ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ୍‌ ନିଷିଦ୍ଧ

ପ୍ରଥମ ପର୍ଯ୍ୟାୟରେ ୬ ସହର ସାମିଲ ହେବ, ଦୁଇ ବର୍ଷରେ ସାରା ଓଡ଼ିଶା ହେବ ପ୍ଲାଷ୍ଟିକ୍‌ମୁକ୍ତ

ଭୁବନେଶ୍ୱର: ରାଜ୍ୟରେ ପ୍ଲାଷ୍ଟିକ୍‌ ବ୍ୟବହାର ନିଷିଦ୍ଧ ହେବ। ଆସନ୍ତା ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୫ଟି ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ସମେତ ପୁରୀ ସହରରେ ପ୍ଲାଷ୍ଟିକ୍‌ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଆଗାମୀ ଦୁଇ ବର୍ଷ ମଧ୍ୟରେ ସାରା ଓଡ଼ିଶା ‘ପ୍ଲାଷ୍ଟିକ୍‌ ମୁକ୍ତ’ ହେବ। ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।।

ଏହି ଅବସରରେ ସଚେତନତା ବାର୍ତା ଦେଇ ମୁଖ୍ୟମନ୍ତ୍ରୀ କହିିଲେ, ପ୍ଲାଷ୍ଟିକ୍‌ ଆମ ପରିବେଶ ପାଇଁ ବିପଦ। ଏହା ଆମ ପିଲାଙ୍କ ଭବିଷ୍ୟତ ଓ ସଭ୍ୟତା ପାଇଁ ବଡ଼ ବିପଦ। ତେଣୁ ରାଜ୍ୟରେ ପ୍ଲାଷ୍ଟିକ୍‌ ବ୍ୟାଗ, ପଲିଥିନ୍‌ ଓ ଥରେ ବ୍ୟବହୃତ ପ୍ଲାଷ୍ଟିକ୍‌ ସାମଗ୍ରୀକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ। ସହରାଞ୍ଚଳରେ ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ସହ ଗ୍ରାମାଞ୍ଚଳ ପାଇଁ ପଞ୍ଚାୟତିରାଜ ବିଭାଗକୁ ଏହି ଦାୟିତ୍ୱ ଦିଆଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗ ସାରା ରାଜ୍ୟରେ ପ୍ଲାଷ୍ଟିକ୍‌ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟ ତଦାରଖ କରିବ। ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ଗଛ ଆମ ସଂସ୍କୃତି ସହିତ ଯୋଡ଼ି ହୋଇ ରହିଛି। ଜୀବଜଗତ ପାଇଁ ଗଛର ଗୁରୁତ୍ୱ ବିଷୟରେ ସମସ୍ତେ ଜାଣନ୍ତି। ତେଣୁ ଚଳିତ ବର୍ଷା ଋତୁରେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ନିଜ ପରିବାର ପରି ତା’ର ଯତ୍ନ ନିଅନ୍ତୁ। ଗଛ ରହିଲେ ପରିବେଶ ଭଲ ରହିବ ଓ ସମସ୍ତେ ସୁସ୍ଥ ରହିବେ। ଗତ କିଛି ବର୍ଷ ହେଲା ରାଜ୍ୟରେ ଜଙ୍ଗଲ ପରିମାଣ ବୃଦ୍ଧି ପାଇଁ ଜାତୀୟ ହାର ଠାରୁ ଆଗରେ ଅଛି। ଏ ଦିଗରେ ଜନସାଧାରଣଙ୍କ ସହଯୋଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ପ୍ଲାଷ୍ଟିକ୍‌ କଟକଣାକୁ ସାରା ରାଜ୍ୟରେ ସଫଳ କରିବା ପାଇଁ ଶ୍ରୀ ପଟ୍ଟନାୟକ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।

ସୂଚନାଯୋଗ୍ୟ ଯେ ପ୍ରତି ସପ୍ତାହରେ ଚାଲିଥିବା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମର ପ୍ରାରମ୍ଭରେ ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭାଗ ନେଇଥିବା ପଞ୍ଚାୟତ ଓ ଜନସାଧାରଣଙ୍କ ସହ ବିଭିନ୍ନ ସାମାଜିକ ସମସ୍ୟା ଉପରେ ଆଲୋଚନା କରୁଛନ୍ତି। ଗତ ସପ୍ତାହରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର