ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ +୩ ପରୀକ୍ଷା ଫଳ ପ୍ରକାଶିତ, ମାନସ ଶ୍ରେଷ୍ଠ ସ୍ନାତକ, ପାସ୍‌ ହାର ୭୬.୫୯%

ବାରିପଦା: ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନରେ ଥିବା +୩ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶିତ ହୋଇଛି। ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ସମୁଦାୟ ୭୬.୫୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। କଳା ବିଷୟରେ ବେତନଟୀ କଲେଜର କସ୍ମିିରୀ ଖାତୁନ ଟପ୍ପର ହୋଇଥିବା ବେଳେ ବିଜ୍ଞାନରେ ଏହି କଲେଜର ମାନସ ରଞ୍ଜନ ବାରିକ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ପଦାର୍ଥ ବିଜ୍ଞାନ ଛାତ୍ରୀ କସ୍ମିିରୀ ୮୦୦ରୁ ୬୮୨ ନମ୍ବର ରଖିଛନ୍ତି। ପ୍ରାଣୀ ବିଜ୍ଞାନ ଛାତ୍ର ମାନସ ଶ୍ରେଷ୍ଠ ସ୍ନାତକ ହେବା ସହିତ ୮୦୦ ରୁ ୭୦୦ ନମ୍ବର ରଖିଛନ୍ତି। ବାଣିଜ୍ୟରେ ଆକାଉଣ୍ଟିଂ ସମ୍ମାନ ଛାତ୍ର ରାଜକିଶୋର ବଡ଼ାଇକ ୧୦୦୦ରୁ ୭୧୭ ନମ୍ବର ରଖି ଟପ୍ପର ହୋଇଛନ୍ତି। ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ବଡ଼ବିଲ କଲେଜର ଛାତ୍ର।
ଚଳିତ ବର୍ଷ କଳା ସମ୍ମାନ ଓ ସାଧାରଣ ବିଷୟରେ ୧୦,୪୬୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭,୯୮୩ ଜଣ ପାସ କରିଥିବା ବେଳେ ୨୧୬୮ ଜଣ ପିଲା ଫେଲ ହୋଇଛନ୍ତି। ସେହିଭଳି ୧୫୫ ଜଣ ପିଲାଙ୍କ ଅନର୍ସ ବିଷୟ କଟି ଯାଇଥିବା ବେଳେ ୧୬୧ ପିଲା ଏମ୍‌ ହୋଇଛନ୍ତି। ବିଜ୍ଞାନ ସମ୍ମାନ ଓ ସାଧାରଣ ବିଷୟରେ ୩୭୦୪ ଜଣ ପିଲା ପରୀକ୍ଷା ଦେଇଥିଲେ। ସେଥିରୁ ୨୫୯୩ଜଣ ପିଲା ପାସ କରିଥିବା ବେଳେ ୧୦୧୪ ଜଣ ପିଲା ଫେଲ ହୋଇଛନ୍ତି। ୪୬ ଜଣ ପିଲାଙ୍କ ଅନର୍ସ କଟି ଯାଇଥିବା ବେଳେ ୫୧ ଜଣ ଏମ୍‌ପି ପଡ଼ିଛନ୍ତି। ବାଣିଜ୍ୟ ସମ୍ମାନ ଓ ସାଧାରଣ ବିଷୟରେ ୧୦୨୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭୧୨ ଜଣ ପିଲା ପାସ କରିଥିବା ବେଳେ୨୬୭ ଜଣ ପିଲା ଫେଲ ହୋଇଛନ୍ତି। ସେହିଭଳି ୨୪ଜଣଙ୍କ ଅନର୍ସ କଟି ଯାଇଥିବା ବେଳେ ୨୪ ଜଣ ଏମ୍‌ପି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର