ଯୁକ୍ତ୨ ପରୀକ୍ଷା କେନ୍ଦ୍ର ଫିକ୍ସିଂ ଘଟଣା : ୨୦ଟି କଲେଜର ଟ୍ୟାଗିଂ ବଦଳିଲା

ଗଠନ ହେଲା ୪ ଜଣିଆ ସବ୍‌ କମିଟି, ଏଣିକି ୩ ଥର ହେବ ଖାତା ମୂଲ୍ୟାୟନ

ଭୁବନେଶ୍ବର : ଯୁକ୍ତ୨ ପରୀକ୍ଷା କେନ୍ଦ୍ର ଫିକ୍ସିଂ ଘଟଣାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପୂର୍ବରୁ ଯେଉଁ ୧୧୪୨ଟି ପରୀକ୍ଷା କେନ୍ଦ୍ର ହୋଇଥିଲା ସେଥିରେ କୌଣସି ପରିବର୍ତନ ହୋଇନି। ବରଂ ପାଖାପାଖି ୨୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ର ଟ୍ୟାଗିଂରେ ପରିବର୍ତନ କରାଯାଇଛି। ଟ୍ୟାଗିଂ ପରିବର୍ତନ ହୋଇଥିବା କଲେଜଗୁଡ଼ିକ ମଧ୍ୟରେ ଅଧିକାଂଶ ସେଲ୍ଫ ଫାଇନାନ୍ସିଂ କଲେଜ ରହିଥିବା ଜଣାପଡ଼ିଛି। ଏହି ନିଷ୍ପତ୍ତି ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ପରିଚାଳନା କମିଟି ସଦସ୍ୟମାନଙ୍କ ମଧ୍ୟରେ ଥିବା ବିବାଦ ଦୂର ହୋଇଛି।

ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକର ପରୀକ୍ଷା କେନ୍ଦ୍ର ପରିବର୍ତନ କରିବାକୁ ପରିଷଦ ଯେଉଁ ଯୋଜନା କରିଥିଲା ତାହା ଫଳପ୍ରଦ ହୋଇପାରି ନାହିଁ। ବରଂ ସବୁ ଆଡ଼ୁ ପଡ଼ିଥିବା ଚାପରେ ଚେପା ହୋଇଛି ପରିଷଦ। ବାଧ୍ୟ ହୋଇ ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକର ପରୀକ୍ଷା କେନ୍ଦ୍ର ଗତବର୍ଷ ଯେଉଁଠାରେ ରହିଥିବା ଏଥର ମଧ୍ୟ ସେଠାରେ ରଖିବାକୁ ସ୍ଥିର ହୋଇଛି। ଏଥିସହ ଯେଉଁ କଲେଜରେ ପରୀକ୍ଷା କେନ୍ଦ୍ର ହେବ ସେଠାକାର ଅଧ୍ୟକ୍ଷ ହିଁ ସୁପରିଟେଣ୍ଡେଣ୍ଟ ରହିବେ। କୌଣସି ପରିବର୍ତନ କରାଯିବ ନାହିଁ। ପରୀକ୍ଷା ପରିଚାଳନା ସମୟରେ ଦେଖାଦେଉଥିବା ଛୋଟ ମୋଟ ସମସ୍ୟାର ସମାଧାନ ପାଇଁ ଏକ ସବ୍‌ କମିଟି ଗଠନ କରାଯାଇଛି। ପରିଷଦ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଏହି କମିଟିରେ ୪ ଜଣ ସଦସ୍ୟ ରହିଥିବା ଆଜି ବସିଥିବା ପରିଚାଳନା କମିଟିର ଜରୁରୀକାଳିନ ବୈଠକରେ ସ୍ଥିର‌ ହୋଇଛି।

ସବୁଠାରୁ ବଡ଼ କଥା ହେଲା ଯେ ଏଥର ଗୋଟିଏ ଖାତାକୁ ତିନି ଥର ଦେଖାଯିବ। ପ୍ରଥମେ ମୂଲ୍ୟାୟନକାରୀ ଉତ୍ତର ଖାତାଗୁଡ଼ିକୁ ମୂଲ୍ୟାୟନ କରିବେ। ଯଦି କୌଣସି ଖାତା ମୂଲ୍ୟାୟନରେ ସନ୍ଦେହ ଉପୁଜିବ ମୂଲ୍ୟାୟନ କେନ୍ଦ୍ରରେ ଥିବା ମୁଖ୍ୟ ମୂଲ୍ୟାୟନକାରୀ ଉକ୍ତ ଖାତାକୁ ଆଉଥରେ ଯାଞ୍ଚ କରିବେ। ଏଥିସହ ଚଳିତବର୍ଷ ପ୍ରଥମ ଥର ପାଇଁ ମୂଲ୍ୟାୟନ କେନ୍ଦ୍ରରେ ଚିଫ୍‌ ସ୍କୁଟିନାଇଜର ନିଯୁକ୍ତ ହେବେ। ସେମାନେ ଓଏମ୍‌ଆର ସିଟ୍‌ରେ ଠିକ୍‌ ମାର୍କ ଚଢ଼ିଛି କି ନାହିଁ ଦେଖିବେ। ଗତବର୍ଷ ପରି ଏଥର ବି ୨୦୨ଟି ପରୀକ୍ଷା ପରିଚାଳନା ହବ୍‌ କରାଯାଇଛି। ଏଥିସହ ସମସ୍ତ ୧୧୪୨ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବ। ୧୫ ତାରିଖ ସୁଦ୍ଧା ପାଖାପାଖି ୧୧୩୦ କଲେଜ ସିସିଟିଭି ଲାଗିଛି। ସିସିଟିଭି କାର୍ଯ୍ୟକାରୀର ଅଗ୍ରଗତି ନେଇ ଆସନ୍ତା ୧୮ ତାରିଖରେ ସମୀକ୍ଷା କରାଯିବ।

ପରୀକ୍ଷା ପରିଚାଳନା କମିଟିର ସଦସ୍ୟ ତଥା ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ କହିବାନୁଯାୟୀ, କୌଣସି କଲେଜ କିମ୍ବା ପରୀକ୍ଷା କେନ୍ଦ୍ରକୁ ଅନୁକମ୍ପା ଦେଖାଯାଇ ନାହିଁ। ବରଂ ଯେଉଁ ତ୍ରୁଟି କରାଯାଇଥିଲା ସେଥିରେ ସୁଧାର ଅଣାଯାଇଛି। ଛାତ୍ରଛାତ୍ରୀଙ୍କ ଯିବା ଆସିବା ସୁବିଧାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ହୋଇଛି। ଯେଉଁ ପରୀକ୍ଷା କେନ୍ଦ୍ର ବିରୋଧରେ କପି ଅଭିଯୋଗ ନାହିଁ ତାହାକୁ ପରିବର୍ତନ ନ କରିବାକୁ ବୈଠକରେ ସର୍ବସମମ୍ମତିକ୍ରମେ ମତପ୍ରକାଶ ପାଇଥିଲା। ସେହି ଅନୁଯାୟୀ ପୂର୍ବ ବିଜ୍ଞପ୍ତିକୁ ଖାରଜ କରାଯାଇ ସୋମବାର ନୂଆ ପରୀକ୍ଷା କେନ୍ଦ୍ର ତାଲିକା ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ସେ କହିଛନ୍ତି। ଅନ୍ୟତମ ସଦସ୍ୟ ତଥା ବିଧାୟକ କିଶୋର ମହାନ୍ତି କହିଛନ୍ତି ଯେ ପରିଷଦର ଅସାଧୁ କର୍ମଚାରୀଙ୍କୁ ଠାବ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର