ମାର୍ଚ୍ଚ ୭ରୁ ଯୁକ୍ତ୨ ପରୀକ୍ଷା

‌ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ‌ପାଇଁ ତାରିଖ ଘୋଷଣା ହୋଇଛି। ବିଗତ ବର୍ଷଗୁଡ଼ିକ ପରି ଏଥର ମଧ୍ୟ ଥିଓରି ପୂର୍ବରୁ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ।

୨୦୧୯ ଜାନୁଆରି ୨୮ରୁ ଫେବ୍ରୁଆରି ୮ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ହେବ। ଥିଓରି ପରୀକ୍ଷା ମାର୍ଚ୍ଚ ୭ରୁ ଆରମ୍ଭ ହେବ। ପ୍ରତିଦିନ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ଥିଓରି ପରୀକ୍ଷାର ପ୍ରଥମ ଦିନ ତଥା ୭ ତାରିଖରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ମାତୃଭାଷା(ଓଡ଼ିଆ) ବିଷୟର ପରୀକ୍ଷା ଅନୁଷ୍ଠିତ ହେବ। ୮ ତାରିଖଠାରୁ କଳା ବିଭାଗର ପରୀକ୍ଷା ଆରମ୍ଭ ହେବ। କଳା ବିଭାଗର ପ୍ରଥମ ଦିନରେ ମାତୃଭାଷା(ଓଡ଼ିଆ) ବିଷୟର ପରୀକ୍ଷା ରହିଛି। ୯ ତାରିଖରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଓ ୧୧ ତାରିଖରେ କଳା ବିଭାଗର ଇଂରାଜୀ ବିଷୟ ପରୀକ୍ଷା ଅନୁଷ୍ଠିତ ହେବ।

ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଥିଓରି ପରୀକ୍ଷା ଚାଲିବ। ଇନ୍‌ଣ୍ଟିଗ୍ରେଟେଡ୍‌ ଭୋକେସନାଲ ଥିଓରି ପରୀକ୍ଷାଗୁଡ଼ିକ ପାଇଁ ଦୁଇ ଘଣ୍ଟା ସମୟ ରଖାଯାଇଛି। ଉକ୍ତ ବିଷୟଗୁଡ଼ିକର ପ୍ରାକ୍ଟିକାଲ ୩ ଘଣ୍ଟା ଧରି ହେବ। ଗତବର୍ଷ ଜୀବ ବିଜ୍ଞାନ(ପ୍ରାଣୀ ବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ) ବିଷୟକୁ ନେଇ ବିବାଦ ଦେଖାଦେଇଥିବାରୁ ଏଥର ଆଗୁଆ ପଦକ୍ଷେପ ନିଆଯାଇଛି। ପ୍ରାଣୀ ବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ ବିଷୟ ପରୀକ୍ଷା ଗୋଟିଏ ଦିନରେ ହେବ। ଦୁଇ ବିଷୟ ମଧ୍ୟରେ ୨୦ ମିନିଟ୍‌ର ବିରତି ରହିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

୨୦୧୪-୧୭ ସିଲାବସ୍‌ ଅନୁଯାୟୀ ୨୦୧୫ ପର୍ଯ୍ୟନ୍ତ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ହଳଦିଆ ରଙ୍ଗର ପ୍ରଶ୍ନପତ୍ର କରାଯିବ। ୨୦୧୬ରେ ନାମ ପଞ୍ଜୀକରଣ କରିଥିବା ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଧଳା ରଙ୍ଗର ପ୍ରଶ୍ନପତ୍ର ପ୍ରସ୍ତୁତ ହେବ। ରେଗୁଲାର ଓ ‌ଏକ୍ସ-ରେଗୁଲାର ପିଲାଙ୍କ ପାଇଁ ଇଂରାଜୀ ବିଷୟର ପ୍ରଶ୍ନପତ୍ର ସମାନ ରହିବ। ଯଦି କୌଣସି ସ୍ଥାନରେ ତ୍ରୁଟି ପରିଲକ୍ଷିତ ହୁଏ ତେବେ ତୁରନ୍ତ ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟିକୁ ଆଣିବାକୁ କୁହାଯାଇଛି।

ଜାନୁଆରି ୨୮ରୁ ଫେବ୍ରୁଆରି ୮ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ଚାଲିବ। ବିଜ୍ଞାନ ବିଭାଗର ୯ଟି ବିଷୟ, କଳା ବିଭାଗର ୮ଟି ବିଷୟରେ ପ୍ରାକ୍ଟିକାଲ ପରୀକ୍ଷା ହେବ। ବାଣିଜ୍ୟ ବିଭାଗ ପରୀକ୍ଷାର୍ଥୀଙ୍କ ପ୍ରକଳ୍ପ ମୂଲ୍ୟାୟନ ଓ ଭାଇବସ୍ ଶେଷ ହେବାର ୭ ଦିନ ମଧ୍ୟରେ ମାର୍କ ଫୁଏଲ ଓ ପ୍ରୋଜେକ୍ଟ ରିପୋର୍ଟ ପରିଷଦରେ ଦାଖଲ କରିବାକୁ କଲେଜଗୁଡ଼ିକୁ କୁହାଯାଇଛି। ପ୍ରାକ୍ଟିକାଲ ପରୀକ୍ଷା ସରିବା କ୍ଷଣି ସମସ୍ତ ଆବାସିକ କଲେଜଗୁଡ଼ିକ ପରୀକ୍ଷାର ଭିଡିଓ ଫୁଟେଜ୍‌ ଦାଖଲ କରିବାକୁ ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର