ଟାଟା ଗଲା ପରେ ଭୁଲିଗଲେ ସରକାର : ପ୍ରସ୍ତାବରେ ଅଟକିଛି ପିପଳପଙ୍କା ଡ୍ୟାମ୍, ସମୁଦ୍ରକୁ ପଳାଉଛି ଋଷିକୁଲ୍ୟା ପାଣି

ବ୍ରହ୍ମପୁର, (ପ୍ରଦୀପ ସାହୁ): ଗଞ୍ଜାମ ଜିଲ୍ଲା‌ର ଗୋପାଳପୁରଠାରେ ଟାଟା ଷ୍ଟିଲ ପ୍ରକଳ୍ପ ନିର୍ମାଣ ଲାଗି ସ୍ଥିର ହୋଇଥିଲା। ଏହି ପ୍ରକଳ୍ପକୁ ପାଣି କେଉଁଠୁ ଆସିବ, ସେତେବେଳେ ଏହି ଚିନ୍ତା ସରକାରଙ୍କୁ ଘାରିଥିଲା। ଟାଟା ପ୍ରକଳ୍ପକୁ ଜଳଯୋଗାଣ ସହିତ ଜଳସେଚନ ଓ ବ୍ରହ୍ମପୁର ସହରକୁ ପିଇବା ପାଣି ଯୋଗାଣକୁ ଆଖି ଆଗରେ ରଖି ସରକାର ପିପଳପଙ୍କା ଡ୍ୟାମ ପ୍ରକଳ୍ପ କରିବା ଲାଗି ଚିନ୍ତା କରିଥିଲେ। ଏଥିଲାଗି ଡିପିଆର୍‌ ମଧ୍ୟ ପ୍ରସ୍ତୁତ ହୋଇଥିଲା। ହେଲେ ଗୋପାଳପୁରଠାରେ ଟାଟା ଷ୍ଟିଲ୍‌ ପ୍ରକଳ୍ପ ନ ହେବା ପରେ ସରକାର ଏହି ମେଗା ପ୍ରକଳ୍ପ କଥା ବି ଭୁଲି ଯାଇଛନ୍ତି। ଅନ୍ୟପକ୍ଷରେ ସ୍ବାଧୀନତାର ୭୨ ବର୍ଷ ବିତିଯାଇଥିଲେ ହେଁ ଗଞ୍ଜାମ ଜିଲ୍ଲାର ଜୀବନରେଖା ଭାବେ ପରିଚିତ ଋଷିକୁଲ୍ୟା ନଦୀର ଜଳକୁ ସଂରକ୍ଷିତ ରଖାଯାଇପାରୁନି। ବର୍ଷର ସବୁ ସମୟରେ ଏହାର ଜଳର ସୁବିନି‌ଯୋଗ ପାଇଁ ଏ ପର୍ଯ୍ୟନ୍ତ ପ୍ରକଳ୍ପଟିଏ ହୋଇ ପାରିନାହିଁ।

ପିପଳପଙ୍କା ପ୍ରକଳ୍ପ ଲାଗି ୧୯୯୫-୯୬ରେ ଡିପିଆର୍‌ ପ୍ରସ୍ତୁତ ହୋଇଥିଲା। ପ୍ରକଳ୍ପ ବ୍ୟୟ ଅଟକଳ ଥିଲା ୫୫୧.୯୮ କୋଟି ଟଙ୍କା। ୨୦୧୭ ମସିହାରେ ପ୍ରକଳ୍ପ ନିର୍ମାଣ ଶେଷ କରିବାକୁ ଆଖି ଆଗରେ ‌ରଖି ଏହି ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିଲା। ଡ୍ୟାମ୍‌ ପାଇଁ ୩୬୨.୩୬ କୋଟି ଏବଂ ମୁଖ୍ୟ କେନାଲ ଆଦି ବାବଦରେ ୧୮୯.୬୨ କୋଟି ଟଙ୍କା ଖର୍ଚ୍ଚ ଅଟକଳ ରହିଥିଲା। ସୋରଡ଼ା ବ୍ଲକର ପିପଳପଙ୍କା ନିକଟରେ ଋଷିକୁଲ୍ୟା ନଦୀ ଏବଂ ଅଡଙ୍ଗୀ ନାଳ ପାଣିକୁ ବନ୍ଧେଇବା ପାଇଁ ୨୪ ମିଟର ଉଚ୍ଚ ଏବଂ ୧୪୫୬ ଲମ୍ବର ଡ୍ୟାମ୍‌ ନିର୍ମାଣ ସହ ଡ୍ୟାମ୍‌ର ହାରାହାରି ଗଭୀରତା ୪୬.୫୬ ମିଟର ରହିବ। ଜଳଧାରଣ କ୍ଷମତା ୧୫ହଜାର ୯୨୭ ହେକ୍ଟୋମିଟର ଆକଳନ ହୋଇଥିଲା। ୧୯ କିମି ଏବଂ ୩୨କିମି ଲମ୍ବର ଦୁଇଟି କେନାଲ ଦ୍ବାରା ଜମିକୁ ଜଳସେଚନ ହେବ। ଡ୍ୟାମ୍‌ର ଡାହାଣ ଏବଂ ବାମ ପାର୍ଶ୍ବରେ ଦୁଇଟି କେନାଲ ରହିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨୫୫୫ ହେକ୍ଟର ଜମି ଜଳସେଚିତ ହେବ। ଏଥିସହ ବ୍ରହ୍ମପୁର ସହର ପାଇଁ ପାନୀୟ ଜଳ ଯୋଗାଣ ହେବ। ତେବେ ସ୍ଥାନୀୟ ଅଞ୍ଚଳର ୫ଟି ଗାଁ ଆଶିଂକ ପ୍ରଭାବିତ ହେବ। ଏହି ପ୍ରକଳ୍ପ ଲାଗି ୧୧୮୬ ହେକ୍ଟର ଜମି ଆବଶ୍ୟକ। କିନ୍ତୁ ଏହା ମଧ୍ୟରେ ୨୫ ବର୍ଷରୁ ଅଧିକ ସମୟ ବିତି ସାରିଥି‌ଲେ ମଧ୍ୟ ଏହି ପ୍ରକଳ୍ପ କେବଳ ପ୍ରସ୍ତାବରେ ଅଟକିଛି। ଏହାକୁ ଆଗେଇ ନେବାକୁ ସରକାର ଚିନ୍ତା କରୁନାହାନ୍ତି। ଜିଲ୍ଲାରୁ ୧୩ଜଣ ବିଧାୟକ ଓ ୨ ଜଣ ସାଂସଦ ପ୍ରତିନିଧିତ୍ବ କରୁଥିଲେ ହେଁ, ଏହି ପ୍ରକଳ୍ପ ପାଇଁ ସେମାନେ କେବେ ବି ସ୍ବର ଉଠାଇଥିବାର ନଜିର୍ ନାହିଁ। ବିଭିନ୍ନ ଜିଲ୍ଲା ପରିଷଦ ବୈଠକରେ ଋଷିକୁଲ୍ୟା ଅଥରିଟି ନିର୍ମାଣ କଥା ଚିନ୍ତା କରାଯାଇଥିଲେ ହେଁ, ପିପଳପଙ୍କା ପ୍ରକଳ୍ପ କଥାକୁ ସଭିଏଁ ପାସୋରି ଯାଇଛନ୍ତି।

ଅନ୍ୟପକ୍ଷରେ ୧୮୯୧ ମସିହାରେ ଭଞ୍ଜନଗର ଡ୍ୟାମ, ସୋରଡ଼ା ଡ୍ୟାମ୍‌ ଓ ଜାନିବିଲି ଆନିକଟ ନିର୍ମାଣ ହୋଇଥିଲା। ଏହି ୩ ପ୍ରକଳ୍ପକୁ ଇତିମଧ୍ୟରେ ୧୨୮ ବର୍ଷ ବତିଛି। ସୋରଡ଼ା ଓ ଭଞ୍ଜନଗର ଡ୍ୟାମ୍‌ର ଉଚ୍ଚତା ପରବର୍ତ୍ତୀ ସମୟରେ ବଢ଼ାଯାଇଛି। କିନ୍ତୁ ଉକ୍ତ ଡ୍ୟାମ୍‌ ଦ୍ବୟର ପୁନରୁଦ୍ଧାର ହୋଇନାହିଁ। ଏହି ୩ଟି ପ୍ରକଳ୍ପ ଜରିଆରେ ବ୍ରହ୍ମପୁର ସହରକୁ ଜଳଯୋଗାଣ ହେଉଛି। ସୋରଡ଼ା ଡ୍ୟାମ୍‌ ଦିନକୁ ଦିନ ପୋତି ହେବାରେ ଲାଗିଥିବା ବେଳେ ଜାନିବିଲି ଆନିକଟ ବହୁତ ପୁରୁଣା ହୋଇଯାଇଥିବାରୁ ଦ୍ବିତୀୟ ଆନିକଟ ନିର୍ମାଣ ପାଇଁ ଚିନ୍ତା କରାଗଲାଣି। ଋଷିକୁଲ୍ୟା ନଦୀକୁ ଗଞ୍ଜାମ ଜିଲ୍ଲାର ଲାଇଫଲାଇନ୍ ବୋଲି କୁହାଯାଉଛି। ନଦୀର ଜାନିବିଲି ଓ ହିରାଧାରବାଟିଠାରେ ଦୁଇଟି ଆନିକଟ କରାଯାଇ କେବଳ ବର୍ଷା ଋତୁରେ ଅର୍ଥାତ ଖରିଫରେ ୬୦ ହଜାର ୩ଶହ ହେକ୍ଟର ଚାଷଜମିକୁ ଜଳସେଚନ ହୋଇପାରୁଛି। ଗ୍ରୀଷ୍ମ ଋତୁରେ ଋଷିକୂଲ୍ୟା ପାଣିରେ ଜିଲ୍ଲାର ୧୦ଟି ବ୍ଲକର ମାତ୍ର ୭ହଜାର ୧୪୫ ହେକ୍ଟର ଜମି ଜଳସେଚିତ ହେଉଛି। ଋଷିକୁଲ୍ୟା ନଦୀରେ ଏକ ଡ୍ୟାମ କରାଯାଇ ଜଳକୁ ସଂରକ୍ଷିତ ରଖିଲେ ଖରିଫ ଓ ରବି ଫସଲରେ ଜମିକୁ ଜଳସେଚନର ସୁବିଧା ହୋଇପାରନ୍ତା ବୋଲି କୁହାଯାଉଛି। କିନ୍ତୁ ଏଥିଲାଗି ସରକାରଙ୍କ ଚିନ୍ତା ନାହିଁ।

ସମ୍ବନ୍ଧିତ ଖବର

Comments are closed.