ପିପିଲି ଗଣ ଦୁଷ୍କର୍ମ ମାମଲା: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଜଷ୍ଟିସ ମହାନ୍ତି କମିସନ ରିପୋର୍ଟ ସାର୍ବଜନୀନ କରାଯାଉ

ଭୁବନେଶ୍ବର: ପିପିଲି ଗଣଦୁଷ୍କର୍ମ ମାମଲାରେ ସିଧା ସଳଖ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିବା ସହିତ ମୁଖ୍ୟମନ୍ତ୍ରୀ ଏବ˚ ଗୃହ ବିଭାଗ ଦାୟିତ୍ବରୁ ଇସ୍ତଫା ଦେବା ପାଇଁ ଦାବି କରିଛି କଂଗ୍ରେସ। ପିପିଲି ମାମଲାରେ ଗଠିତ ହୋଇଥିବା ଜଷ୍ଟିସ୍‌ ପି.କେ. ମହାନ୍ତି କମିସନ ୨୦୧୬ରୁ ଏହାର ତଦନ୍ତ ରିପୋର୍ଟ ଦେଇସାରିଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ଏହାକୁ ସାର୍ବଜନୀନ କରାଯାଇନାହିଁ। ଏହାକୁ ତୁରନ୍ତ ସର୍ବସାଧାରଣରେ ପ୍ରକାଶ କରିବାକୁ ମଧ୍ୟ ଦାବି କରିଛି ରାଜ୍ୟ କଂଗ୍ରେସ।

ଆଜି ପ୍ରଦେଶ କ˚ଗ୍ରେସ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଉପରୋକ୍ତ ଦାବି କରିଥିଲେ। ସେ କହିଲେ, ଗତକାଲି ମୁଖ୍ୟମନ୍ତ୍ରୀ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀପଦରୁ ହଟାଇ ଦେଇଛନ୍ତି, ପୀଡିତାର ନ୍ୟାୟ ପାଇଁ ଏହି ପଦକ୍ଷେପ ଯଥେଷ୍ଟ ନୁହେଁ। ମତ ପରିବର୍ତନ କରିଥିବା ଦୁଇ ବ୍ୟକ୍ତି ଧରଣୀଧର ସାହୁ ଓ ଯୁଧିଷ୍ଠିର ସ୍ବାଇଁ ବର୍ତମାନ ସୁଦ୍ଧା ନିଜର ପଦବୀ ‘ଆତ୍ମା’ର ଅଧ୍ୟକ୍ଷ ଏବ˚ ପିପିଲି ବ୍ଲକ ଉପାଧ୍ୟକ୍ଷ ପଦବିରୁ ଇସ୍ତଫା ଦେଇନାହାନ୍ତି। ତେଣୁ କ˚ଗ୍ରେସ ଦଳ ତୁରନ୍ତ ସେମାନଙ୍କର ଇସ୍ତଫା ଦାବି କରିଛି। କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ସିଧାସଳଖ ଭା‌େବ ଗୃହ ବିଭାଗକୁ ଦାୟୀ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ନିଶାଣା କରିଥିଲେ। ଏହା ସହିତ ପିପିଲି ଗଣଦୁଷ୍କର୍ମ ମାମଲାର ପୁନଃ ତଦନ୍ତ ଜଣେ କାର୍ଯ୍ୟରତ ବିଚାରପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କରିବାକୁ ଦାବି କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅଶୋକ ସାମଲ, ହିମା˚ଶୁ ଲେଙ୍କା, ସୁଦର୍ଶନ ଦାସ, ଦୀପକ ମହାପାତ୍ର ଓ ଓମ୍‌ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର