ଘୁଞ୍ଚିଲା +୩ ସେମିଷ୍ଟର ପରୀକ୍ଷା ତାରିଖ, ମେ ୪ରୁ ‌ପ୍ରାକ୍ଟିକାଲ୍‌ ଓ ୧୭ରୁ ଥିଓରି

ଭୁବ‌ନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସମସ୍ତ +୩ କଲେଜଗୁଡ଼ିକର ଚତୁର୍ଥ ସେମିଷ୍ଟର ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ମେ ୪ ତାରିଖରୁ ପ୍ରାକ୍ଟିକାଲ୍‌ ଓ ୧୭ରୁ ଥିଓରି ପରୀକ୍ଷା କରାଯିବ ବୋଲି ଆଜି କଲେଜ ଉନ୍ନୟନ ପରିଷଦ ନିର୍ଦେଶକ ସନ୍ତୋଷ ତ୍ରିପାଠୀ ଘୋଷଣା କରିଛନ୍ତି। ସୂଚନା ମୁତାବକ, ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଯୁକ୍ତ୩ କଲେଜଗୁଡ଼ିକର ପାଠପଢ଼ା ଏପର୍ଯ୍ୟନ୍ତ ଶେଷ ହୋଇ ନଥିବା ବେଳେ ୪ର୍ଥ ସେମିଷ୍ଟାର ପରୀକ୍ଷା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ମାସ ୪ତାରିଖରେ +୩ ୪ର୍ଥ ସେମିଷ୍ଟର ଥିଓରି ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ୧୭ ତାରିଖରୁ ପ୍ରାକ୍ଟିକାଲ୍‌ ପରୀକ୍ଷା ଆରମ୍ଭ ହୋଇଥା’ନ୍ତା। ନିୟମ ଅନୁଯାୟୀ ପ୍ରତି ୫ ମାସ ବ୍ୟବଧାନରେ ସେମିଷ୍ଟର ପରୀକ୍ଷା କରାଯିବା କଥା। କିନ୍ତୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଜାନୁଆରି ମାସରେ ତୃତୀୟ ସେମିଷ୍ଟର ପରୀକ୍ଷା କରିଥିଲେ। ଯାହା ଜାନୁଆରି ୩୧ରେ ‌ଶେଷ ହୋଇଥିଲା। ଏହି ପରୀକ୍ଷା ସରିବାର ୩ ମାସ ମଧ୍ୟରେ ପୁଣି ଏକ ସେମିଷ୍ଟର ପରୀକ୍ଷା ଲାଗି ବିଜ୍ଞପ୍ତି ପ୍ରକାଶ ପରେ ଛାତ୍ରଛାତ୍ରୀ ବିରୋଧ କରି ଗତ ସୋମବାର ଦିନ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ତେବେ ପରୀକ୍ଷା ତାରିଖ ବାତିଲ କରି ନୂଆ ତାରିଖ ଘୋଷଣା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଉ ପରୀକ୍ଷା ପାଇଁ ଆଉ ମାତ୍ର ସପ୍ତାହେ ଥିବା ବେଳେ ତାରିଖ ଘୋଷଣା ନକରିବା ଛାତ୍ରଛାତ୍ରୀଙ୍କ ମଧ୍ୟ ଅସନ୍ତୋଷ ସୃଷ୍ଟି କରିଥିଲା। ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ରନେତାଙ୍କ ନେତୃତ୍ବରେ ବିଭିନ୍ନ କଲେଜରୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ନିଷ୍ପତ୍ତିରେ ପରିବର୍ତ୍ତନ କରିବା ଦାବି କରି ଧାରଣାରେ ବସିରହିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ଜାନୁଆରି ୩୧ରେ ତୃତୀୟ ସେମିଷ୍ଟର ପରୀକ୍ଷା ଶେଷ ହୋଇଥିଲା। ଏହାପରେ ଯୁକ୍ତ୨ ପରୀକ୍ଷା, ଖାତା ଦେଖା ଛୁଟି, ଯୁକ୍ତ୩ ୬ଷ୍ଠ ସେମିଷ୍ଟର ପରୀକ୍ଷା ଯୋଗୁଁ କଲେଜଗୁଡ଼ିକ ଛୁଟି ହୋଇଥିଲା। ଯେଉଁଥି ପାଇଁ ଅଧ୍ୟାପକମାନେ କ୍ଲାସ ନେଇପାରି ନାହାନ୍ତି। କେତେକ କଲେଜରେ ୩୫ ପ୍ରତିଶତ ପାଠ୍ୟକ୍ରମ ବି ଶେଷ ହୋଇନି। ଅନେକ କଲେଜରେ ଇଣ୍ଟରନାଲ ପରୀକ୍ଷା ଆରମ୍ଭ ହୋଇ ନାହିଁ। ଏଭଳି ସ୍ଥିତିରେ ୪ର୍ଥ ସେମିଷ୍ଟର ପରୀକ୍ଷା ଲାଗି ତାରିଖ ଘୋଷଣା ହୋଇଛି। ଏହାଦ୍ବାରା ଛାତ୍ରଛାତ୍ରୀମାନେ ପ୍ରଭାବିତ ହେବେ। ତେଣୁ ୪ର୍ଥ ସେମିଷ୍ଟର ପରୀକ୍ଷାକୁ ଘୁଞ୍ଚାଇ ଛୁଟି ପରେ କରାଯାଉ ବୋଲି ଦାବି କରିଥିଲେ। ପାଠ୍ୟକ୍ରମ ଶେଷ କରିବାକୁ କଲେଜଗୁଡ଼ିକୁ ନିର୍ଦେଶ ଦିଆଯାଉ। ଆସନ୍ତା ବର୍ଷଠାରୁ ପ୍ରବେଶ, ପରୀକ୍ଷା, ପରିଣାମ ବ୍ୟବସ୍ଥାକୁ ନିୟମିତ କରିବାକୁ ସେମାନେ ଦାବି କରିଥିଲେ। ବହୁ ସମୟ ଧାରଣା ପରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ‌ଭେଟି ତାରିଖ ଘୋଷଣା କରିଥିଲେ। ଏହାପରେ ଛାତ୍ରଛାତ୍ରୀ ଧାରଣାରୁ ଉଠିଥିଲେ। ଏହି ବିକ୍ଷୋଭରେ ଏବିଭିପି ମହାନଗର ସମ୍ପାଦକ ଦୀପକ ପ୍ରକାଶ ସ୍ବାଇଁ, ମହାନଗର ସଂଯୋଜକ ସଞ୍ଜୟ ମଲ୍ଲିକ, ରତନ୍‌ କୁମାର ଦିଗଲ୍‌, ମିଲନ ମହାପାତ୍ର, ରାଜେଶ କିଶୋର, ଆଲୋକ ପଟ୍ଟନାୟକ, ଦୀପକ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର