ଯୁକ୍ତ୨ କଳା ଓ ବାଣିଜ୍ୟ ପରୀକ୍ଷାକୁ ୮୦ ଦିନ ବିତିଲାଣି, ଫଳ ପ୍ରକାଶନରେ ବି ପକ୍ଷପାତ?

ଜୁନ୍‌ ୨୦ରୁ ୨୨ ମଧ୍ୟରେ ପ୍ରକାଶ ପାଇବ, ମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବାହାରିଲାନି ଫଳ

ଭୁବନେଶ୍ବର: ଏକା ସମୟରେ ପରୀକ୍ଷା ଦେଲେ ୪ ଲକ୍ଷ ଛାତ୍ରଛାତ୍ରୀ। ଆଗପଛ ହୋଇ ମାର୍ଚ୍ଚ ୭ରୁ ୩୦ ମଧ୍ୟରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ସରିଲା। ‌ ପରୀକ୍ଷା ଫଳ ବାହାରିଲା ବେଳକୁ ସବୁ କିଛି ଓଲଟପାଲଟ। ପରୀକ୍ଷା ସରିବାର ୬୩ ଦିନ ପରେ ବାହାରିଲା ବିଜ୍ଞାନ ବିଭାଗ ଫଳ। କିନ୍ତୁ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ଫଳ ପ୍ରକାଶ କରାଯାଉ ନାହିଁ। ଏକାଥରେ ପରୀକ୍ଷା ଦେଇଥିଲେ ମଧ୍ୟ ଉକ୍ତ ତିନି ବିଭାଗର ପରୀକ୍ଷା ଫଳ କେବେ ବାହାରିବ? କାହିଁକି ବିଳମ୍ବ ହେଉଛି? ‌କିଛି ତ୍ରୁଟି ହୋଇଛି କି? ଏହାକୁ ନେଇ ଆଶା‌ଆଶଙ୍କାରେ ଦିନ କାଟୁଛନ୍ତି ୩ ଲକ୍ଷ ପରୀକ୍ଷାର୍ଥୀ। କର୍ତୃପକ୍ଷଙ୍କ ଜବାବ ବି ସେମାନଙ୍କୁ ସନ୍ତୁଷ୍ଟ କରିପାରୁନାହିଁ। କଳା ଓ ବାଣିଜ୍ୟକୁ କାହିଁକି େଛାଟ ନଜରରେ େଦଖାଯାଉଛି, ସେ େନଇ ପ୍ରଶ୍ନ ଉଠିଲାଣି।  ଇତିମଧ୍ୟରେ ପରୀକ୍ଷାକୁ ୮୦ ଦିନ ବିତିଯାଇଥିଲେ ମଧ୍ୟ ଫଳ କେବେ ବାହାରିବ, ସେ ନେଇ କେହି ବି ସ୍ପଷ୍ଟ କହିପାରୁ ନାହାନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ, ଜୁନ୍‌ ୧୭ କିମ୍ବା ୧୮ରେ ଫଳ ପ୍ରକାଶ କରାଯିବ। ୧୮ ତାରିଖ ଡେଇଁଗଲା। ପରୀକ୍ଷା ଫଳ ପ୍ରକାଶ ପା‌ଇଲା ନାହିଁ। ଏବେ ମନ୍ତ୍ରୀ କିମ୍ବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ତାରିଖ ସ୍ପଷ୍ଟ କରାଯାଇ ନାହିଁ।
ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରସନ୍ନ କୁମାର ଦାସ କହିଛନ୍ତି ଯେ ଚଳିତ ସପ୍ତାହରେ ହିଁ ଫଳ ପ୍ରକାଶ ପାଇବ। କିନ୍ତୁ ନିର୍ଦ୍ଧାରିତ ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନି। ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପ୍ରୋସେସିଂ ଇତି ମଧ୍ୟରେ ଶେଷ ହୋଇଛି। କଳା ବିଭାଗରେ ୨ ଲକ୍ଷ ୩୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାରୁ ପ୍ରୋସେସିଂରେ ସାମାନ୍ୟ ବିଳମ୍ବ ହେଉଛି। ଦୁଇରୁ ତିନି ଦିନ ମଧ୍ୟରେ ସମସ୍ତ ବିଭାଗର ପ୍ରୋସେସିଂ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ବଡ଼ କଥା ହେଲା ଯେ ପରୀକ୍ଷା ଫଳ ପ୍ରକାଶ ତାରିଖକୁ ନେଇ ପରିଷଦର ଅଧିକାରୀ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶଙ୍କ କଥାରେ ତାଳମେଳ ରହୁ ନଥିବା ଦେଖିବାକୁ ମିଳୁଛି। ପରିଷଦ ପକ୍ଷରୁ ଜୁନ୍‌ ଦ୍ବିତୀୟ ସପ୍ତାହରେ କୁହାଯାଇଥିଲା ଯେ ତୃତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ। କିନ୍ତୁ ମନ୍ତ୍ରୀ ଶ୍ରୀ ଦାଶ ଏକ ନିର୍ଦ୍ଦିଷ୍ଟ ତାରିଖ (ଜୁନ୍‌ ୧୭ ଓ ୧୮)ରେ ଫଳ ପ୍ରକାଶ ପାଇବ ବୋଲି କହିଥିଲେ। ନୂଆ କରି ମନ୍ତ୍ରୀ ଦାୟିତ୍ବ ନେଇଥିବା ଶ୍ରୀ ଦାଶଙ୍କ ମୁହଁରେ ଅଧିକାରୀମାନେ ମିଛ କୁହାଇଲେ କାହିଁକି? ଗତ ତିନି ବର୍ଷର ତଥ୍ୟକୁ ଦେଖିଲେ, ଏଥର ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ହୋଇଛି। ୨୦୧୬ ଓ ୨୦୧୭ରେ ଜୁନ୍‌ ପ୍ରଥମ ସପ୍ତାହରେ ଉକ୍ତ ତିନୋଟି ବିଷୟର ପରୀକ୍ଷା‌ ଫଳ ପ୍ରକାଶ ପାଇଥିଲା। ଗତବର୍ଷ ଜୁନ୍‌ ଦ୍ବିତୀୟ ସପ୍ତାହ(ଜୁନ୍‌ ୯)ରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଫଳ ବାହାରିଥିଲା। ଏଥର ଆହୁରି ୧୨ ଦିନ ବିଳମ୍ବ ହେଲାଣି। ଫଳ ପ୍ରକାଶରେ ବିଳମ୍ବ ହେଉଥିବାରୁ ଉଚ୍ଚଶିକ୍ଷା ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ଆବେଦନ ଆରମ୍ଭ ହୋଇଯାଇଥିବାରୁ ଓଡ଼ିଶାର ପିଲାମାନେ ପଛରେ ପଡ଼ି ଯିବାର ସନ୍ଦେହ ସୃଷ୍ଟି ହେଲାଣି। ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଦୁଇଟି କାରଣ ଲାଗି ପରୀକ୍ଷା ଫଳ ବିଳମ୍ବ ହୋଇଛି। ଖାତା ମୂଲ୍ୟାୟନ ସମୟରେ ସାଧାରଣ ନିର୍ବାଚନ ହୋଇଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା। ଏଭଳି ସମସ୍ୟାରୁ ମକୁଳିବାର କିଛି ଦିନ ପରେ ବାତ୍ୟା ଦ୍ବାରା ୪ଟି ଜିଲ୍ଲାରେ ଖାତା ଦେଖା ପ୍ରଭାବିତ ହୋଇଥିଲା। ବିଜ୍ଞାନ ବିଭାଗରେ ପାସ୍‌ କରିଥିବା ପରୀକ୍ଷାର୍ଥୀଙ୍କର ସାର୍ଟିଫିକେଟ୍‌ ଆବଶ୍ୟକତା ବହୁତ ରହିଛି। ତେଣୁ ଫଳ ପ୍ରକାଶର ୧୫ଦିନ ମଧ୍ୟରେ ସେମାନଙ୍କୁ ସାର୍ଟିଫିକେଟ୍‌ ଦିଆଯାଇଛି। ତେଣୁ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଫଳ ବିଳମ୍ବ ହୋଇଛି। ତଥାପି ଜୁନ୍‌ ୨୦ରୁ ୨୨ ମଧ୍ୟରେ ଫଳ ପ୍ରକାଶ କରାଯିବ।

ସମ୍ବନ୍ଧିତ ଖବର