୨୦୨୦ ମାର୍ଚ୍ଚ ସୁଦ୍ଧା ପୌରାଞ୍ଚଳର ସବୁ ଘରକୁ ପାଇପ ପାନୀୟ ଜଳ

ପୌର ନିର୍ବାଚନ ପାଇଁ ସଜବାଜ

ଭୁବନେଶ୍ବର : ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ମହାନଗର ନିଗମ ଓ ପୌରାଞ୍ଚଳର ପ୍ରତ୍ୟେକ ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ସହରାଞ୍ଚଳ ପାନୀୟ ଜଳ ଯୋଗାଣ ନେଇ ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଏହାସହିତ ଏହି ସମୟ ଭିତରେ ସମସ୍ତ ପୌରାଞ୍ଚଳରେ ଏଲଇଡି ଲାଇଟ ବ୍ୟବସ୍ଥା କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି। ପୌର ନିର୍ବାଚନ ନେଇ ସରକାର ଏଭଳି ଢଙ୍ଗରେ ପ୍ରସ୍ତୁତି ଆରମ୍ଭ କରିଥିବା କୁହାଯାଉଛି।

ଗୁରୁବାର ଲୋକସେବା ଭବନରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ, ସହରାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ନୂତନ ଭାବେ ପାଇପ ସଂଯୋଗ କାର୍ଯ୍ୟ ଚାଲୁଅଛି। ୫ଟି ମହାନଗର ସମେତ ୧୧୪ଟି ପୌରାଞ୍ଚଳରେ ପ୍ରତ୍ୟେକଙ୍କ ଘରକୁ ବିଶୁଦ୍ଧ ପାନୀୟ ଜଳ ଆସନ୍ତାବର୍ଷ ମାର୍ଚ୍ଚ ଶେଷସୁ୍ଦ୍ଧା ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ବି ତାର ଯଥେଷ୍ଟ ପୂର୍ବରୁ ଅର୍ଥାତ୍ ଚଳିତବର୍ଷ ଶେଷସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପ୍ରୟାସ କରାଯାଉଛି। ଏହାସହିତ ପୌରାଞ୍ଚଳ ଆଲୋକୀକରଣ ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ପୁରୁଣା ଲାଇଟଗୁଡ଼ିକୁ କାଢ଼ି ନୂଆ ଏଲଇଡି ଲାଇଟ ଲଗାଇବାକୁ ନିଷ୍ପତ୍ତି ହୋଇଛି। ଏହି ଅବସରରେ ବାଲେଶ୍ବର ଜିଲ୍ଲାର ୪ଟି ପୌରାଞ୍ଚଳରେ ଆଲୋକୀକରଣ ପାଇଁ ଏଲଇଡି ଲାଇଟ୍ ଲଗାଯିବା କାର୍ଯ୍ୟ ଜାରି ରହିଛି। ବାଲେଶ୍ବର, ସୋର ଓ ଜଳେଶ୍ବର ପୌରପରିଷଦ ଏବଂ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ପାନୀୟ ଜଳଯୋଗାଣ, ଏମସିସି (ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର) ସ୍ମାର୍ଟ ପାର୍କ, ଶ୍ମଶାନ ଆଦି ସମ୍ବନ୍ଧରେ ବୈଠକରେ ଆଲୋଚନା ହୋଇଥିଲା। ନୀଳଗିରି ସୋନନଦୀରୁ ନୀଳଗିରି ବ୍ଲକ ଓ ଏନଏସିକୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ ଏକ ବୃହତ୍ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ନୀଳଗିରି ଜଗନ୍ନାଥ ମନ୍ଦିର ନିକଟରେ ପାନୀୟ ଜଳର ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ମନ୍ତ୍ରୀ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାଲେଶ୍ବର ପୌରାଞ୍ଚଳରେ ୨୬୦ କିଲୋମିଟର ପାଇପ ଲାଇନ୍ ବିଛାଯିବାକୁ ଲକ୍ଷ୍ୟ ରହିଥିବା ବେଳେ ୧୮୩ କିଲୋମିଟର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏଥିପାଇଁ ପୁରୁଣା ପାଇପ ସବୁ ବଦଳ କରାଯାଇଛି। ୪ଟି ଜଳ ଭଣ୍ଡାର କାର୍ଯ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବ। ଏହାସହିତ ୨୦୨୦ ଫେବ୍ରୁଆରି ସୁଦ୍ଧା ଆଉ ୨ଟି ଜଳଭଣ୍ଡାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।

ସୋର ପୌର ପରିଷଦରେ ପାଇପ ଲାଇନ ବିଛାଇବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ୧୪ଟି ଜଳ ଉତ୍ସରୁ ୨ଟିକୁ ଖୁବଶୀଘ୍ର ବିଦ୍ୟୁତ୍ ସଂଯୋଗ କରାଯିବ। ଏହାସହିତ ସୋର ଟାଉନହଲର ନବୀକରଣ, ବାଲେଶ୍ବର ଗାନ୍ଧୀସ୍ମୃତି ଭବନକୁ ଅତ୍ୟାଧୁନିକ ଏବଂ ବ୍ରିଟ୍ କଲ୍ୟାଣ ମଣ୍ଡପର ଉନ୍ନତିକରଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ୪ଟି ପୌରାଞ୍ଚଳ ପାଇଁ ସ୍ମାର୍ଟ୍ ପାର୍କ୍ ଓ ଶ୍ମଶାନ ପାଇଁ ୧ କୋଟି ଟଙ୍କା ଯୋଗାଇଦିଆଯିବ। ଏଥିପାଇଁ ଡିପିଆର ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ବିଧାୟକ ଅଶ୍ବିନୀ ପାତ୍ର, ପର୍ଶୁରାମ ଧଡ଼ା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର