ପିଏଲ୍‌ଏଫ୍‌ଆଇ ନେତାଙ୍କ ସମ୍ପତ୍ତି ବାଜ୍ୟାପ୍ତି ହେବ : ତାଲିକାରେ ଦୀନେଶ, ଜିତେନ ଓ ତିଲେଶ୍ୱର

ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଆତଙ୍କ ସୃଷ୍ଟି କରିଥିବା ପିପୁଲ୍‌ସ ଲିବରେସନ୍‌ ଫ୍ରଣ୍ଟ ଅଫ୍‌  ଇଣ୍ଡିଆ (ପିଏଲ୍‌ଏଫଆଇ) ଗୋଷ୍ଠୀଙ୍କ ବିରୋଧରେ ଝାଡ଼ଖଣ୍ଡ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଜୋରଦାର କରିଛି। ସେମାନଙ୍କ ଦ୍ୱାରା ଠୁଳ ହୋଇଥିବା ବେହିସାବ ସମ୍ପତ୍ତିକୁ ବାଜ୍ୟାପ୍ତି କରିବା ପାଇଁ ଇତିମଧ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଉଭୟ ଓଡ଼ିଶା ଓ  ଝାଡ଼ଖଣ୍ଡ ପୁଲିସର ମୋଷ୍ଟ ଓ୍ଵାଣ୍ଟେଡ୍‌ ତାଲିକାରେ ଥିବା ପିଏଲ୍‌ଏଫଆଇ ସୁପ୍ରିମୋ ଦିନେଶ ଗୋପ, ଜୋନାଲ କମାଣ୍ଡର ଜିତେନ ଗୁଡ଼ିଆ ଓ ତିଲେଶ୍ୱର ଗୋପଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ତ୍ୱରାନ୍ଵିତ କରିବାକୁ ସରକାର ଖୁଣ୍ଟି ଏସ୍‌ପି ଅଶ୍ୱିନୀ କୁମାର ତୋରପା ଓ ଖୁଣ୍ଟି ଏସ୍‌ଡିପିଓଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ତିନି ଦୁର୍ଦ୍ଦାନ୍ତ ପିଏଲ୍‌ଏଫଆଇ ସଦସ୍ୟଙ୍କ ଅପରାଧ ତାଲିକା ଦାଖଲ କରିବାକୁ ସ୍ଥାନୀୟ ଏସ୍‌ଡିପିଓମାନଙ୍କୁ କୁହାଯାଇଛି।

ଆଜି ଖୁଣ୍ଟିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଅପରାଧିକ ସମୀକ୍ଷା ବୈଠକରେ ଏସ୍‌ପି ଶ୍ରୀ କୁମାର ଏହି ସୂଚନା ଦେଇଛନ୍ତି। ମାଓବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କ ବେହିସାବ ସମ୍ପତ୍ତି ଠାବ କରିବାକୁ ମଧ୍ୟ ଥାନା ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସକୁ ମିଳିଥିବା ସୂଚନା ଅନୁଯାୟୀ ଦିନେଶ ଗୋପର ରାଞ୍ଚିରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି। ଏହା ବ୍ୟତୀତ ସ୍କୋର୍ପିଓ, ସେଣ୍ଟ୍ରୋ କାର୍‌, ମାରୁତି ସୁଇଫ୍ଟ ଡିଜାୟାର କାର୍‌, ଜେସିବି ମେଶିନ୍‌, ଆପାର୍ଟମେଣ୍ଟ ସହ କରା ଥାନା ଅନ୍ତର୍ଗତ ବିରଦା ଗାଁରେ ଏସ୍‌ଏସ୍‌କେସି ମିକ୍ସିଂ ପ୍ଲାଣ୍ଟ ଆଦି ରହିଛି। ଏସବୁ ସମ୍ପତ୍ତି ସେ ଚାନ୍ଦା ଜୁଲୁମରେ ଅର୍ଜନ କରିଥିବା ପୁଲିସ ଜାଣିପାରିଛି। ଦିନେଶର  ଘନିଷ୍ଠ ସହଯୋଗୀ ଜୋନାଲ କମାଣ୍ଡର ଜିତେନ୍‌ ଓ ତିଲେଶ୍ୱର ମଧ୍ୟ ବିପୁଳ ସମ୍ପତ୍ତି ଠୁଳ କରିଥିବା ପୁଲିସ୍‌ ସୂଚନା ପାଇଛି।

ଦିନେଶ ସମୟ-ସୁଯୋଗ ଦେଖି ସୁନ୍ଦରଗଡ଼ ପୁଲିସ  ଜିଲ୍ଲାର ହାତୀବାରି, ବୀରମିତ୍ରପୁର, ରାଇବୋଗା, ରାଜଗାଙ୍ଗପୁର, କୁତ୍ରା, ବଡଗାଁ ଓ ତଲସରା ଆଦି ଅଞ୍ଚଳରେ ପିଏଲ୍‌ଏଫଆଇ କାର୍ଯ୍ୟକଳାପ ଚଳାଇଛି। ରାଉରକେଲା ପୁଲିସ ଜିଲ୍ଲାର ବିଶ୍ରା, ଗୁରୁଣ୍ଡିଆ, ବ୍ରାହ୍ମଣୀତରଙ୍ଗ, ଚାନ୍ଦିପୋଷ, ଲାଠିକଟା ଆଦି ଅଞ୍ଚଳରେ ସଙ୍ଗଠନ ମଜବୁତ  କରିବାକୁ ଅନେକ କ୍ୟାମ୍ପ କରୁଛି। ସଙ୍ଗଠନକୁ ମଜବୁତ କରିବାକୁ ଆବଶ୍ୟକ ଅର୍ଥ ଯୋଗାଡ ପାଇଁ ସେମାନେ ବିଶେଷ କରି ବଡ ବଡ ବ୍ୟବସାୟୀ, ଖଣି ମାଲିକ, କ୍ରସର ଓ ଇଟା ଭାଟି ମାଲିକଙ୍କ ଠାରୁ ମୋଟା ଅଙ୍କର ଲେଭି ଆଦାୟ କରୁଛନ୍ତି। ଠିକାଦାର, ବସ୍‌ ଅପରେଟର୍ସ, ସରକାରୀ ଅଧିକାରୀ ଏପରିକି ଦୋକାନୀଙ୍କୁ ଧମକ ଚମକ ଦେଇ ସେମାନେ ଚାନ୍ଦା ଆଦାୟ କରୁଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ସକ୍ରିୟ ସଶସ୍ତ୍ର ନକ୍ସଲ  ଏବଂ ପିଏଲ୍‌ଏଫଆଇ  କ୍ୟାଡ଼ର୍‌ଙ୍କ ଉପଦ୍ରବ ରୋକିବାକୁ ଝାଡ଼ଖଣ୍ଡର ସିମ୍‌ଡେଗା, ଗୁମ୍‌ଲା ଓ ସୁନ୍ଦରଗଡ଼ ଏସ୍‌ପିଙ୍କ ମଧ୍ୟରେ ସମନ୍ଵୟ ବୈଠକ ସିମ୍‌ଡେଗାରେ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର