ପକ୍ଷାଘାତ ଓ କୋମାରେ ଯୋଜନା ଓ ସଂଯୋଜନ ବିଭାଗ

ଭୁବନେଶ୍ୱର : ଯୋଜନା ଓ ସଂଯୋଜନ ବିଭାଗ ବା ପ୍ଲାନିଂ ଆଣ୍ଡ କନ୍‌ଭର୍‌ଜେନ୍ସ ବିଭାଗ ସମସ୍ତ ବିଭାଗର ଜନନୀ ବୋଲି କୁହାଯାଏ। କିନ୍ତୁ ଏହି ବିଭାଗ ଏବେ ପକ୍ଷାଘାତ ଓ କୋମାରେ ଆକ୍ରାନ୍ତ। ସରକାରଙ୍କର ଚିନ୍ତାଶକ୍ତି ନାହିଁ। ଫଳରେ ରାଜସ୍ୱ ସମ୍ବଳ ବଢ଼ୁନାହିଁ। ଓଡ଼ିଶା ଆଞ୍ଚଳିକ ବୈଷମ୍ୟ, ଦାରିଦ୍ର୍ୟରେ ଭରପୂର। ପିଇବାପାଣି, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ଜନସାଧାରଣଙ୍କ ମୌଳିକ ଅଧିକାର ପୂରଣ ସରକାରଙ୍କ ପ୍ରାଥମିକତା ହୋଇଥିଲେ ହେଁ ଗତ ୧୮ ବର୍ଷରେ ଏ କ୍ଷେତ୍ରରେ ସଂପୂର୍ଣ୍ଣ ବିଫଳ। ରାଜ୍ୟରେ ଲକ୍ଷାଧିକ ଡାକ୍ତର, ଶିକ୍ଷକ ପଦ ଖାଲି ପଡ଼ିଛି। ବେକାରୀଙ୍କ ପାଇଁ ନିଯୁକ୍ତି ନାହିଁ। ଏଣୁ, ବଳକା ବଜେଟ୍‌ ହେବନି କି?

ଆଜି ଯୋଜନା ଓ ସଂଯୋଜନ ବିଭାଗର ଖର୍ଚଦାବି ଆଲୋଚନାରେ ଭାଗ ନେଇ ଉପରୋକ୍ତ ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେ କହିଲେ, ଷ୍ଟାଣ୍ଡିଂ କମିଟି ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିକୁ ୪ କୋଟି ଏବଂ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିକୁ ୨ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିସ କରିଛନ୍ତି। ଆଇନ ସଂପର୍କରେ ଅବଗତ ନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ସୁପାରିସ ପ୍ରତି ସମ୍ମାନ ନାହିଁ। ଏହି ବିଭାଗ ପକ୍ଷାଘାତ ଓ କୋମାରେ ଆକ୍ରାନ୍ତ ଦର୍ଶାଇ ଏହା ଅଧୀନରେ ରହିଥିବା ଯୋଜନା ବୋର୍ଡ ବୈଠକ ଦୀର୍ଘ ୧୦ ବର୍ଷ ଧରି ବସିନଥିବା ସେ କହିଥିଲେ। ରାଜ୍ୟର ଯୋଜନାବଦ୍ଧ ବିକାଶ ପରିବର୍ତେ କିଛି ହାତଗଣତି ଲୋକ ଏ ନେଇ ନିଷ୍ପତ୍ତି ନେଉଥିବା ସେ ଅଭିଯୋଗ କରିଥିଲେ।

ରାଜସ୍ୱ ଆୟ ବୃଦ୍ଧି ଯୋଜନା ହେଉଛି ବିଭାଗର ପ୍ରମୁଖ ଲକ୍ଷ୍ୟ। ରାଜ୍ୟ ସରକାର ୧.୨୦ ଲକ୍ଷ କୋଟିର ସର୍ବକାଳୀନ ରେକର୍ଡ ବଜେଟ୍‌ କରି ବାହାସ୍ଫୋଟ ମାରୁଛନ୍ତି। କିନ୍ତୁ ଏଥିମଧ୍ୟରୁ ରାଜ୍ୟର ଅବଦାନ ମାତ୍ର ୩୮ ହଜାର କୋଟି। ଦୀର୍ଘ ୧୮ ବର୍ଷର ସ୍ଥିର ସରକାର ଥାଇ ସୁଦ୍ଧା ଲୋକଙ୍କ ମୌଳିକ ଅଧିକାର ପୂରଣ କରିପାରିଲେନି କାହିଁକି ବୋଲି ସେ ପଚାରିଥିଲେ। ସରକାର ହୋତା କମିସନଙ୍କ ସୁପାରିସ କାର୍ଯ୍ୟକାରୀ କରିଥିଲେ ଖଣିରୁ ରାଜସ୍ୱ ବର୍ଷକୁ ପ୍ରାୟ ୬୦ ହଜାର କୋଟି ମିଳୁଥାନ୍ତା। ବଜେଟ୍‌ ପରିମାଣ ୧.୮୦ ଲକ୍ଷ କୋଟିରେ ପହଞ୍ଚିପାରିଥାନ୍ତା। ଭୂପୃଷ୍ଠ ଖଣିଜ ଟିକସ ବସାଇ ଖଣି ମାଲିକଙ୍କଠାରୁ ରାଜସ୍ୱ ଆଦାୟ ବିଜୁବାବୁ ଚିନ୍ତା କରିଥିଲେ। କିନ୍ତୁ ନବୀନ ସରକାର ଖଣି ମାଲିକଙ୍କ ସ୍ୱପ୍ନ ପୂରଣ କରୁଥିବା ସେ କହିଥିଲେ।

ଦୁର୍ନୀତି ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କ କହିବାନୁସାରେ ମୁଖ୍ୟମନ୍ତ୍ରୀ ପିସି କାରବାର ବନ୍ଦ କରିବାକୁ କହିବା ପରେ ଏହା ବଢ଼ିଛି। ବଲାଙ୍ଗୀର ଜିଲ୍ଲାରେ ୨୯ ପ୍ରତିଶତ ପିସି ଚାଲିଥିବା ନେଇ ସେ ପ୍ରମାଣ ଦେଇପାରିବେ। ତିନି ଲକ୍ଷରୁ ଅଧିକ ଟଙ୍କାର କାମ ପାଇଁ ଟେଣ୍ଡର ବ୍ୟବସ୍ଥା ସେ କରିଥିଲେ। ଏହା ଆଉ କାମ କରୁନାହିଁ। ଯଦି ସମସ୍ତ ବିଧାୟକ ସଂକଳ୍ପ ନେବାକୁ ପ୍ରସ୍ତୁତ, ତେବେ ଏଭଳି ଦୁର୍ନୀତି ଅନେକାଂଶରେ ଦୂର ହୋଇପାରିବ ବୋଲି ସେ କହିଥିଲେ। ଅନୁନ୍ନତ ଅଞ୍ଚଳରେ ଅଗ୍ରାଧିକାର ଭିତ୍ତିରେ ବିକାଶମୂଳକ କାର୍ଯ୍ୟ ହେଲେ, ଆଞ୍ଚଳିକ ବୈଷମ୍ୟ ଅନେକାଂଶରେ ଦୂର ହୋଇପାରିବ। କିନ୍ତୁ ଏ ନେଇ ରାଜ୍ୟ ସରକାର ଗୁରୁତ୍ୱ ଦେଉନାହାନ୍ତି। ଫଳରେ ରାଜ୍ୟର ଏକତା ବିପଦରେ ରହିଛି। ଏହା ରାଜ୍ୟର ବିଭାଜନ ସୃଷ୍ଟି କରିବାର ଆଶଙ୍କା ରହିଥିବା ନେଇ ଶ୍ରୀ ମିଶ୍ର ସରକାରଙ୍କୁ ସତର୍କ କରାଇ ଦେଇଥିଲେ।

ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ନବକିଶୋର ଦାସ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ପରାଜିତ ଓ ପ୍ରତ୍ୟାଖ୍ୟାତ ନେତାଙ୍କ ଥଇଥାନ କେନ୍ଦ୍ର ପାଲଟିଥିବା ଅଭିଯୋଗ କରିଥିଲେ। ରାଜ୍ୟ ସରକାରଙ୍କ ଭିଜନ ନାହିଁ ବୋଲି କହିଥିଲେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ। ଡା. ପ୍ରଫୁଲ୍ଲ ମାଝୀ ଆଞ୍ଚଳିକ ବୈଷମ୍ୟ ନେଇ ଜଷ୍ଟିସ ଏସ୍‌.ସି. କମିସନ ତାଙ୍କ ରିପୋର୍ଟ ୨୦୦୮ରେ ଦେଇଥିବା ବେଳେ ୧୦ ବର୍ଷ ହେଲା ସେହି ରିପୋର୍ଟ ସାର୍ବଜନୀନ ନ ହେବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ଅନ୍ୟପକ୍ଷରେ ବିଧାୟକ ବେଦପ୍ରକାଶ ଅଗ୍ରଓ୍ଵାଲା, ଡା. ରାସେଶ୍ୱରୀ ପାଣିଗ୍ରାହୀ, ରୋହିତ ପୂଜାରୀ, ପ୍ରଶାନ୍ତ ମୁଦୁଲି, ରାଧାରାଣୀ ପଣ୍ଡା, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଦଳମତ ନିର୍ବିଶେଷରେ ପଶ୍ଚିମ ଓଡ଼ିଶାର ବିଧାୟକମାନେ ପରିଷଦର ପାଣ୍ଠି ୧୦୦ କୋଟିରୁ ଏକ ହଜାର କୋଟିକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ। କଂଗ୍ରେସ ବିଧାୟକ ଭୁଜବଳ ମାଝୀ, ଚନ୍ଦ୍ରଶେଖର ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଦକ୍ଷିଣ ଓଡ଼ିଶାର ବିଧାୟକମାନେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ।

ବିଭାଗୀୟ ମନ୍ତ୍ରୀ ଉଷା ଦେବୀ ବିଭାଗର ୯୩୬ କୋଟି ୯୩ ଲକ୍ଷ ୬ ହଜାର ଟଙ୍କାର ଖର୍ଚଦାବି ଆଗତ କରିବା ପରେ ଏହା ପାରିତ ହୋଇଥିଲା। ସେ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ, ଯୋଜନା ସଂପର୍କରେ ବିସ୍ତତ ସୂଚନା ଦେଇଥିଲେ। ତେବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ବିଧାୟକଙ୍କ ପାଇଁ ପାଣ୍ଠି ବୃଦ୍ଧି ପ୍ରସ୍ତାବକୁ ଏଡ଼ାଇ ଯାଇଥିଲେ। ତେବେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପ୍ରସ୍ତାବକୁ ଅନୁଧ୍ୟାନ କରି ବିଚାର କରିବେ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର