ରତ୍ନ ଭଣ୍ଡାର ଚାବି ହଜିବା ନେଇ ଜନସ୍ୱାର୍ଥ ମାମଲା : ସିବିଆଇ ତଦନ୍ତ ପାଇଁ ନିବେଦନ

କଟକ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ସହିତ ଶ୍ରୀଜଗନ୍ନାଥଙ୍କ ସଂପତ୍ତିର ସୁରକ୍ଷାକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ହାଇକୋର୍ଟର ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ରଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ରତ୍ନ ଭଣ୍ଡାରର ଭିତରେ ଥିବା ରତ୍ନର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ। ରତ୍ନ ଭଣ୍ଡାର ଭିତରେ ଥିବା ଧନ ରତ୍ନର ନିମୟିତ ବ୍ୟବଧାନରେ ଯାଞ୍ଚ ଏକ କମିଟି ଦ୍ୱାରା କରାଯାଉ। ପୂର୍ବରୁ ଥିବା ରତ୍ନ, ସୁନା ରୂପା ତାଲିକା ସହିତ ବର୍ତ୍ତମାନ ରତ୍ନ ଭଣ୍ଡାର ଭିତରେ ଥିବା ଅଳଙ୍କାର ମେଳ କରାଗଲେ ପ୍ରକୃତ ଘଟଣା ସମ୍ମୁଖକୁ ଆସିବ। ମହାପ୍ରଭୁଙ୍କ ରତ୍ନ ଭଣ୍ଡାରର ଚାବି ନ ମଳିବା ଘଟଣା ସମସ୍ତ ଘଟଣାକୁ ସନ୍ଦେହ ଘେରକୁ ଆଣିଛି। ରତ୍ନ ଭଣ୍ଡାର ଭିତରେ ଥିବା ଧନରତ୍ନ ସୁରକ୍ଷିତ ନାହିଁ ବୋଲି ଏପରି ଘଟଣାରୁ ସ୍ପଷ୍ଟ ହେଉଛି। ଏହି ଘଟଣାର ସିବିଆଇ ତଦନ୍ତ ହେବା ଆବଶ୍ୟକ। ଘଟଣାରେ ଦୋଷୀ ଅଧିକାରୀ ଓ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ରତ୍ନ ଭଣ୍ଡାରର ସୁରକ୍ଷା ପାଇଁ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ। ଯେଉଁମାନେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଓ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ ଉତ୍ତରଦାୟୀ କରାଯାଉ ଓ ସେମାନଙ୍କ ବିରୋଧରେ ସବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଆବେଦନରେ ଦର୍ଶାଯାଇଛି।

ଏଥି ସହିତ ଶ୍ରୀଜଗନ୍ନାଥଙ୍କର ୧୦ ହଜାର କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତିର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବା ଦରକାର। ମହାପ୍ରଭୁଙ୍କର ବିଭିନ୍ନ ଜିଲ୍ଲାରେ ବିପୁଳ ଭୂସଂପତ୍ତି ରହିଛି। ଏଥି ସହିତ କେତେକ ସ୍ଥାନରେ ଖଣି ମଧ୍ୟ ଶ୍ରୀଜଗନ୍ନାଥଙ୍କ ନାଁରେ ରହିଛି। ଏହି ସଂପତ୍ତି ସବୁ ଠିକ୍‌ ଭାବେ ପରିଚାଳନା କରାଯାଉ ନାହିଁ। ଏହି ସଂପତ୍ତି ଲୁଟ୍‌ କରାଯାଉଛି। ଏହି ପ୍ରସଂଗରେ ରାଜ୍ୟ ସରକାର ଓ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନିଜ ଦାୟିତ୍ୱ ଠିକ୍‌ ଭାବେ ନିର୍ବାହ କରୁ ନାହାନ୍ତି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଥିବା ବିଦେଶୀ ମୁଦ୍ରା ଓ ଅଚଳ ନୋଟ୍‌ ବଦଳ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଏଥି ସହିତ ମନ୍ଦିର ପରିସରରେ ଭକ୍ତଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଛି। ଏପରି ଘଟଣା ଉପରେ ରୋକ ଲଗା ଯିବା ଆବଶ୍ୟକ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି। ମାମଲାରେ ସିବିଆଇ, ରାଜ୍ୟ ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ଆରବିଆଇ ଓ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର