ନଦୀରେ ଖସିପଡ଼ିଲା ବାୟୁସେନା ବିମାନ ପାଇଲଟ୍‌ ଗୁରୁତର

ବାରିପଦା/ସାରସକଣା: ଓଡ଼ିଶା-ଝାଡ଼ଖଣ୍ଡ ସୀମାର ମହୁଲଡାଙ୍ଗରି ନିକଟ ସୁବର୍ଣ୍ଣରେଖା ନଦୀରେ ଆଜି ଦିନ ପ୍ରାୟ ସାଢ଼େ ୧୨ଟାରେ ଭାରତୀୟ ବାୟୁସେନାର ଏକ ଟ୍ରେନର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିଛି। ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ବିମାନଟି ଖଣ୍ଡଖଣ୍ଡ ହୋଇଯାଇଛି। ଏହାର ଭଗ୍ନାଂଶ ଟୁକୁଡ଼ା ଏଣେତେଣେ ପଡ଼ିଥିବାବେଳେ ଏକ ବୃହତ୍‌ ଖଣ୍ଡ ବାଲିଶଯ୍ୟାରେ ପଡ଼ି ପୋତିହୋଇଯାଇଛି। ବାଲିରେ ଏକ ବଡ଼ ଖାଲ ସୃଷ୍ଟି ହୋଇ ପାଣି ଭରିଥିଲା ଏବଂ ସେଥିରେ ଭଙ୍ଗାଖଣ୍ଡରେ ନିଅାଁ ଜଳୁଥିଲା। ଏତେବଡ଼ ଦୁର୍ଘଟଣା ସତ୍ତ୍ୱେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଏଥିରେ ଥିବା ପାଇଲଟ୍‌ ଅରବିନ୍ଦ ଯୋଶୀ (୩୫) ବର୍ତ୍ତିଯାଇଛନ୍ତି। ସେ ଦୁର୍ଘଟଣା ପରେ କିମ୍ବା ଆଭାସ ପାଇ ଆକାଶମାର୍ଗରୁ ପାରାଚ୍ୟୁଟ୍‌ରେ ଲମ୍ଫ ଦେଇଥିଲେ। ତାଙ୍କ ମୁଣ୍ଡ ଫାଟିବା ସହ ହାତ ଭାଙ୍ଗିଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଝାଡ଼ଖଣ୍ଡର ବହଡ଼ାଗୋଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ବାୟୁସେନାର ଅନ୍ୟଏକ ବିମାନ ଆସି ତାଙ୍କୁ ଖଡ଼ଗପୁର ନେଇଯାଇଛି। ଦୁର୍ଘଟଣା ପୂର୍ବରୁ ବାୟୁସେନାର ଏହି ବିମାନଟି ଦିନ ପ୍ରାୟ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ସ୍ଥାନୀୟ ଆକାଶରେ ଚକ୍କର କାଟୁଥିଲା ବୋଲି ଲୋକେ କହିଛନ୍ତି।ଝାଡ଼ଖଣ୍ଡ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗର ଖଡ଼ଗପୁରରୁ କଲେଇକୁଣ୍ଡା ବାୟୁସେନା ଘାଟିକୁ ବିମାନଟି ଆସୁଥିଲା। କଲେଇକୁଣ୍ଡାଠାରୁ ମାତ୍ର ୨୫ କିଲୋମିଟର ପୂର୍ବରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମା ଝାଡ଼ଖଣ୍ଡର ମହୁଲଡାଙ୍ଗରି ନିକଟ ସୁବର୍ଣ୍ଣରେଖା ନଦୀ ଗର୍ଭର ବାଲିଶଯ୍ୟାରେ ଖସିପଡ଼ିଥିଲା। ପ୍ରଚଣ୍ଡ ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳ ଥରିଉଠିଥିଲା। ଝାଡ଼ଖଣ୍ଡ ଓ ଓଡ଼ିଶା ପୁଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଆଉ ଏକ ‘ବର୍ମୁଡ଼ା ଟ୍ରାଏଙ୍ଗଲ୍‌’
ଘଟିଲାଣି ୧୫ ବିମାନ ଦୁର୍ଘଟଣା ରହସ୍ୟ ଏବେ ବି ଅଭେଦ୍ୟ

ଭୁବନେଶ୍ୱର: ମୟୂରଭଂଜ ସାରଣକଣା ବ୍ଲକ୍‌ ଅନ୍ତର୍ଗତ ମହୁଲାଡଙ୍ଗରୀ ଗାଁ’ ନିକଟରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏକ ରୋଚକ ତଥ୍ୟ ଉନ୍ମୋଚିତ ହୋଇଛି। ଆଜିର ଦୁର୍ଘଟଣା କେବଳ ଗୋଟିଏ ଘଟଣା ନୁହେଁ। ବରଂ ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ବର୍ଷ ନିର୍ମିତ ହୋଇଥିବା ଏହି ବିମାନଘାଟିର ପାଖାପାଖି ଅଞ୍ଚଳରେ ଏଯାବତ୍‌ ପ୍ରାୟ ୧୫ଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗବେଷକ ଅନିଲ୍‌ ଧୀର୍‌ଙ୍କ ସୂଚନା ମୁତାବକ ବାଙ୍କୁରା ନିକଟବର୍ତୀ ପିଆରବୋଦା-ଝାଡ଼ଖଣ୍ଡର ଚକୁଳିଆ-ଓଡ଼ିଶାର ଅମର୍ଦା ରୋଡ୍‌ ଏୟାରଫିଲ୍‌ଡ ସଂଶ୍ଳିଷ୍ଟ ବରମୁଡା ଟ୍ରାଙ୍ଗେଲ୍‌ରେ ହିଁ ପାଖାପାଖି ୧୫ଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶ୍ରୀ ଧୀର୍‌ଙ୍କଠାରୁ ମିଳିଥିବା ସୂଚନା ମୁତାବକ, ୨୦୧୫ରେ କଲାଇକୁଣ୍ଡା ବିମାନଘାଟିରୁ ଉଡ଼ାଣ ଆରମ୍ଭ କରିଥିବା ହକ୍‌ ଲଢ଼ୁଆ ବିମାନ ବି ଏଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ୧୯୪୪ ମସିହା ମେ ମାସ ୪ ତାରିଖରେ ହିଁ ଏହି ଟ୍ରାଏଙ୍ଗଲ୍‌ ମଧ୍ୟରେ ପ୍ରଥମ ଦୁର୍ଘଟଣା ଘଟିଥିଲା। ଆଜିର ଦୁର୍ଘଟଣାସ୍ଥଳଠୁ ୧୦୦ କିଲୋମିଟର ଦୂର ଅମର୍ଦା ରୋଡ୍‌ରେ ହୋଇଥିବା ଏହି ହାର୍ଭାଡ୍‌ ଡି ହାଭିଲାଣ୍ଡ୍‌ ବିମାନ ଦୁର୍ଘଟଣାରେ ୪ଜଣ ପ୍ରାଣ ହରାଇଥିଲେ। ସେହିଭଳି ୧୯୪୪ ମସିହା ମେ ୭ ତାରିଖରେ ଡିଗ୍ରି ଠାରୁ ଏକ ସ୍ୱତନ୍ତ୍ର ମିସନ୍‌ରେ ବାହାରିଥିବା ବିମାନ ୨୦ ମିନିଟ୍‌ ଉଡ଼ାଣ ପରେ ଆଜିର ଦୁର୍ଘଟଣାସ୍ଥଳରୁ ମାତ୍ର ୯୦ କିଲୋମିଟର ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ୧୦ ଜଣ ମୃତ୍ୟୁବରଣ କରିଥିଲେ।। ପୁଣି ସେଇ ବର୍ଷ ମେ ୧୩ ତାରିଖରେ ଅମର୍ଦା ରୋଡ୍‌ରୁ ଯାତ୍ରା ଆରମ୍ଭ କରିଥିବା ଡି ହାଭିଲାଣ୍ଡ ଲଢ଼ୁଆ ବିମାନ ବି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମାତ୍ର ଭାଗ୍ୟକୁ ଏଥିରେ କେହି ମୃତାହତ ହୋଇ ନଥିଲେ। ସେହିପରି ୧୯୪୪ ମସିହା ଅକ୍ଟେବାର ୨୮ ତାରିଖରେ ଆଜିର ଦୁର୍ଘଟଣା ସ୍ଥଳରୁ ୯୦ କିଲୋମିଟର ଦୂରରେ ସାଲବୋନିଠାରେ ହୋଇଥିବା ବିମାନ ଦୁର୍ଘଟଣାରେ ୮ଜଣ ଜାହାଜ କର୍ମଚାରୀ ମୃତ୍ୟୁବରଣ କରିଥିଲେ। ୧୯୪୫ ମସିହାରେ ଏୟାର୍‌ ଫାଇଟିଙ୍ଗ୍‌ ତାଲିମ୍‌ ୟୁନିଟ୍‌ରେ ଥିବା ୬ଟି ବିମାନ ମଧ୍ୟରୁ ୨ଟି ବ୍ରିଟିସ୍‌ ରୟାଲ୍‌ ଏୟାରଫୋର୍ସ ବି-୨୪ ବିମାନ ଅମର୍ଦା ରୋଡ୍‌ ଏୟାରଫିଲ୍‌ଡ ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା। ସଂପ୍ରତି ପଶ୍ଚିମବଙ୍ଗ ନିକଟରେ ଥିବା ଏହି ଦୁର୍ଘଟଣାସ୍ଥଳର ଦୂରତା ଆଜି ଘଟିଥିବା ଦୁର୍ଘଟଣାସ୍ଥଳଠୁ ମାତ୍ର ୭୦ କିଲୋମିଟର। ଏହିପରି ଆହୁରି ପାଖାପାଖି ୬ଟି ଦୁର୍ଘଟଣା ବଙ୍ଗୋପସାଗର ନିକଟରେ ଘଟିଥିବା ବେଳେ ଏହାର ଖୋଜ ଖବର ମିଳିପାରିନାହିଁ।

ସୂଚନା ମୁତାବକ ଉତ୍ତର-ପୂର୍ବ ପଟୁ ଜାପାନୀମାନଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଝାରସୁଗୁଡ଼ା, ଅମର୍ଦାରୋଡ୍‌, ଚାରବାଟିଆ, ହିଜ୍‌ଲି, ଦୁଧକୁଣ୍ଡି, ଡିଗ୍ରି, ସାଳୁଆ, ଚକୁଳିଆ, କଲାଇକୁଣ୍ଡା ଓ ବିଷ୍ଣୁପୁର ଭଳି ଅଞ୍ଚଳରେ ବ୍ରିଟିସ୍‌ମାନେ ୧୬ଟି ଏୟାରଫିଲ୍‌ଡ ନିର୍ମାଣ କରିଥିଲେ। ବର୍ମା ଓ ହମ୍ପ୍‌ ଅପରେସନ୍‌ରେ ଅଂଶୀଦାର ଶତାଧିକ ବିମାନ ସଂପୃକ୍ତ ଅଞ୍ଚଳରୁ ପରିଚାଳିତ ହେଉଥିଲା। ୫୯୪ ବିମାନ ଦୁର୍ଘଟଣାଗ୍ରସ୍ତ ଓ ନିଖୋଜ ହୋଇଯାଇଥିବା ବେଳେ ୧୬୫୯ ଜଣ ଜାହାଜ କର୍ମୀ ମୃତ୍ୟୁବରଣ କରିଥିଲେ। ଏବେ ବି ଅରୁଣାଚଳ ପ୍ରଦେଶ ଓ ମେଘାଳୟରୁ ଏହି ବିମାନର ଧ୍ୱଂସାବଶେଷ ମିଳୁଥିବା ବେଳେ ସଂପୃକ୍ତ ଏୟାରଫିଲ୍‌ଡଗୁଡ଼ିକ ମଧ୍ୟରୁ ଅନେକ ଆଉ ବ୍ୟବହୃତ ହେଉନାହିଁ। ଶ୍ରୀ ଧୀର୍‌ କହିଛନ୍ତି ଯେ, ଯଦି ଇଣ୍ଡିଆନ ଏୟାର ଫୋର୍ସ୍‌ର ଅନ୍ୟ ତାଲିମ୍‌ କେନ୍ଦ୍ରଗୁଡ଼ିକୁ ଏ ସଂକ୍ରାନ୍ତରେ ବିଚାର କରାଯାଏ ତେବେ ସେ ଅଞ୍ଚଳ ନିକଟରେ ଘଟିଥିବା ଦୁର୍ଘଟଣା ନଗଣ୍ୟ। ସବୁଠୁ ବଡ଼ କଥା ହେଉଛି ପାଗ ଭଲ ଥିବା ସମୟରେ ଦୁର୍ଘଟଣାମାନ ଘଟିଛି। ଏହି ନିର୍ଦିଷ୍ଟ ଏୟାର୍‌ଫିଲ୍‌ଡର ପାଖାପାଖି ଅଞ୍ଚଳରେ ଏପରି ଦୁର୍ଘଟଣାର କାରଣ କ’ଣ ହୋଇପାରେ ତାହା ନିଶ୍ଚିତ ଚିନ୍ତାର ବିଷୟ। ତେବେ ବରମୁଡା ଟ୍ରାଙ୍ଗେଲ୍‌ରେ ଘଟୁଥିବା ଏହି ଦୁର୍ଘଟଣା ସମୂହର ରହସ୍ୟକୁ ଜାଣିବା ପାଇଁ ଏହା ଉପରେ ଗଭୀର ଅନୁଧ୍ୟାନ ବି ଜରୁରି ବୋଲି ଶ୍ରୀ ଧୀର୍‌ କହିଛନ୍ତି।

ସମ୍ବନ୍ଧିତ ଖବର