ଯୁକ୍ତ ଦୁଇ ପରୀକ୍ଷାଫଳ ବିଭ୍ରାଟ : ଛାତ୍ରୀଙ୍କୁ ଅନୁପସ୍ଥିତ ଦର୍ଶାଇ ଫେଲ୍‌

ଚୌଦ୍ୱାର-ଗୁରୁଡିଝାଟିଆ : ଯୁକ୍ତ ଦୁଇ କଳା ପରୀକ୍ଷାଫଳ ପ୍ରକାଶନରେ ବ୍ୟାପକ ବିଭ୍ରାଟ ଏବେ ସାମ୍‌ନାକୁ ଆସିଛି। ପରୀକ୍ଷା ଦେଇଥିବା ଛାତ୍ରୀଙ୍କୁ ଅନୁପସ୍ଥିତ ଦର୍ଶାଇ ଫେଲ୍‌ କରାଯାଇଛି। ହାରାହାରି ଭାବେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରୀଙ୍କ କ୍ଷେତ୍ରରେ ଏଭଳି ଘଟିଥିବାରୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ ଚୌଦ୍ୱାର ମହିଳା ମହାବିଦ୍ୟାଳୟରେ ଚଳିତ ବର୍ଷ ଯୁକ୍ତ ୨ କଳାରେ ୧୧୮ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ହୋମ୍‌ ସାଇନ୍ସ ବିଷୟ ରଖିଥିବା ଅନେକ ଛାତ୍ରୀ ଫେଲ୍‌ ହୋଇଥିବା ଜଣା ପଡ଼ିିଥିଲା। ହୋମ ସାଇନ୍ସ ଥିଓରି ପରୀକ୍ଷା ଦେଇଥିଲେ ବି ପରୀକ୍ଷାରେ ଅନୁପସ୍ଥିତ ଥିବା ମାର୍କସିଟ୍‌ରେ ଉଲ୍ଲେଖ ରହିଥିଲା। ଛାତ୍ରୀ ମମତା ସାହୁ ସବୁ ବିଷୟରେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିଲେ ବି ହୋମ ସାଇନ୍ସ ଥିଓରି ପରୀକ୍ଷାରେ ଅନୁପସ୍ଥିତ ଥିବା ଦର୍ଶାଇ ତାଙ୍କୁ ଫେଲ୍‌- କରାଯାଇଛି। ଅନିତା ସାହୁ, ବିନି ବେହେରା, ତମସିଲ ଗୌସିଆ, ଏସ୍‌ ଗୋଛାୟତଙ୍କ ଭଳି ମେଧାବୀ ଛାତ୍ରୀମାନଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପଟେ ଏ ସମସ୍ତ ଛାତ୍ରୀମାନଙ୍କର ହୋମସାଇନ୍ସ ପ୍ରାକ୍ଟିକାଲ ପରୀକ୍ଷା ନମ୍ବର ମାର୍କସିଟ୍‌ରେ ଦର୍ଶାଯାଇଛି। ଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ କଲେଜ କର୍ତ୍ତୃପକ୍ଷଙ୍କୁ ଏ ସଂପର୍କରେ ପଚାରିଥିଲେ ମଧ୍ୟ କର୍ତ୍ତୃପକ୍ଷ କୌଣସି ସନ୍ତୋଷଜନକ ଉତ୍ତର ଦେଉନଥିବା ଅଭିଯୋଗ ହୋଇଛି। ଫେଲ୍‌ ହୋଇଥିବା ଛାତ୍ରୀମାନେ ହୋମସାଇନ୍ସ ଥିଓରି ପରୀକ୍ଷା ଦେଇଥିବାର ପ୍ରମାଣ ରହିଥିଲେ ବି ମାର୍କସିଟ୍‌ରେ ଅନୁପସ୍ଥିତ ଦର୍ଶାଗଲା କିପରି ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି।

ଏ ସଂପର୍କରେ କଲେଜ ଅଧ୍ୟକ୍ଷା ଦେବୀଅର୍ଚ୍ଚନା ମହାନ୍ତି କହିଛନ୍ତି ଯେ, ସମସ୍ତ ଛାତ୍ରୀ ହୋମ୍‌ ସାଇନ୍ସ ଲିଖିତ ପରୀକ୍ଷା ଦେଇଥିବାର ପ୍ରମାଣ କଲେଜ ରେଜିଷ୍ଟରରେ ରହିଛି। କିନ୍ତୁ କ’ଣ ପାଇଁ ସେମାନଙ୍କ ମାର୍କସିଟ୍‌ରେ ଅନୁପସ୍ଥିତ ଲେଖାଗଲା ସେ ସମ୍ପର୍କରେ ପରୀକ୍ଷା ନିୟନ୍ତ୍ରକଙ୍କୁ ଭେଟି ଲିଖିତ ଭାବେ ଜଣାଇବେ ବୋଲି ଅଧ୍ୟକ୍ଷା କହିଛନ୍ତି। ଆସନ୍ତାକାଲି ଠାରୁ ଯୁକ୍ତ ୩ ନାମଲେଖା ପ୍ରକ୍ରିୟା ଆରମ୍ଭ ହେଉଛି। ଯଦି ଏହି ଛାତ୍ରୀମାନଙ୍କୁ ଠିକ ସମୟରେ ନ୍ୟାୟ ନମିଳେ ତେବେ ସେମାନଙ୍କର ଗୋଟିଏ ବର୍ଷ ନଷ୍ଟ ହୋଇଯିବ ବୋଲି ଛାତ୍ରୀ ଓ ଅଭିଭାବକମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ସମ୍ବଲପୁର : ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ ପ୍ରକାଶନରେ ବିଦ୍ୟାର୍ଥୀଙ୍କ ଜୀବନ ସହିତ ଖେଳ। ସମ୍ବଲପୁର ମହିଳା କଲେଜର ୧୩ ଜଣ ଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ ମଧ୍ୟ ସେମାନଙ୍କ ମାର୍କଲିଷ୍ଟରେ ଅନୁପସ୍ଥିତ ଦର୍ଶାଯାଇଛି। କାହାର ଇଂରାଜୀ ତ କାହାର ଭୂଗୋଳରେ ଅନୁପସ୍ଥିତ ଉଲ୍ଲେଖ ରହିଛି। ଏଥିଯୋଗୁଁ ସେମାନେ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରିନାହାନ୍ତି। ବର୍ତ୍ତମାନ ସ୍ଥିତିରେ ସେମାନଙ୍କ ଏକ ବର୍ଷ ନଷ୍ଟର ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବଲପୁର ମହିଳା କଲେଜ ଛାତ୍ରୀ ମଧୁମିତା ବାଗଙ୍କ ସାହିତ୍ୟରେ ୭୧, ଇଚ୍ଛାଧୀନ ଓଡ଼ିଆ ୮୦, ଶିକ୍ଷାରେ ୮୧, ଭୂଗୋଳ ୪୯ ଏବଂ ଅର୍ଥନୀତିରେ ୪୯ ନମ୍ବର ରହିଛି। ମାତ୍ର ଇଂରାଜୀରେ ଅନୁପସ୍ଥିତ ଦର୍ଶାଯାଇଛି। ସେହିପରି ମଞ୍ଜୁଲତା ନାଏକ, ନିଶିତା ଟେଟେ, ପୁଷ୍ପାଞ୍ଜଳି କୁଜୁର, ପୂଜା ରୋହିଦାସ, ରଶ୍ମିତା ଟେଟେ, ରୀତୁ ନାଏକ, ରୀତୁ କୁମ୍ଭାର, ବାସନ୍ତୀ ବେହେରା, ନନ୍ଦିତା ବାଦୀ, ରଶ୍ମିତା ଓରାମ, ପ୍ରଭାତୀ ଡନସନା ଏବଂ ରଶ୍ମି ରଣାଙ୍କ କ୍ଷେତ୍ରରେ ସେଭଳି ତ୍ରୁଟି ରହିଛି। ଏଥିପୂର୍ବରୁ ବୁର୍ଲା ଏନଏସି କଲେଜର ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ର ପରୀକ୍ଷା ଦେଇ ମଧ୍ୟ ଗୋଟିଏ ବିଷୟରେ ତାଙ୍କୁ ଅନୁପସ୍ଥିତ ଦର୍ଶାଯାଇଥିବା ସେ ଅଭିଯୋଗ କରିଥିଲେ। ସଂପୃକ୍ତ ଛାତ୍ରୀମାନେ ଏ ନେଇ କଲେଜ ଅଧ୍ୟକ୍ଷାଙ୍କୁ ଦିଆଯାଇଥିବା ଅଭିଯୋଗ ଆଧାରରେ କଲେଜ ପକ୍ଷରୁ ନୀରିକ୍ଷଣ କରାଯାଇଥିଲା। ଏହାପରେ ଛାତ୍ରୀମାନେ ପରୀକ୍ଷା ଦେଇଥିବା ଜଣାପଡ଼ିଥିବା କହିଛନ୍ତି କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଜିତେନ କୁମାର।

ସଂପୃକ୍ତ ଛାତ୍ରୀଙ୍କ ମଧ୍ୟରୁ ଅନେକଙ୍କ ଅଭିଭାବକ ମଜୁରିଆ ଏବଂ ଗ୍ରାମାଞ୍ଚଳର ଚାଷୀ ହୋଇଥିବାରୁ ଭୁବନେଶ୍ୱର ଯାଇ କିଭଳି ସମସ୍ୟାର ଦୃଷ୍ଟି ଆକର୍ଷଣ କରିବେ ସେ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ମଙ୍ଗଳବାର ଠାରୁ ଯୁକ୍ତ ତିନି ପରୀକ୍ଷା ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ଯଥାଶୀଘ୍ର ଫଳ ପ୍ରକାଶନର ଆବଶ୍ୟକତା ରହିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର