ନିର୍ଦ୍ଧାରିତ ସମୟରେ ଯୁକ୍ତ୨ ଖାତା ଦେଖା ସାରିବାକୁ ତତ୍ପରତା, ଦୁଇଟି ସିଟିଂରେ ଆରମ୍ଭ ହେଲା ଇ-ମୂଲ୍ୟାୟନ
ଭୁବନେଶ୍ବର : ସାଧାରଣ ନିର୍ବାଚନର ପ୍ରଭାବ ସିଧାସଳଖ ଯୁକ୍ତ୨ ଖାତା ମୂଲ୍ୟାୟନ ଉପରେ ପଡ଼ିଛି। ଖାତା ମୂଲ୍ୟାୟନ ଲାଗି ଅଧ୍ୟାପକଙ୍କ ଅଭାବ ଏବେ ସମସ୍ୟା ଭାବେ ଉଭା ହୋଇଛି। ୧୦ ଦିନ ହେଲା ଖାତା ଦେଖା ଚାଲିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ବି ମୂଲ୍ୟାୟନ କେନ୍ଦ୍ରରେ ଶତ ପ୍ରତିଶତ ଉପସ୍ଥାନ ହୋଇପାରିନି। ଅଧ୍ୟାପକମାନେ ନିର୍ବାଚନରେ ଭାଗ ନେଉଥିବାରୁ ନିର୍ଦ୍ଧାରିତ ସମୟରେ ମୂଲ୍ୟାୟନ କେନ୍ଦ୍ରକୁ ଆସି ପାରୁ ନଥିବା ଜଣାପଡ଼ିଛି। ମାନୁଆଲ ମୂଲ୍ୟାୟନ ସ୍ବାଭାବିକ ଭାବେ ଚାଲିଥିବା ବେଳେ ଇ-ମୂଲ୍ୟାୟନ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଏବେ ସୁଦ୍ଧା ଯେତିକି ଖାତା ଦେଖାଯିବା କଥା, ହୋଇପାରିନି। ତାହାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଛି। ଦୁଇଟି ସିଟିଂରେ ଇ-ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ୪ଟି ମୂଲ୍ୟାୟନ କେନ୍ଦ୍ରରେ ୧୨ ଘଣ୍ଟା ଧରି ଖାତା ଦେଖା ଚାଲିଛି। ଅଧ୍ୟାପକମାନେ ମଧ୍ୟ ସେହି ଅନୁଯାୟୀ ମୂଲ୍ୟାୟନରେ ଭାଗ ନେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ଏବେ ସୁଦ୍ଧା ୪ ଲକ୍ଷରୁ ଅଧିକ ମାନୁଆଲ ଖାତା ମୂଲ୍ୟାୟନ ଶେଷ ହୋଇଛି। ଯେଉଁ ଭଳି ଭାବେ ମୂଲ୍ୟାୟନ ଚାଲିଛି ୨୩ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଶେଷ ହୋଇଯିବ। ଏହାପରେ ଦ୍ବିତୀୟ ପର୍ଯ୍ୟାୟ ଖାତା ଦେଖା ଆରମ୍ଭ ହେବ। ମେ’ ପ୍ରଥମ ସପ୍ତାହ ସୁଦ୍ଧା ମାନୁଆଲ ଖାତା ଦେଖା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଇ-ମୂଲ୍ୟାୟନ ସମସ୍ୟା ସୃଷ୍ଟି କରିଛି। ମୂଲ୍ୟାୟନ ଆରମ୍ଭ ହେବାର ପ୍ରଥମ ୪ ଦିନ ଠିକ୍ ଭାବେ ଚାଲିପାରି ନଥିଲା। ଏବେ କିନ୍ତୁ ଧୀରେ ଧୀରେ ସ୍ବାଭାବିକ ଅବସ୍ଥାକୁ ଫେରିଛି। ସବୁଠି ଖାତା ଦେଖା ସୁରୁଖୁରରେ ହେଉଛି। ତେବେ ଏପ୍ରିଲ ଶେଷ ସୁଦ୍ଧା ଇ-ମୂଲ୍ୟାୟନ ସରିବ ନାହିଁ। ତେଣୁ ଦୁଇଟି ସିଟିଂରେ ଖାତା ମୂଲ୍ୟାୟନ କରିବାକୁ ନିଷ୍ପତ୍ତି ହୋଇଛି। ଅଧ୍ୟାପକମାନେ ୫ରୁ ୬ ଘଣ୍ଟା ଲେଖାଏ ଖାତା ଦେଖୁଛନ୍ତି। ଜଣେ ଅଧ୍ୟାପକ ଦିନକୁ ଶହେ ମାର୍କର ପ୍ରାୟ ୧୫ଟି ଖାତା ଦେଖୁଛନ୍ତି। ୫୦ ଓ ୭୫ ମାର୍କ ବିଶିଷ୍ଟ ଅତି ବେଶିରେ ୨୦ଟି ଉତ୍ତର ଖାତା ଦେଖୁଛନ୍ତି। ଯେଉଁ ୪ଟି ସ୍ଥାନରେ ଦୁଇଟି ସିଟିଂ ହେଉଛି ସେଗୁଡ଼ିକ ହେଲା ବ୍ରହ୍ମପୁର, ବାରିପଦା, କେନ୍ଦ୍ରାପଡ଼ା ଓ କଟକ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୂଲ୍ୟାୟନ କେନ୍ଦ୍ରରେ ଦୁଇଟି ସିଟିଂ କରାଯିବ।
ପରିଷଦର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ମୂଲ୍ୟାୟନ ଠିକ୍ ଭାବେ ଚାଲିଛି। କୌଣସି ଅସୁବିଧା ନାହିଁ। କେବଳ ଯେଉଁ ଅଞ୍ଚଳରେ ନିର୍ବାଚନ ହେଉଛି ସେଠାରେ ସମସ୍ୟା ସୃଷ୍ଟି ହେଉଛି। ନିର୍ବାଚନ ପୂର୍ବରୁ ଅଧ୍ୟାପକମାନେ ତାଲିମ ନେବାକୁ ଯାଉଛନ୍ତି। ନିର୍ବାଚନ ସମୟରେ ୪ ଦିନ ବନ୍ଦ ରହୁଛି। ତାହାର ପ୍ରଭାବ କିଛି ମାତ୍ରାରେ ପଡ଼ୁଛି। ତେବେ ଗତବର୍ଷ ପରି ଏଥର ମଧ୍ୟ ମେ’ ମାସ ତୃତୀୟ ସପ୍ତାହରେ ବାଣିଜ୍ୟ ଓ ବିଜ୍ଞାନ ବିଭାଗ ଖାତା ଏବଂ ଜୁନ୍ ପ୍ରଥମ ସପ୍ତାହରେ କଳା ବିଭାଗ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛୁ।