ଯୁକ୍ତ ୨ ପରୀକ୍ଷାର ସୁରକ୍ଷା ନେଇ ତତ୍ପରତା : ୨୪ ତାରିଖଠାରୁ କଲେଜରେ ମିଳିବ ଆଡମିଟ୍‌ କାର୍ଡ

ଭୁବନେଶ୍ବର : ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ୨ ପରୀକ୍ଷାର ସୁରକ୍ଷା ନେଇ ତତ୍ପରତା ପ୍ରକାଶ ପାଇଛି। ପ୍ରଶ୍ନପତ୍ର ଭାଇରାଲ୍‌ ପରି ଘଟଣା ଯେପରି ଯୁକ୍ତ୨ରେ ନହୁଏ ସେଥିପାଇଁ କଡ଼ା ପଦକ୍ଷେପ ନିଆଯାଇଛି। ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ବାରଣ କରାଯିବ। ସୁପରିଟେଣ୍ତେଣ୍ଟ କିମ୍ବା ପରୀକ୍ଷା କେନ୍ଦ୍ରର କୌଣସି ବି କର୍ମଚାରୀ ଯେପରି ମୋବାଇଲ୍‌ ବ୍ୟବହାର ନ କରନ୍ତି ସେଥିପାଇଁ କଡ଼ା ନିୟମ ହୋଇଛି। ଗତବର୍ଷ କେନ୍ଦ୍ର ସୁପରିଟେଣ୍ତେଣ୍ଟଙ୍କ ନିକଟରେ ସମସ୍ତ ପରୀକ୍ଷକ, କର୍ମଚାରୀଙ୍କ ମୋବାଇଲ୍‌ ରହୁଥିଲା। ଏଥର କିନ୍ତୁ ସେଭଳି ହେବନି। ପରୀକ୍ଷା କେନ୍ଦ୍ର ପ୍ରବେଶ ପଥରେ ଜଣେ କର୍ମଚାରୀ ରହିବେ। ତାଙ୍କ ପାଖରେ ସମସ୍ତଙ୍କ ମୋବାଇଲ୍‌ ରହିବ। ସମ୍ପୃକ୍ତ କର୍ମଚାରୀ ଜଣକ କେବଳ ମୋବାଇଲ୍‌ ଜଗିବେ।

କେବଳ ମୋବାଇଲ୍‌ ବାରଣ ହେବ ତାହା ନୁହେଁ। ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ। ଏହାର ଠିକ୍‌ ୩୦ ମିନିଟ୍‌ ପୂର୍ବରୁ ପ୍ରଶ୍ନପତ୍ର ଖୋଲାଯିବ। କେନ୍ଦ୍ରର ସୁପରିଟେଣ୍ତେଣ୍ଟ, ଡେପୁଟି ସୁପରିଟେଣ୍ତେଣ୍ଟ, ପରୀକ୍ଷକ, ପ୍ରଶାସନର ପ୍ରତିନିଧି, ହବ୍‌ରୁ ଯାଇଥିବା ଅବଜରଭରଙ୍କ ଉପସ୍ଥିତରେ ପ୍ରଶ୍ନପତ୍ର ଖୋଲିବ। ପ୍ରଶ୍ନପତ୍ର ଖୋଲିବା ସ୍ଥାନରେ ସିସିଟିଭିକୁ ବାଧ୍ୟତାମୂଳକ କରାଯାଇଛି। ଏଥର ରାଜ୍ୟର ୧୦୯୧ଟି କେନ୍ଦ୍ରରେ ଯୁକ୍ତ୨ ପରୀକ୍ଷା ହେବ। ଗତବର୍ଷ ୧୧୦୪ଟି କେନ୍ଦ୍ର ହୋଇଥିଲା। ଏଥର ୧୩ଟି ପରୀକ୍ଷା କେନ୍ଦ୍ରକୁ ବାତିଲ୍‌ କରାଯାଇଛି। ୫ଟି ଘରୋଇ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିକୁ ବ୍ୟବହାର କରି ପରୀକ୍ଷା ଅନୁଷ୍ଠିତ ହେବ। ଭୁବନେଶ୍ବରସ୍ଥିତ କିଟ୍‌, କିସ୍‌, ଆଇଟିଇଆର, ନୀଳାଦ୍ରିବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଓ ବ୍ରହ୍ମପୁରସ୍ଥିତ ନୀଳକଣ୍ଠନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଉପ ପରୀକ୍ଷା କେନ୍ଦ୍ର ହୋଇଛି।

ଅନ୍ୟପକ୍ଷରେ ଜାନୁଆରି ୨୮ରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି କଲେଜଗୁଡ଼ିକୁ ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡ ପଠାଯାଇଛି। ୨୪ ତାରିଖଠାରୁ ଛାତ୍ରଛାତ୍ରୀ ନିଜ ନିଜ କଲେଜରୁ ଆଡମିଟ୍‌ କାର୍ଡ ଗ୍ରହଣ କରିପାରିବେ। ପ୍ରାକ୍ଟିକାଲ ପରୀକ୍ଷା ହେବାକୁ ଥିବା କଲେଜଗୁଡ଼ିକୁ ଆସନ୍ତା ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ମାର୍କ ଫୁଏଲ୍‌ ପଠାଯିବ। ସମସ୍ତ ସେଲ୍ଫ ଫାଇନାନ୍ସି˚ କଲେଜରେ ସିସିଟିଭିକୁ ବାଧ୍ୟତାମୂଳକ କରାଯାଇଛି। ପରୀକ୍ଷା ସରିବା କ୍ଷଣି କଲେଜଗୁଡ଼ିକ ସିସିଟିଭିର ଭିଜୁଆଲ ପରିଷଦ ନିକଟରେ ଦାଖଲ କରିବାକୁ କୁହାଯାଇଥିବା ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ତା କହିଛନ୍ତି।

ସମ୍ବନ୍ଧିତ ଖବର