ରଜ ପରେ ଯୁକ୍ତ୨ କଳା ଓ ବାଣିଜ୍ୟ ରେଜଲ୍ଟ :ମନ୍ତ୍ରୀ

ଭୁବ‌ନେଶ୍ବର : ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଫଳ ଜୁନ୍‌ ୧୬ ଅର୍ଥାତ୍‌ ରଜ ପରେ ପ୍ରକାଶ ପାଇବ। ଜୁନ୍‌ ୧୭ କିମ୍ବା ୧୮ ତାରିଖ ବେଳକୁ ଫଳ ବାହାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ସୂଚନା ଦେଇଛନ୍ତି। ତେବେ ମନ୍ତ୍ରୀ ଶ୍ରୀ ଦାଶ ଦେଇଥିବା ସମୟସୀମା ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଆଶଙ୍କା ଦେଖାଦେଇଛି।

ନିର୍ଭରଯୋଗ୍ୟ ସୂତ୍ର ଅନୁଯାୟୀ, ଆସନ୍ତା ୫ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରିବା ସମ୍ଭବପର ହେବ ନାହିଁ। ୪ ହଜାରରୁ ଅଧିକ ପିଲାଙ୍କ ଉତ୍ତର ଖାତାରେ ତ୍ରୁଟି ପରିଲକ୍ଷିତ ହୋଇଛି। କାହାର ମୋଟ୍‌ ମାର୍କ ମେଳ ଖାଉନି ତ ଆଉ ‌କାହାର ‌ରୋଲ ନମ୍ବରରେ ଭୁଲ୍‌ ରହିଛି। ସେଗୁଡ଼ିକୁ ଠିକ୍‌ କରିବା ଏବେ କାଠିକର ହେଲାଣି। ସେଗୁଡ଼ିକୁ ଠିକ୍‌ କରିବାକୁ ଆହୁରି ୩ ଦିନ ସମୟ ଲାଗିବ। ଏହାପରେ ଫର୍ମରେ ମାର୍କ ଓ ରେଜଲ୍ଟ ପ୍ରସ୍ତୁତ କରିବା ଲାଗି ଅତି କମ୍‌ରେ ୪ଦିନ ସମୟ ଲାଗିଯିବ। ତେଣୁ ଉକ୍ତ ତିନି ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଲା ବେଳକୁ ଜୁନ୍‌ ୨୦ ତାରିଖ ହୋଇଯିବ।

ସୂଚନାଯୋଗ୍ୟ, ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଜୁନ୍ ୩ ତାରିଖରେ ପ୍ରକାଶ ପାଇସାରିଛି। ମୋଟ୍‌ ୯୭, ୭୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୦, ୭୦୬ଜଣ ପାସ୍ କରିଥିଲେ। ସେମାନଙ୍କ ମଧ୍ୟରୁ ୨୦ ହଜାର ୮୦୬ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୨୩, ୯୦୪ ଜଣ ଦ୍ବିତୀୟ ଓ ୨୫, ୩୬୦ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଥିଲେ। ଗତବର୍ଷ ଅପେକ୍ଷା ଏବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପାସ୍‌ ହାର କମିଛି।

ସମ୍ବନ୍ଧିତ ଖବର