ଯୁକ୍ତ୨ ପରୀକ୍ଷା କେନ୍ଦ୍ର ଫିକ୍ସିଂ ଘଟଣା : ପରୀକ୍ଷାର୍ଥୀଙ୍କୁ ଆଶ୍ୱସନା ଦେଲା ପରିଷଦ

ଭୁବନେଶ୍ବର : ଶେଷରେ ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକ ପାଇଁ ଯୁକ୍ତ୨ ପରୀକ୍ଷା କେନ୍ଦ୍ର ନିୟମ ବଦଳିଲା। ଯୁକ୍ତ୨ ପରୀକ୍ଷା ପରିଚାଳନା କମିଟି ସଦସ୍ୟଙ୍କ ମତାମତ ଆଧାରରେ ପ୍ରାୟ ୨୦ଟି କଲେଜର ଟ୍ୟାଗିଂ ବ୍ୟବସ୍ଥାରେ ପରିବର୍ତନ କରାଯାଇଛି। ଟ୍ୟାଗିଂରେ ପରିବର୍ତନ ହୋଇଥିବା ପାଖାପଖି ୨୦ଟି କଲେଜ ମଧ୍ୟରୁ ଅଧିକାଂଶ ବ୍ରହ୍ମପୁର, କଟକ, ଭୁବନେଶ୍ବର, ବାଲେଶ୍ବର, ରାଉରକେଲା ସହରରେ ରହିଛି। ଆଉ କିଛି ସହରରେ ଗୋଟିଏ ଲେଖାଏ ସେଲ୍ଫ ଫାଇନାନ୍ସିଂ କଲେଜ ଏହି ତାଲିକାରେ ରହିଥିବା ସୂଚନା ମିଳିଛି।

ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦ୍ବନ୍ଦ୍ବ ଦୂର ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଏକ ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ କହିଛନ୍ତି ଯେ ପରୀକ୍ଷା କେନ୍ଦ୍ର ଚୂଡ଼ାନ୍ତ କରିବାର ନିଷ୍ପତ୍ତି ପରୀକ୍ଷା ପରିଚାଳନା କମିଟିର ରହିଛି। ପରୀକ୍ଷା କେନ୍ଦ୍ରଠାରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ର ଦୂରତା, ରାଜ୍ୟ ସରକାରଙ୍କ ନିୟମାବଳୀ ଓ ପରୀକ୍ଷା ପରିଚାଳନା କେନ୍ଦ୍ରରେ ଥିବା ଆବଶ୍ୟକ ଭିତ୍ତିଭୂମିକୁ ବିଚାରକୁ ନିଆଯାଇ ନିଷ୍ପତ୍ତି ନିଆଯାଇଛି। ଏଥର ପରିଷଦ ପରୀକ୍ଷା ପରିଚାଳନା କମିଟିର ଏକାଧିକ ବୈଠକ ଡକାଯିବା ସହ ଆଲୋଚନା କରାଯିବା ପରେ ପରୀକ୍ଷା କେନ୍ଦ୍ର ଚୂଡ଼ାନ୍ତ ହୋଇଛି। ଏଥିସହ ଟ୍ୟାଗିଂ ହେଉଥିବା ଯୁକ୍ତ୨ କଲେଜଗୁଡ଼ିକର ଚୂଡ଼ାନ୍ତ ତାଲିକା ବି ପ୍ରସ୍ତୁତ କରାଯାଇଛି। ଚଳିତବର୍ଷର ପରୀକ୍ଷା ସୁଚାରୁରୂପେ କରାଯାଉଥିବାରୁ ଅଭିଭାବକମାନେ ମନରେ କୌଣସି ପ୍ରକାର ଆଶଙ୍କା ନ ରଖିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ପରୀକ୍ଷା କେନ୍ଦ୍ର ଫିକ୍ସିଂ ହୋଇଥିବା ନେଇ ଗତ ୭ ତାରିଖରେ ପରୀକ୍ଷା ପରିଚାଳନା କମିଟି ସଦସ୍ୟମାନେ ଅଭିଯୋଗ ଆଣିଥିଲେ। ତାହାକୁ ଆଧାର କରି ଓଡ଼ିଶା ଅଭିଭାବକ ମହାସଂଘର ପ୍ରତିନିଧିମାନେ ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହେବା ପରେ ଫେବ୍ରୁଆରି ୧୮ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ କୁହାଯାଇଥିଲା। ଇତି ମଧ୍ୟରେ ପରିଷଦ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ କରାଯାଇ ଗଣଶିକ୍ଷା ବିଭାଗକୁ ପଠାଯାଇଛି। ଆସନ୍ତାକାଲି(ମଙ୍ଗଳବାର) ଦିନ ମାନବାଧିକାର କମିସନଙ୍କ ନିକଟରେ ରିପୋର୍ଟ ଦାଖଲ କରାଯିବ ବୋଲି ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର