ଯୁକ୍ତ୨ ପରୀକ୍ଷା : ୧୦ କିମି ଭିତରେ ପରୀକ୍ଷା କେନ୍ଦ୍ର

ଚୂଡ଼ାନ୍ତ ହୋଇପାରୁନି ପରୀକ୍ଷା କେନ୍ଦ୍ର ତାଲିକା, ପୁଣି ବସିବ ପରୀକ୍ଷା ପରିଚାଳନା କମିଟି ବୈଠକ

ଭୁବନେଶ୍ବର : ଜାନୁଆରି ୨୮ରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା। ହାତରେ ଆଉ କମ୍‌ ସମୟ ବାକି ଥିବା ବେଳେ ପରୀକ୍ଷା ପରିଚାଳନାକୁ ନେଇ ମାନସମନ୍ଥନ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ପରୀକ୍ଷା ଦେବା ପାଇଁ ୩ ଲକ୍ଷ ୬୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। କଳା ବିଭାଗରେ ସବୁଠାରୁ ଅଧିକ ଛାତ୍ରଛାତ୍ରୀ ରହିଥିବା ବେଳେ ବିଜ୍ଞାନ ବିଭାଗରେ ପ୍ରାୟ ୮୮ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏଥର ଥିଓରି ପରୀକ୍ଷା ପାଇଁ କେନ୍ଦ୍ରରେ କିଛିଟା ପରିବର୍ତନ କରିବାକୁ ଯୋଜନା ଚାଲିଛି। ଦୁଇ ଦିନ ହେଲା ପରୀକ୍ଷା ପରିଚାଳନା କମିଟିର ଘନଘନ ବୈଠକ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ କେନ୍ଦ୍ର ତାଲିକା ଚୂଡ଼ାନ୍ତ ହୋଇପାରି ନାହିଁ। ୨୦ରୁ ଅଧିକ କଲେଜ ନୂତନ ପରୀକ୍ଷା କେନ୍ଦ୍ର କରିବାକୁ ଆବେଦନ କରିଥିବାରୁ ତାହାର ଭିତ୍ତିଭୂମି ଯାଞ୍ଚ କରିବା ଏବେ ପରିଷଦ ପାଇଁ ବଡ଼ ଆହ୍ବାନ ହୋଇଛି।

ପରୀକ୍ଷା କେନ୍ଦ୍ରର ଦୂରତା ଅଧିକ ରହୁଥିବାରୁ ବିଭିନ୍ନ ସମୟରେ ଅଭିଭାବକ ଓ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସେଥିପାଇଁ ପରୀକ୍ଷା କେନ୍ଦ୍ର ମଧ୍ୟରେ ଦୂରତା ୧୦ କିମି ରଖିବାକୁ ସ୍ଥିର ହୋଇଛି। କୌଣସି ପରୀକ୍ଷା କେନ୍ଦ୍ରର ଦୂରତା ଯେମିତି ଅଧିକ ନ ହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି। ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଯେଉଁଠି ପରୀକ୍ଷା କେନ୍ଦ୍ର ହେବ ତାହା ଚାରିପାଖରେ ପାଚେରି ରହିଥିବ। ସେଠାରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିବେ। ଶୌଚାଳୟ ବ୍ୟବସ୍ଥା ଥିବ। ଶ୍ରେଣୀଗୃହଗୁଡ଼ିକ ଉନ୍ନତମାନର ହୋଇଥିବ। ଚେୟାର, ଟେବୁଲ୍‌ ଆଦି ଠିକ୍‌ ରହିଥିବ। ବାହାର କଲେଜ ଟ୍ୟାଗ୍‌ ହୋଇପାରୁଥିବ ଆଦି ବିଷୟଗୁଡ଼ିକୁ ପ୍ରାଥମିକତା ଦିଆଯାଇଛି। ସେହି ଅନୁଯାୟୀ ଏବେ ସୁଦ୍ଧା ପ୍ରାୟ ୯୬୮ ପରୀକ୍ଷା କେନ୍ଦ୍ର ଚିହ୍ନଟ ହୋଇସାରିଛି। ବାକି ପରୀକ୍ଷା କେନ୍ଦ୍ର ନେଇ ଗତକାଲି ବସିଥିବା ପରୀକ୍ଷା ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି। ତଥାପି କୌଣସି ସୁଫଳ ମିଳିନି। ତେଣୁ ପୁଣିଥରେ ବୈଠକ ଡକାଯାଇ ଏନେଇ ଆଲୋଚନା ହେବ।

ପୂର୍ବବର୍ଷଗୁଡ଼ିକ ପରି ଏଥର ମଧ୍ୟ ଘରୋଇ ଶିକ୍ଷାନୁଷ୍ଠାନ ଭିତ୍ତିଭୂମିରେ ପରୀକ୍ଷା କରାଯିବ। ଭୁବନେଶ୍ବର ସମେତ ବ୍ରହ୍ମପୁର, କଟକ, ବାଲେଶ୍ବର ଏବ˚ ରାଉରକେଲାରେ ଅଧିକ ସଂଖ୍ୟକ ସେଲ୍‌ଫ ଫାଇନାନ୍ସିଂ କଲେଜ ରହିଛି। ତେଣୁ ଉକ୍ତ କଲେଜଗୁଡ଼ିକୁ ନିକଟସ୍ଥ ପରୀକ୍ଷା କେନ୍ଦ୍ର ସହ ଟ୍ୟାଗ୍‌ କରାଯିବ। ଯେଉଁ କଲେଜରେ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି ସେଠାରେ ଅଧିକ ସେଲ୍‌ଫ ଫାଇନାନ୍ସ କଲେଜକୁ ଟ୍ୟାଗ୍‌ କରାଯିବାକୁ ସ୍ଥିର ହୋଇଛି। ଏଥର ମଧ୍ୟ ୨୦୨ ହବ୍‌ ରହିବ। କୌଣସି ପରିବର୍ତ୍ତନ କରାଯିବ ନାହିଁ। ପୂର୍ବଭଳି ହବ୍‌ଗୁଡ଼ିକରେ ଲକର ସିଷ୍ଟମ, ସିସିଟିଭି କ୍ୟାମେରା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ବି କୁହାଯାଇଛି। ଆସନ୍ତା ୨୮ ତାରିଖରୁ ପ୍ରାକ୍ଟିକାଲ ପରୀକ୍ଷା ଥିବାରୁ ୨୫ ତାରିଖ ସୁଦ୍ଧା ପିଲାଙ୍କ ନିକଟରେ ଆଡମିଟ୍‌ କାର୍ଡ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରାକ୍ଟିକାଲ ପରୀକ୍ଷା ଲାଗି ସମସ୍ତ କେନ୍ଦ୍ରକୁ ପ୍ରଶ୍ନପତ୍ର, ଉତ୍ତର ଖାତା, ମାର୍କ ଫଏଲ୍‌, ଏକ୍ସଟରନାଲ୍‌ଙ୍କ ତାଲିକା ୨୨ ତାରିଖଠାରୁ ପଠାଯିବ। ସେଲ୍‌ଫ ଫାଇନାନ୍ସି˚ କଲେଜଗୁଡ଼ିକ ସିସିଟିଭି ଲଗାଇବେ। ପରୀକ୍ଷାର ସମସ୍ତ ପ୍ରକ୍ରିୟାର ରେକର୍ଡିଂ କରାଯିବ। କଲେଜ କର୍ତ୍ତୃପକ୍ଷ ଭିଜୁଆଲ୍‌ଗୁଡ଼ିକୁ ପରିଷଦକୁ ପଠାଇବେ। ଯେଉଁ କଲେଜ ନାଁରେ ପରବର୍ତୀ ସମୟରେ ଅଭିଯୋଗ ଆସିବ ତାହାର ସିସିଟିଭି ଯାଞ୍ଚ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ପ୍ରାକ୍ଟିକାଲ ପରୀକ୍ଷା ପୂର୍ବରୁ ସମସ୍ତ କେନ୍ଦ୍ରରେ ସିସିଟିଭି ଲାଗିପାରିବ ନାହିଁ। ତେଣୁ ଥିଓରି ପରୀକ୍ଷାକୁ ଦୃଷ୍ଟି‌ରେ ରଖି ସମୟ ସୀମା ବଢ଼ାଇବାକୁ ପରୀକ୍ଷା ପରିଚାଳନା କମିଟି ବୈଠକରେ ଏକପ୍ରକାର ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର