ଯୁକ୍ତ୩ ପାଠ୍ୟକ୍ରମରେ ସଂସ୍କାର : ପ୍ରକାଶ ପାଇଲା ଏକକ ସିଲାବସ୍‌

ମିଡ୍‌ ଟର୍ମ ପରୀକ୍ଷା ନ ଦେଲେ ଫେଲ୍‌ ହେବେ ପରୀକ୍ଷାର୍ଥୀ, ନାମଲେଖାର ୬ ବର୍ଷ ପର୍ଯ୍ୟନ୍ତ ଦେଇହେବ ବ୍ୟାକ୍‌ ପେପର୍‌ ପରୀକ୍ଷା

ଭୁବନେଶ୍ବର : ନୂଆ ଶିକ୍ଷାବର୍ଷରୁ ନୂଆ ଢାଞ୍ଚାରେ ହେବ ଯୁକ୍ତ୩ ପାଠପଢ଼ା। ରାଜ୍ୟର ସମସ୍ତ ଡିଗ୍ରି କଲେଜରେ ଏକ ସମୟରେ ନାମ ଲେଖାଯିବ। ଗୋଟିଏ ସମୟରେ ପରୀକ୍ଷା‌ ହେବ। ନିର୍ଦ୍ଧାରିତ ସମୟରେ ଫଳ ପ୍ରକାଶ ପାଇବ। ସବୁ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଡିଗ୍ରି କଲେଜରେ ଚଏସ୍‌ ବେସ୍‌ଡ କ୍ରେଡିଟ୍‌ ସିଷ୍ଟମ(ସିବିସିଏସ୍‌) ଲାଗୁ କରାଯିବ। ତାହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକକ ସିଲାବସ୍‌ ପ୍ରସ୍ତୁତ ହୋଇଛି। ଶିକ୍ଷାବିତ୍‌, ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ମତାମତ ନିଆଯିବା ପରେ ଏବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସିଲାବସ୍‌ ପ୍ରକାଶ କରାଯାଇଛି। ବିଭାଗୀୟ ୱେବସାଇଟ୍‌ରେ ସିଲାବସ୍‌ ଉପଲବ୍ଧ ହେଉଛି। ଯଦି କୌଣସି ସ୍ଥାନରେ ତ୍ରୁଟି ‌ଥିବ, ତେବେ କଲେଜ କର୍ତୃପକ୍ଷ ଏନେଇ ଦୃଷ୍ଟି ଆକର୍ଷଣ କରିବା ପରେ ସେଥିରେ ସଂଶୋଧନ କରାଯିବ।

ସିବିସିଏସ୍‌ ଢାଞ୍ଚା ଲାଗୁ ହେବାକୁ ଥିବାରୁ ପରୀକ୍ଷା ପଦ୍ଧତିରେ କେତେକ ପରିବର୍ତନ ହୋଇଛି। ତିନି ବର୍ଷରେ ଛାତ୍ରଛାତ୍ରୀଙ୍କୁ ୬ଟି ସେମିଷ୍ଟର୍‌ ପରୀକ୍ଷା ଦେବାକୁ ପଡ଼ିବ। ଏଥିସହ ମିଡ୍‌-ଟର୍ମ ପରୀକ୍ଷା କରାଯିବ। ସବୁ ଛାତ୍ରଛାତ୍ରୀ ମିଡ୍‌-ଟର୍ମ ପରୀକ୍ଷା ଦେବାକୁ ବାଧ୍ୟ। ନ ହେଲେ ଫେଲ୍‌ ହେବେ। ନିଷ୍ପତ୍ତି ଅନୁଯାୟୀ, ସେପ୍ଟେମ୍ବର ୧୫ରୁ ୩୦ ମଧ୍ୟରେ ସମସ୍ତ କଲେଜରେ ମିଡ୍‌-‌ଟର୍ମ ପରୀକ୍ଷା ହେବ। ଅକ୍ଟୋବର ୧୫ରୁ ୩୦ ମଧ୍ୟରେ ପ୍ରଥମ, ତୃତୀୟ ଓ ପଞ୍ଚମ ସେମିଷ୍ଟର୍‌ ପରୀକ୍ଷା କରାଯିବ। ମାର୍ଚ୍ଚ ୧ରୁ ୧୫ ତାରିଖ ମଧ୍ୟରେ ଦ୍ବିତୀୟ, ଚତୁର୍ଥ ଓ ଷଷ୍ଠ ସେମିଷ୍ଟର୍‌ ପରୀକ୍ଷା କରାଯିବ। ପରୀକ୍ଷା ସରିବାର ୧୫ଦିନ ମଧ୍ୟରେ କଲେଜ ଓ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ପରୀକ୍ଷା ପରିଚାଳନା ସିଷ୍ଟମ୍‌ରେ ମାର୍କଗୁଡ଼ିକୁ ଡାଉନ୍‌ଲୋଡ କରିବେ। ସମସ୍ତ ଛାତ୍ରଛାତ୍ରୀ ମିଡ୍‌-ଟର୍ମ ପରୀକ୍ଷା ଦେବାକୁ ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅନୁପସ୍ଥିତ ରୁହନ୍ତି, ତେବେ ସେ ସମ୍ପୃକ୍ତ ବିଷୟରେ ଫେଲ୍‌ ହେବେ। ଏଣ୍ଡ-ଟର୍ମ ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା କୌଣସି ବି ପରୀକ୍ଷାର୍ଥୀ ଯଦି ମିଡ୍‌-ଟର୍ମ ପରୀକ୍ଷାରେ ଅନୁପସ୍ଥିତ ରହିଥାନ୍ତି, ତେବେ ସେ ଫେଲ୍‌ ହେବେ।

ମିଡ୍‌-ଟର୍ମ ଓ ଏଣ୍ଟ-ଟର୍ମ ପରୀକ୍ଷା ଫଳ ପ୍ରକାଶ ପାଇବାର ୬ ମାସ ପର୍ଯ୍ୟନ୍ତ କଲେଜ କର୍ତୃପକ୍ଷ ଉତ୍ତର ଖାତାକୁ ସଂରକ୍ଷିତ ରଖିବେ। ବିନା ପ୍ରାକ୍ଟିକାଲ ଥିବା ବିଷୟଗୁଡ଼ିକରେ ୧୦୦ ମାର୍କ ମଧ୍ୟରୁ ମିଡ୍‌-ଟର୍ମରେ ୨୦ ଓ ଟର୍ମ-ଏଣ୍ଡ୍‌ରେ ୮୦ ମାର୍କ ମିଳିବ। ଶହେ ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ ବିଷୟରେ ମିଡ୍‌ ଟର୍ମରେ ୧୫, ଟର୍ମ-ଏଣ୍ଡରେ ଥିଓରିରେ ୬୦ ଓ ପ୍ରାକ୍ଟିକାଲରେ ୨୫ ମାର୍କ ରହିବ। ନାମଲେଖାଠାରୁ ୬ ବର୍ଷ ମଧ୍ୟରେ ପରୀକ୍ଷାର୍ଥୀ ବ୍ୟାକ୍‌ ପେପର୍‌ କ୍ଲିଅର କରିପାରିବେ ବୋଲି ସିବିସିଏସ୍‌ ଢାଞ୍ଚାରେ କୁହାଯାଇଛି।

ସାରା ରାଜ୍ୟରେ ଯୁକ୍ତ୩ରେ ଆଦର୍ଶ ପାଠ୍ୟକ୍ରମ ଲାଗୁ ସହ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା, ପରୀକ୍ଷା ପରିଚାଳନାରେ ସଂସ୍କାର ଓ ଗବେଷଣାର ମାନ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ଉଚ୍ଚଶିକ୍ଷାକୁ ନିଯୁକ୍ତିଭିତ୍ତିକ କରିବା, ଜାତୀୟସ୍ତରର ପ୍ରତିଯୋଗିତାମୂଳକ ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀ ଯେମିତି ଭଲ କରିବେ, ଉଚ୍ଚତର ଗବେଷଣା ଓ ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟକରଣ କରିବାକୁ ସ୍ଥିର ହୋଇଛି। ଏ ଦିଗରେ ମଡେଲ୍‌ ଅଣ୍ଡର ଗ୍ରାଜୁଏଟ୍‌ ସିଲାବସ୍‌(ଯୁକ୍ତ୩ ଆଦର୍ଶ ପାଠ୍ୟକ୍ରମ) ସହାୟକ ହେବ। ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଆଶୋକ ଦାସଙ୍କ କହିବାନୁଯାୟୀ, ସମସ୍ତ ବିଷୟର ସିଲାବସ୍‌କୁ ଉଚ୍ଚଶିକ୍ଷା ବିଭାଗ ୱେବସାଇଟ୍‌ରେ ଛଡ଼ାଯାଇଛି। ଆଗାମୀ ୨୦୧୯-୨୦ ଶିକ୍ଷାବର୍ଷରୁ ତାହା ଲାଗୁ କରାଯିବ। ‌ବିଶ୍ବବିଦ୍ୟାଳୟ ଓ କଲେଜ କର୍ତୃପକ୍ଷ ସିଲାବସ୍‌ ଦେଖିବା ପରେ ଯଦି କୌଣସି ସାମାନ୍ୟ ତ୍ରୁଟି ଥିବ, ତାହାକୁ ଚିହ୍ନଟ କରି ଦୃଷ୍ଟି ଆକର୍ଷଣ କରିପାରିବେ। ତେବେ ପାଠ୍ୟକ୍ରମରେ ‌କୌଣସି ବଡ଼ ପରିବର୍ତନ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର