ପିପିଲି: ଟ୍ରକ୍‌ ପଛରେ ଧକ୍କା ଖାଇଲା ହାଇଓ୍ଵା: ମାଲିକ ମୃତ; ଚାଳକ ଆହତ

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଅନ୍ତର୍ଗତ ମଙ୍ଗଳପୁର ବଜାର ଠାରେ ଆଜି ପାହାନ୍ତା ପ୍ରାୟ ୩ଟା ସମୟରେ ଗୋଟିଏ ଟ୍ରକ୍‌କୁ ଅନ୍ୟ ଏକ ବାଲି ବୋଝେଇ ହାଇଓ୍ଵା ପଛଆଡୁ ଧକ୍କା ଦେବା ଫଳରେ ହାଇଓ୍ଵାଗାଡ଼ିର ମାଲିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ହାଇଓ୍ଵାର ଚାଳକଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପିପିଲି ଏବଂ ପରେ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ମୃତ ହାଇଓ୍ଵା ମାଲିକଙ୍କ ନାମ ୩୭ ବର୍ଷିୟ ପ୍ରଦୀପ ପରିଡ଼ା। ତାଙ୍କ ଘର ବ୍ରହ୍ମଗିରି ଥାନା ଗଡ଼ରୋଡ଼ଙ୍ଗ ପଞ୍ଚାୟତର ହାଣ୍ଡିଆଳି ଗ୍ରାମରେ।

ବାଲି ନେଇ ପୁରୀ ଅଭିମୁଖେ ଯାଉଥିବା ହାଇଓ୍ଵା ମଙ୍ଗଳପୁର ବଜାର ଠାରେ ରାସ୍ତା ଉପରେ ଠିଆ ହୋଇଥିବା ଅନ୍ୟ ଗୋଟିଏ ବାଲି ବୋଝେଇ ଟ୍ରକ୍‌ ସହ ଧକ୍କା ଖାଇବା ଯୋଗୁଁ ଟ୍ରକ୍‌ ଡାଲାର ପଛଭାଗ ହାଇଓ୍ଵା ସମ୍ମୁଖ ଭାଗରେ ପଶିଯାଇଥିଲା। ଆଗରେ ବସିଥିବା ମାଲିକ ଭୀଷଣ ଆଘାତ ପାଇ ମୃତ୍ୟୁ ମୁଖରେ ପଡ଼ିଥିଲେ।

ଖବର ପାଇ ପିପିଲି ପୁଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ୩ ଘଣ୍ଟାକାଳ ଲାଗି ଆହତ ଡ୍ରାଇଭର ୨୭ ବର୍ଷିୟ ହରେକୃଷ୍ଣ ପରିଡ଼ାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ।

ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରିବାକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର