ଲିଙ୍ଗରାଜ-ଧବଳେଶ୍ୱର ପୀଠ ମଧ୍ୟରେ ସରକାରୀ ବସ୍‌ ଦାବି: ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ : ଦୁଇ ପ୍ରସିଦ୍ଧ ଶୈବପୀଠ ଲିଙ୍ଗରାଜ ମନ୍ଦିର ଓ ଧବଳେଶ୍ୱର ମନ୍ଦିର ମଧ୍ୟରେ ସଡକ ପଥରେ ଯୋଗାଯୋଗ ପାଇଁ ସରକାରୀ ବସ୍‌ ବ୍ୟବସ୍ଥା କରିବା ଲାଗି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ସମାଜସେବୀ ଅଚ୍ୟୁତାନନ୍ଦ ସ୍ୱାଇଁଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ଓ କଟକ ଜିଲ୍ଲାରେ ଥିବା ଧବଳେଶ୍ୱର ମନ୍ଦିରକୁ ପ୍ରତି ଦିନ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସୁଛନ୍ତି। ଏହି ଦୁଇ ପୀଠ ମଧ୍ୟରେ ଦୂରତ୍ୱ ଅଧିକ ହୋଇ ନଥିବା ବେଳେ ସଡକ ପଥରେ ଯିବା ଆସିବା ଲାଗି କୌଣସି ସରକାରୀ ଯାତ୍ର୍ରୀ ପରିବହନ ବ୍ୟବସ୍ଥା ନାହିଁ। ଲିଙ୍ଗରାଜ ମନ୍ଦିର ଓ ଧଳବଳେଶ୍ୱର ମଧ୍ୟରେ ସରକାରୀ ବସ୍‌ ଚଳାଚଳ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି। ମାମଲାରେ ଆଇନ ସଚିବ, ପରିବହନ କମିସନର, ଖୋର୍ଦ୍ଧା ଜିଲ୍ଲାପାଳ, କଟକ ଜିଲ୍ଲାପାଳ ଓ ଅର୍ଥ ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର