ଯେତେ ସୃଜନଶୀଳ ହେବ ସେତେ ସଫଳ ହେବ

+୨ କଳା ଓ ବାଣିଜ୍ୟ ଚାମ୍ପିଅନ୍ସ-୨୦୧୯

ଭୁବନେଶ୍ବର : ଅତୀତରେ କେତେ ସଫଳତା ପାଇଥିଲ, ବର୍ତମାନ ଓ ଭବିଷ୍ୟତ ସାଙ୍ଗରେ ତା’ର କିଛି ସମ୍ପର୍କ ନାହିଁ। ବରଂ ପରିବର୍ତିତ ଦୁନିଆରେ ପ୍ରତିଦିନ ଶିଖିବା ଓ ଜାଣିବାର ମନୋବୃତ୍ତି ରଖିବା ଦରକାର। ଜଣେ ଯେତେ ସୃଜନଶୀଳ ହେବ ସେ ସେତେ ସଫଳ ହେବ। ଏବେ ଆମେ ଏକ ଅନିଶ୍ଚିତ ପୃଥିବୀ ମଧ୍ୟରେ ବାସ କରୁଛେ। ସବୁ ଅଟୋମେଟିକ୍‌ ହୋଇଗଲାଣି। କିଛି ବର୍ଷ ପରେ ହୁଏତ ଡାକ୍ତରୀ ପରୀକ୍ଷା ପାଇଁ ଆମକୁ ସିଧା ଯନ୍ତ୍ର ପାଖକୁ ଯିବାକୁ ପଡ଼ିବ। ବିନା ଡ୍ରାଇଭରରେ ଗାଡ଼ି ଚାଲିବ। ତେଣୁ ନୂଆ ଜ୍ଞାନକୌଶଳ ସହ ଖାପଖୁଆଇ ଚାଲିବା ସହ ନିଜକୁ ସେଇ ଢଙ୍ଗରେ ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି କହିଛନ୍ତି ଅତିରିକ୍ତ ପୁଲିସ ମହାନିର୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ। ‘ସମ୍ବାଦ’ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ‘+୨ କଳା ଓ ବାଣିଜ୍ୟ ଚାମ୍ପିୟନ୍‌ସ’ କାର୍ଯ୍ୟକ୍ରମରେ ମେଧାବୀ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଧିତ କରିବା ସହ ଉପଦେଶ ଛଳରେ ମୁଖ୍ୟ ଅତିଥି ଶ୍ରୀ ଷଡ଼ଙ୍ଗୀ କହିଲେ, ଔଦ୍ଧତ୍ୟ ଛାଡ଼ି ନମ୍ର ହୁଅ। ସବୁ‌ବେଳେ ଜାଣିବାର ଅଭ୍ୟାସ ରଖ। ପ୍ରଚୁର ବହି ପଢ଼ ଓ ବହୁତ ଲେଖ। ଟିମ୍‌ ୱାର୍କରେ ବିଶ୍ବାସ ରଖ। କଠିନ ଅଧ୍ୟବସାୟ କର। ଏହା ହିଁ ତୁମକୁ ସଫଳ କରିପାରିବ ବୋଲି ସେ କହିଥିଲେ। ସେ ଏକଥା ବି କହିଥିଲେ, କଳା (ଆର୍ଟ‌୍ସ)ର ଛାତ୍ରଛାତ୍ରୀ ଅଧିକ ସୃଜନଶୀଳ। ଏମାନେ ଚିନ୍ତାଧାରାକୁ ପ୍ରାଞ୍ଜଳ ଓ ପରିପକ୍ବ ଭାବେ ଉପସ୍ଥାପନ କରିପାରନ୍ତି। ବୁଝିପାରନ୍ତି ଓ କହିପାରନ୍ତି ବୋଲି ନେତୃତ୍ବ ନେବାରେ ଏମାନଙ୍କ ସଂଖ୍ୟା ସର୍ବାଧିକ ବୋଲି ସେ କହିଥିଲେ।

ଉଚ୍ଚଶିକ୍ଷା ନିର୍ଦେଶକ ନିରଂଜନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ସଫଳତା ଗୋଟିଏ ଦିନର କଥା ନୁହେଁ। ଏହା ଏକ ଲମ୍ବା ରାସ୍ତା। ତେଣୁ ଏହାକୁ ଅବାରିତ ଭାବେ ଚାଲୁରଖ। ଏଥିପାଇଁ ଜୀବନ ଓ ସମୟର ଗୁରୁତ୍ବକୁ ବୁଝ। ଗୋଟେ ଦିଗରେ ବିଫଳ ହେଲେ ଜୀବନ ସରିଯାଏ ବୋଲି ଭାବିନେବା ଉଚିତ୍‌ ନୁହେଁ। ତୁମ ପାଇଁ ଲକ୍ଷେ କ୍ଷେତ୍ର ରହିଛି। ତେଣୁ ଭାଙ୍ଗି ନପଡ଼ି କଠିନ ପରିଶ୍ରମ ସହ ଜ୍ଞାନର ଉଚିତ୍‌ ପ୍ରୟୋଗ କରିଚାଲ। ସମୟକୁ ବୁଝି ତାକୁ ନିୟନ୍ତ୍ରଣ କରିବାର କଳା ଜାଣ।

ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଅଧ୍ୟକ୍ଷତା କରି କହିଲେ, ଡିଗ୍ରି ସହ ବୃତ୍ତିର କୌଣସି ସମ୍ପର୍କ ନଥାଏ। ଶିକ୍ଷା କେବଳ ଚିନ୍ତା କରିବାର ସାମର୍ଥ୍ୟ ଓ କୌଶଳ ‌ବତାଏ। ତେଣୁ ଚାକିରି ପଛରେ ନଗୋଡ଼େଇ ଚାକିରି କ୍ଷେତ୍ର କିଭଳି ତୁମକୁ ଲୋଡ଼ିବ ସେଇ ଅନୁଯାୟୀ ନିଜକୁ ପ୍ରସ୍ତୁତ କର। ଈଶ୍ବରଙ୍କ ପ୍ରତିନିଧି ବାପା ଓ ମା’ଙ୍କ ପ୍ରତି ସବୁବେଳେ କୃତଜ୍ଞ ରୁହ। ୧୮ ବର୍ଷ ଟପିଲେ ରକ୍ତଦାନରେ ସାମିଲ୍‌‌ ହୋଇ ରକ୍ତଦେଇ ଅନ୍ୟର ଜୀବନ ବଞ୍ଚାଇବାରେ ସହାୟକ ହୁଅ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ଅବସରରେ ଉଭୟ +୨ କଳା ଓ ବାଣିଜ୍ୟ ବିଭାଗରେ ରାଜ୍ୟର ୧୦୦ ଜଣଙ୍କ ମଧ୍ୟରେ ଥିବା ‌ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଡାଲ୍‌ ଓ ମାନପତ୍ର ଦେଇ ଅତିଥିମାନେ ସମ୍ବର୍ଧିତ କରିଥିଲେ। ‘ସମ୍ବାଦ’ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ବକ୍ତବ୍ୟ ରଖି କହିଲେ, ଯେଉଁ କ୍ଷେତ୍ରରେ ମଜଭୁତ ସେଇ ‌କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ଆଗେଇଲେ ସଫଳ ହୋଇପାରିବେ। ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ବକ୍ତବ୍ୟ ରଖିଥିଲେ। ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତା) ଅରବିନ୍ଦ ଦାସ ସ୍ବାଗତ ଭାଷଣ ଦେଇଥିଲେ। ‘ସମ୍ବାଦ’ର ଉପ ମହାପ୍ରବନ୍ଧକ ଭବାନୀ ଶଙ୍କର ତ୍ରିପାଠୀ ଅତିଥିଙ୍କୁ ସ୍ବାଗତ କରିଥିଲେ। ଚିଫ୍‌ ରିପୋର୍ଟର ଚୌଧୁରୀ ଅମିତାଭ ଦାସ ସମ୍ବର୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର