ଯୁକ୍ତ୨ କଲେଜରେ ନାମଲେଖା ପାଇଁ ଆବେଦନ ଆଜିଠୁ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ନାମଲେଖା ପାଇଁ ଶୁକ୍ରବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ମାଟ୍ରିକ୍‌ କରିଥିବା ଛାତ୍ରଛାତ୍ରୀ ପୂର୍ବାହ୍ନ ୧୧ଟା ପରେ ‘www.samodisha.gov.in’ ମାଧ୍ୟମରେ ଜୁନ୍‌ ୧୬ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ୧୮ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ଡକ୍ୟୁମେଣ୍ଟ ସହ ନିର୍ଧାରିତ ଫି’ ସାମ୍‌ସ ସେଣ୍ଟର୍‌ରେ ଦାଖଲ କରିପାରିବେ। ଜୁନ୍‌ ୨୩ ତାରିଖରେ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁନ୍‌ ୨୫ରୁ ୨୮ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ଜୁଲାଇ ୩ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଏଥିପାଇଁ ଜୁଲାଇ ୪ରୁ ୬ ମଧ୍ୟରେ ନାମଲେଖା କରାଯିବ। ଜୁଲାଇ ୧୧ରେ ବଳକା ସିଟ୍‌ ପାଇଁ ତାଲିକା ବାହାରିବ। ତାଲିକାରେ ଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୫ରୁ ୧୭ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଜୁଲାଇ ୧୯ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥର କେବଳ ଅନ୍‌ଲାଇନ୍‌ରେ ନାମଲେଖା ଅନୁଷ୍ଠିତ ହେବ। କମନ୍‌ ଆପ୍ଲିକେସନ ଫର୍ମ(ସିଏଏଫ୍‌) ପୂରଣ କରିବା ପୂର୍ବରୁ କମନ୍‌ ପ୍ରସ୍‌ପେକ୍‌ଟସ୍‌କୁ ଭଲ ଭାବେ ପଢ଼ିବା ଆବଶ୍ୟକ।

ସମ୍ବନ୍ଧିତ ଖବର