର୍ଷ ଶ୍ରୀଗୁଣ୍ଡିଚାର ହେରାପଞ୍ଚମୀ ଦିନ ଏହି ମିଶ୍ରଣକୁ ମାଟି ତଳେ ପୋତାଯାଏ। ପାଖାପାଖି ଗୋଟିଏ ବର୍ଷ ମାଟି ତଳେ ରହିବା ପରେ ଏହାକୁ ବାହାର କରାଯାଏ। ଶୋଭାଯାତ୍ରାରେ ଆସି ଏହା ଅଣସର ପିଣ୍ଡିରେ ବିଜେ ହେବା ପରେ ଦଇତାପତି, ପତି ମହାପାତ୍ର ସେବକମାନେ ଶ୍ରୀଅଙ୍ଗରେ ମାଲିସ କରିଥାନ୍ତି। ଆସନ୍ତାକାଲିଠାରୁ ମହାପ୍ରଭୁଙ୍କର ଅନ୍ୟାନ୍ୟ ଓଷଧୀୟ ଉପଚାର ଆରମ୍ଭ ହେବ।

ସମ୍ବନ୍ଧିତ ଖବର