ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, ଜଣେ ଡାକ୍ତରରେ ଚାଲିଛି ପିପିଲି ସରକାରୀ ଡାକ୍ତରଖାନା

ପିପିଲି : ସରକାରୀସ୍ତରରେ ସ୍ୱାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଥିବା ବେଲେ ପିପିଲି ସରକାରୀ ଡାକ୍ତରଖାନାରେ ଜଣେ ମାତ୍ର ଡାକ୍ତର ଅଛନ୍ତି। ଜଣେ ଡାକ୍ତରରେ ପିପିଲି ଭଳି ଏକ ଗୁରୁତ୍ବପୂର୍ଣ୍ଣ ଅଂଚଳର ଡାକ୍ତରଖାନାରେ କିଭଳି ସ୍ବାସ୍ଥ୍ୟସେବା ମିଳି ପାରୁଥିବ ତାହା ସହଜରେ ଅନୁମାନ କରାଯାଇପାରେ। ସୂଚନା ଅନୁସାରେ, ଏହି ସରକାରୀ ଡାକ୍ତରଖାନାଟି ଦୀର୍ଘ ବର୍ଷ ହେବ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପାଇଛି। ଏହାସହ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ(ଏନ୍‌ଆର୍‌ଏଚ୍‌ଏମ୍) ଏହାକୁ ମଧ୍ୟ ପ୍ରସବ କେନ୍ଦ୍ର ଭାବେ ଘୋଷଣା କରିଛି। ଫଳରେ ଆଖପାଖ ଅଂଚଳରୁ ଗର୍ଭବତୀମାନେ ସନ୍ତାନ ଜନ୍ମ ପାଇଁ ଏଠାକୁ ଆସିଥାନ୍ତି। ଏଥିପାଇଁ ଗର୍ଭବତୀ ଓ ଜନ୍ମିତ ଶିଶୁମାନଙ୍କ ପାଇଁ ଏଠାରେ ୧୦୨ ଆମ୍ବୁଲାନ୍ସ ରଖାଯିବା ସହ ଏନ୍‌ଆର୍‌ଏଚ୍‌ଏମ୍‌ ଦ୍ବାରା ଜଣେ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ଓ ଜଣେ ଷ୍ଟାଫ୍‌ନର୍ସ ରହିଛନ୍ତି। ଏହି ଡାକ୍ତରଖାନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ହୋଇଥିବାରୁ ଏଠାରେ ମେଡିସିନ୍‌, ଶିଶୁରୋଗ, ସର୍ଜରୀ ବିଶେଷଜ୍ଞଙ୍କ ସମେତ ୪ ଜଣ ଡାକ୍ତର ଓ ଜଣେ ଭାରପ୍ରାପ୍ତ ମେଡିକାଲ୍‌ ଅଫିସର୍‌ ରହିବାର ସରକାରୀ ମଂଜୁରୀ ରହଛି। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା।

ଏନ୍‌ଆର୍‌ଏଚ୍‌ଏମ୍‌ ଦ୍ବାରା ନିଯୁକ୍ତ ଜଣେ କେବଳ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଅଛନ୍ତି। ସେ ଆଉଟ୍‌ ଡୋର୍‌, ଇନ୍‌ ଡୋର୍ ରୋଗୀ ଦେଖିବା ସହ ପ୍ରସବକାଳୀନ ରୋଗୀମାନଙ୍କୁ ମଧ୍ୟ ଚିକିତ୍ସା କରୁଛନ୍ତି। କେହି ଭାରପାପ୍ତ ମେଡିକାଲ ଅଫିସର ନଥିବାରୁ ସେ ଏହି ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି। ଗତ ମାସରେ ଏହି ଡାକ୍ତରଙ୍କ ସହିତ ଜଣେ ଚୁକ୍ତିଭିତ୍ତିକ ଓ ଅନ୍ୟ ଜଣେ ଅବସରପ୍ରାପ୍ତ ଡାକ୍ତର ଏଠାରେ କାର୍ଯ୍ୟ କରୁଥିଲେ। ସେମାନେ ଏଠାରୁ ଅନ୍ୟତ୍ର ଯିବା ପରେ ଏବେ ଜଣେ ଡାକ୍ତରରେ ପିପିଲି ଡାକ୍ତରଖାନା ଚାଲୁଛି। ଦୈନିକ ଆଉଟ୍‌ ଡୋର୍‌ ରୋଗୀଙ୍କ ସଂଖ୍ୟା ୩ ଶହରୁ ଅଧିକ ରହୁଥିବା ସହ ଇନ୍‌ ଡୋର୍‌ ରୋଗୀଙ୍କ ସଂଖ୍ୟା ମଧ୍ୟ ସେହି ଅନୁପାତରେ ରହୁଛି। ପିପିଲି ଦେଇ ରାଜ୍ୟର ଅନ୍ୟତମ ବ୍ୟସ୍ତବହୁଳ ଜାତୀୟ ରାଜପଥ ଯାଇଥିବାରୁ ଯେକୌଣସି ସମୟରେ ସଡ଼କ ଦୁର୍ଘଟଣାର ଆହତ, ଗୁରୁତର, ମୃତ ବ୍ୟକ୍ତିମାନେ ଏଠାରେ ପହଞ୍ଚୁଛନ୍ତି। ଏତେ ସଂଖ୍ୟକ ରୋଗୀମାନଙ୍କୁ ଜଣେ ଡାକ୍ତର କିଭଳି ଚିକିତ୍ସା କରୁଥିବେ ତାହା ସ୍ପଷ୍ଟ ଅନୁମେୟ।

ଡାକ୍ତରଖାନାର ଏହି ସମସ୍ୟା ସ୍ଥାନୀୟ ଅଂଚଳର ବୁଦ୍ଧୁଜୀବୀମାନଙ୍କୁ ଆନ୍ଦୋଳିତ କରୁଥିବା ବେଳେ ରାଜନେତାମାନଙ୍କର ଏ ନେଇ କୌଣସି ପ୍ରତିକ୍ରିୟା ନରହିବା ସମସ୍ତଙ୍କୁ ଆଚମ୍ବିତ କରୁଛି। କିଛି ଦିନ ପୂର୍ବେ ସ୍ଥାନୀୟ ପିପିଲି ବିକାଶ ମଞ୍ଚର ପ୍ରତିନିଧିମାନେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଏହି ଡାକ୍ତରଖାନାରେ ଅଧିକ ସଂଖ୍ୟକ ଡାକ୍ତର ନିଯୁକ୍ତ କରିବାକୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ଡାକ୍ତରଖାନାର ଏହି ସମସ୍ୟାର ସମାଧାନ ପାଇଁ ଅଂଚଳବାସୀଙ୍କ ପକ୍ଷରୁ ଆଗାମୀ ଦିନରେ ଏକ ବଡ଼ଧରଣର ଜନଆନ୍ଦୋଳନ କରାଯିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।

ସମ୍ବନ୍ଧିତ ଖବର