ତାଳଗୁଡ଼କୁ ଜିଆଇ ଟ୍ୟାଗ୍ ଯୋଜନା

ଭୁବନେଶ୍ବର : ତାଳଗୁଡ଼କୁ ଭୌଗୋଳିକ ଉତ୍ପତ୍ତି ବା ଜିଆଇ ମାନ୍ୟତା ଦେବା ପାଇଁ ଯୋଜନା ହୋଇଛି। ରାଜ୍ୟରେ ପାରମ୍ପରିକ ଢଙ୍ଗରେ ପ୍ରସ୍ତୁତ ହେଉଥିବା ତାଳଗୁଡ଼ର ରଂଗ, ସ୍ବାଦ ସ୍ବତନ୍ତ୍ର। ତେଣୁ ଜିଆଇ ମାନ୍ୟତା ଦ୍ବାରା ଏହାର ବିକ୍ରି ବଢ଼ିବା ସହିତ ରାଜ୍ୟ ତଥା ରାଜ୍ୟ ବାହାରେ ଚାହିଦା ବଢ଼ିବ ବୋଲି ଆଶା କରାଯାଉଛି। ତାଳଗୁଡ଼କୁ ଜିଆଇ ମାନ୍ୟତା ଦେବାରେ ସିଟିଟିସି ସହାୟତା ପ୍ରଦାନ କରିବ। ଏଥିପାଇଁ ତାଳଗୁଡ଼ ସଂଘ ଓ ସିଟିଟିସି ମଧ୍ୟରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ରାଜ୍ୟରେ ତାଳଗୁଡ଼ର ଇତିହାସ ବହୁତ ପୁରୁଣା। ଗାନ୍ଧୀଜୀ ମଧ୍ୟ ତାଳଗୁଡ଼ର ପ୍ରଚାର ପ୍ରସାର ଉପରେ ଗୁରୁତ୍ବ ଦେଇଥିଲେ। ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ମଧ୍ୟ ତାଳଗୁଡ଼ ପ୍ରସ୍ତୁତ ହେଉଛି। ତେବେ ରାଜ୍ୟରେ ପ୍ରସ୍ତୁତ ହେଉଥିବା ତାଳଗୁଡ଼ ଭିନ୍ନ। ୧୯୫୯ ମସିହାରେ ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘର ଗଠନ ହୋଇଥିଲା। ଏହାର ଅଧୀନରେ ରାଜ୍ୟରେ ୬୭ଟି ସମବାୟ ସଂସ୍ଥା କାର୍ଯ୍ୟ କରୁଛି। ବାର୍ଷିକ ୧୦୦-୧୫୦ କ୍ବିଣ୍ଟାଲ ତାଳଗୁଡ଼ ପ୍ରସ୍ତୁତ ହେଉଛି। ତାଳ ସହିତ ଖଜୁରୀରୁ ଏହି ଗୁଡ଼ ତିଆରି ହୋଇଥାଏ। ପାରାଳାଖେମୁଣ୍ଡିରେ ୨ହଜାର ଓ ଢେଙ୍କାନାଳରେ ୧ହଜାରରୁ ଅଧିକ ଚାଷୀ ଅଛନ୍ତି। ତାଳଗୁଡ଼ରେ ପୋଷକତତ୍ତ୍ବ ଭରି ରହିଛି। ଏଥିରେ ଗ୍ଲାଇସେମିକ୍ସ ଇଣ୍ଡେକ୍ସ ବା ଜିଆଇ ୫୫ରୁ କମ୍ ରହିଛି। ତେଣୁ ଏହାକୁ ଖାଇଲେ ମଧୁମେହର ଆଶଙ୍କା କମ୍। ଏହାସହ ଏଥିରେ କୌଣସି ପ୍ରକାର ରଂଗ କିମ୍ବା ସଂରକ୍ଷଣ ପାଇଁ କୌଣସି ରାସାୟନିକ ଜିନିଷ ମିଶି ନ ଥାଏ। ତେଣୁ ସ୍ବାସ୍ଥ୍ୟ ପାଇଁ ଏହା ଉପକାରୀ। ଏପରିକି ଆୟୁର୍ବେଦିକ ଚିକିତ୍ସାରେ ମଧ୍ୟ ତାଳଗୁଡ଼ର ବ୍ୟବହାର ଉପରେ ପରାମର୍ଶ ଦିଆଯାଇଥାଏ।

ସଂଘର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜ୍ୟରେ ତାଳଗୁଡ଼କୁ ପ୍ରସ୍ତୁତ କରୁଥିବା ଚାଷୀମାନେ କିଭଳି ଉପଯୁକ୍ତ ଢଙ୍ଗରେ ଏହାକୁ ପ୍ରସ୍ତୁତ କରିବେ ସେଥିପାଇଁ ଉଦ୍ୟମ କରାଯିବ। ରାଜ୍ୟରେ ତାଳଗୁଡ଼ର ୪ଟି ବିକ୍ରି ପଏଣ୍ଟ ରହିଛି। ଖଣ୍ଡଗିରି, ୟୁନିଟ-୨, କଟକ ଓ ସାଲେପୁରସ୍ଥିତ ବହୁଗ୍ରାମରେ ତାଳଗୁଡ଼ ବିକ୍ରି ହେଉଛି। ଏହାସହ ରାଜ୍ୟବ୍ୟାପୀ ହେଉଥିବା ବିଭିନ୍ନ ପ୍ରଦର୍ଶନୀରେ ଏହାକୁ ବିକ୍ରି କରାଯାଉଛି। ତାଳଗୁଡ଼ ବିଶେଷକରି ଡିସେମ୍ବରରୁ ମାର୍ଚ ମାସ ମଧ୍ୟରେ ତିଆରି ହୋଇଥାଏ। ଚାଷୀମାନେ ଜାଳେଣି କାଠ ଜରିଆରେ ଏହାକୁ ପ୍ରସ୍ତୁତ କରୁଛନ୍ତି। ବିନା ଜାଳେଣିକାଠ‌ରେ ଏହାକୁ କିଭଳି ପ୍ରସ୍ତୁତ କରାଯିବ ଓ ଯେଉଁ ଢଙ୍ଗରେ ଏହାକୁ ପ୍ରସ୍ତୁତ କରୁଛନ୍ତି ତାହାକୁ ପରିବର୍ତନ କରାଯିବ। ଯାହାଫଳରେ ଚାଷୀମାନଙ୍କ ଉତ୍ପାଦନ କ୍ଷମତା ବଢ଼ିପାରିବ। ଜିଆଇ ମାନ୍ୟତା ପାଇଁ ସିଟିଟିସି ବୈଷୟିକ ସହାୟତା ପ୍ରଦାନ କରିବ। ଏଥିପାଇଁ ନିକଟରେ ସିଟିଟିସି ସହିତ ଆଲୋଚନା ହୋଇଛି। ଆଗାମୀ ଦିନରେ ଏଥିପାଇଁ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହେବ ବୋଲି ଅଧିକାରୀ କହିଛନ୍ତି।

ଅପରପକ୍ଷରେ ତାଳଗୁଡ଼ ବ୍ୟତୀତ କୋରାପୁଟରେ ପ୍ରସ୍ତୁତ ହେଉଥିବା ଡଙ୍ଗରିଆ ସାଲ ଓ ରାୟଗାଡ଼ରେ ମିଳୁଥିବା ସଉରା ପେଣ୍ଟିଂକୁ ମଧ୍ୟ ଜିଆଇ ମାନ୍ୟତା ଦେବା ଉପରେ ଯୋଜନା ହୋଇଛି। ଏଥିପାଇଁ ଏସ୍‌ସି/ଏସ୍‌ଟି ବିଭାଗ ସହିତ ଆଲୋଚନା ହୋଇଛି। ତେବେ ଏହାର ସଂପୂର୍ଣ୍ଣ ରୂପରେଖ ପ୍ରସ୍ତୁତ ହୋଇ ନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର