ନିପାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ : ନିପାକୁ ନେଇ ସାରା ଦେଶରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବା ବେଳେ ରାଜ୍ୟ ସରକାର ଏହାକୁ ହାଲୁକା ଭବେ ଗ୍ରହଣ କରୁଛନ୍ତି ଅଭିଯୋଗ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ସମାଜସେବୀ ଅଚ୍ୟୁତାନନ୍ଦ ସ୍ୱାଇଁଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ନିପା କେରଳରେ ୧୧ଜଣଙ୍କ ଜୀବନ ନେଲାଣି। ସାରା ଦେଶରେ ଏଥି ପାଇଁ ସତର୍କତା ଅବଲମ୍ବନ ଉପରେ ଗୁରୁତ୍ୱାରୋପ କରାଯାଉଛି। କେରଳ ସହିତ ଓଡ଼ିଶାର ଯୋଗାଯୋଗ ରହିଥିବା ବେଳେ ନିପା ରାଜ୍ୟରେ ବ୍ୟାପିବା ନେଇ ଆଶଙ୍କା ରହିଛି। ରାଜ୍ୟ ସରକାର କିନ୍ତୁ ଏହି ପ୍ରସଂଗରେ ଉଚିତ ପଦକ୍ଷେପ ଗ୍ରହଣ କରି ନାହାନ୍ତି। ଏହି ନିପା ଭାଇରସ୍‌(ଭୂତାଣୁ) କିପରି ସଂକ୍ରମଣ ହୁଏ ତାହାକୁ ନେଇ ଅନୁସନ୍ଧାନ ଆବଶ୍ୟକ। ରୋଗୀଠାରୁ ଏହି ରୋଗର ସଂକ୍ରମଣର ଆଶଙ୍କା ରହିଛି। ଏହି ରୋଗର ନିରାକରଣ ଓ ଚିକିତ୍ସା ସଂପର୍କରେ ସମସ୍ତେ ଅବଗତ ନାହାଁନ୍ତି। ଏପରି ପରିସ୍ଥିତିରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିପା ପ୍ରସଂଗକୁ ଗୁରୁତ୍ୱ ଦେବା ଆବଶ୍ୟକ। ଗାଁ ଓ ସହରରେ ଯଦି ଏହି ରୋଗର ଲକ୍ଷଣ ଦେଖା ଦେଉଛି ତେବେ ତାହା ଉପରେ ସରକାର ଦୃଷ୍ଟି ରଖିବା ଉଚିତ। ଏହି ପ୍ରସଂଗରେ ସରକାର ତୁରନ୍ତ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି। ମାମଲାରେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଏସସିବି ମେଡିକାଲ, ଏମ୍‌କେସିଜି ମେଡିକାଲ ଓ ଭିମ୍‌ସାର ଅଧୀକ୍ଷକଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର