ଯୁକ୍ତ୨ ଖାତା ମୂଲ୍ୟାୟନରେ ତ୍ରୁଟି! : ଗଣିତରେ ଶହେରୁ ଶହେ, ଇଂରାଜୀରେ ୪୧

ଭୁବନେଶ୍ୱର : ଉତ୍ତର ଖାତା ମୂଲ୍ୟାୟନ ତ୍ରୁଟିରୁ ମୁକୁଳିପାରୁନି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଗତବର୍ଷ ପରି ଏଥର ମଧ୍ୟ ଯୁକ୍ତ୨ ଖାତାଦେଖାରେ ତ୍ରୁଟି ହୋଇଥିବା ନେଇ ଅଭିଯୋଗ ଆସିଛି। ବରଗଡ଼ ଜିଲ୍ଲା ବରପାଲ୍ଲୀ ଅଞ୍ଚଳର ଛାତ୍ର ଲାଓଲେସ୍‌ ପ୍ରଧାନ ଯୁକ୍ତ୨ ବିଜ୍ଞାନର ୫ଟି ବିଷୟରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ଗଣିତରେ ଶହେରୁ ଶହେ ନମ୍ବର ପାଇଛନ୍ତି। କିନ୍ତୁ ଇଂରାଜୀରେ ରହିଛି ମାତ୍ର ୪୧। ଏଭଳି ମାର୍କକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲାଇଲେସ୍‌। ଖାମଖିଆଲି ମୂଲ୍ୟାୟନକୁ ସେ ସମାଲୋଚନା କରିବା ସହ ନ୍ୟାୟ ପ୍ର୍ରଦାନ କରିବାକୁ ଦାବି କରିଛନ୍ତି।

ବଲାଙ୍ଗୀରସ୍ଥିତ ଯୁବଦୋୟ ଯୁକ୍ତ୨ କଲେଜର ଛାତ୍ର ଲାଓଲେସ୍‌। ପରୀକ୍ଷା ଲାଗି କଠିନ ପରିଶ୍ରମ କରିବା ସହ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିବେ ବୋଲି ଆଶା କରିଥିଲେ। ପରୀକ୍ଷା ମଧ୍ୟ ଭଲ ହୋଇଥିଲା। କିନ୍ତୁ ପରୀକ୍ଷା ଫଳ ବାହାରିଲା ବେଳକୁ ସବୁ କିଛି ଏପାଖ ସେପାଖ ହୋଇଯାଇଥିବା ସେ ଦେଖିବାକୁ ପାଇଥିଲେ। ଗଣିତ ବିଷୟରେ ତାଙ୍କର ଶହେରୁ ୧୦୦ ମାର୍କ ରହିଛି। ଫିଜିକ୍ସରେ ୧୦୦ରୁ ୯୯ ମାର୍କ ପାଇଥିବା ବେଳେ କେମେଷ୍ଟ୍ରି ଓ ଷ୍ଟାଟିଷ୍ଟିକ୍ସରେ ଶହେରୁ ୯୮ ଲେଖାଏ ନମ୍ବର ରଖି ସଫଳତା ହାସଲ କରିଛନ୍ତିି। ‘ପିସିଏମ୍‌’(ଫିଜିକ୍ସ, କେମେଷ୍ଟ୍ରି, ମ୍ୟାଥମେଟିକ୍ସ)ରେ ୩୦୦ ମାର୍କରୁ ୨୯୭ ନମ୍ବର ରଖି ଶ୍ରେଷ୍ଠ ବିବେଚିତ ହୋଇଥିବା ଲାଓଲେସ୍‌ ଓଡ଼ିଆରେ ମଧ୍ୟ ଶହେରୁ ୯୦ ମାର୍କ ପାଇଛନ୍ତି। କିନ୍ତୁ ଇଂରାଜୀ ଖାତା ମୂଲ୍ୟାୟନକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମୋଟ ୬୦୦ରୁ ୫୨୬ ନମ୍ବର ରଖିଛନ୍ତି। ଏଭଳି ତ୍ରୁଟି କିଭଳି ହେଲା ବୋଲି ସେ ଜାଣିପାରୁ ନାହାନ୍ତି।

‘ସମ୍ବାଦ’କୁ ସେ କହିଛନ୍ତି ଯେ ଏଥର ପରୀକ୍ଷା ଭଲ ହୋଇଥିଲା। କେଉଁ କାରଣ ପାଇଁ ଇଂରାଜୀରେ ମାତ୍ର ୪୧ ନମ୍ବର ମିଳିଛି ଜାଣିପାରୁନି। ଖାତା ମୂଲ୍ୟାୟନରେ ତ୍ରୁଟି ହୋଇଥିବା ଅନୁମାନ କରୁଛି। ଯେଉଁଥିପାଇଁ ଖାତା ପୁନଃଯାଞ୍ଚ ଲାଗି ଆବେଦନ କରିଛି। ଖାତା ଦେଖିବା ପରେ ଜଣାପଡ଼ିବ କେଉଁଠି କମ୍‌ ମାର୍କ ମିଳିଛି। ଇଂରାଜୀ ବିଷୟରେ ଯେଉଁଭଳି ଉତ୍ତର ଲେଖିଥିଲି ୮୦ରୁ ଅଧିକ ନମ୍ବର ରହିବ ପଛେ କମିବ ନାହିଁ ବୋଲି ସେ କହିଛନ୍ତି।

କଲେଜ ପକ୍ଷରୁ କୁହାଯାଇଛି ଯେ ଏଭଳି ତ୍ରୁଟି ଦ୍ୱାରା ମେଧାବୀ ଛାତ୍ରଙ୍କ ମାନସିକତା ଉପରେ ପ୍ରଭାବ ପଡ଼ିବ। ଜେଇଇ, ନିଟ୍‌ ପରି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଲାଗି ଯୁକ୍ତ୨ ମାର୍କ ଗୁରୁତ୍ୱ ବହନ କରିଥାଏ। ତେଣୁ ଏହାଦ୍ୱାରା ଲାଓଲେସ୍‌ଙ୍କ କ୍ୟାରିଅର୍‌ ଉପରେ ପ୍ରଭାବ ପଡ଼ିବ। ମାଟ୍ରିକ୍‌ରେ ସେ ଇଂରାଜୀ ବିଷୟରେ ୯୦% ମାର୍କ ରଖିଥିଲେ। କ୍ଲାସ୍‌ରେ ମଧ୍ୟ ଭଲ ପ୍ରଦର୍ଶନ କରୁଥିଲେ। ତେଣୁ ଖାତା ମୂଲ୍ୟାୟନରେ ତ୍ରୁଟି ହୋଇଥିବା ସ୍ପଷ୍ଟ ଜଣାପଡ଼ୁଛି। ତାଙ୍କୁ ନ୍ୟାୟ ପ୍ରଦାନ ଦିଗରେ ପରିଷଦ କର୍ତୃପକ୍ଷ ଧ୍ୟାନ ଦିଅନ୍ତୁ।

ଅନ୍ୟପକ୍ଷରେ ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ସମ୍ପୃକ୍ତ ଛାତ୍ର ଜଣକ ଯଦି ପୁନଃଯାଞ୍ଚ ଲାଗି ଆବେଦନ କରିଛନ୍ତି ତେବେ ତୁରନ୍ତ ନ୍ୟାୟ ପ୍ରଦାନ କରିବା ଦିଗରେ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର