ଯୁକ୍ତ୨ ପରୀକ୍ଷାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ‌ବୈଠକ, କପି ଯୋଗାଇଲେ ବନ୍ଧା ହେବେ

ଗଠନ ହେଲା ଦୁଇସ୍ତରୀୟ ସ୍କ୍ବାଡ୍‌, ପରୀକ୍ଷାର୍ଥୀଙ୍କୁ ହାତଘଣ୍ଟା ଓ ମୋବାଇଲ୍‌ ମନା, ଛାତ୍ରୀଙ୍କୁ ଗେଟ୍‌ ପାଖରେ ଯାଞ୍ଚ କରିବେ ଅଧ୍ୟାପିକା

ଭୁବନେଶ୍ବର: ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଯୁକ୍ତ୨ ପରୀକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମାର୍ଚ୍ଚ ୩ରୁ ଆରମ୍ଭ ହେବାକୁ ଥିବା ପରୀକ୍ଷା ଯେପରି ଶାନ୍ତିଶୃଙ୍ଖଳା ତଥା ବିବାଦମୁକ୍ତ ହେବ, ସେଥିପାଇଁ ଏଥର କଠୋର୍‌ ପଦକ୍ଷେପ ଗ୍ରହଣ କରାଯାଇଛି। ପରୀକ୍ଷାର୍ଥୀଙ୍କୁ ହାତ ଘଣ୍ଟା ପିନ୍ଧିବା ଉପରେ କଟକଣା ଜାରି ହୋଇଛି। ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ ସମୟରେ ହାତ ଘଣ୍ଟା କିମ୍ବା କୌଣସି ବୈଦ୍ୟୁତିକ ସାମଗ୍ରୀ ନେଇପାରିବେ ନାହିଁ। ଏଥର ବି କ୍ୟାମ୍ପସରେ ମୋବାଇଲ୍‌ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ପରୀକ୍ଷା କେନ୍ଦ୍ର ସୁପରିନଟେଣ୍ତେଣ୍ଟଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି, କର୍ମଚାରୀ, ଅଧିକାରୀ, ଛାତ୍ରଛାତ୍ରୀ କ୍ୟାମ୍ପସକୁ ମୋବାଇଲ୍‌ ନେଇପାରିବେ ନାହିଁ ବୋଲି ଆଜି ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଭିଡିଓ କନ୍‌ଫରେନ୍ସିଂ ସମୀକ୍ଷା ବୈଠକରେ ନିର୍ଦେଶ ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଚିତ୍ରା‌ ଆରୁମୁଗମ୍‌ଙ୍କ କହିବାନୁଯାୟୀ ଯୁକ୍ତ୨ ପରୀକ୍ଷା ପାଇଁ ୧୧୪୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ସୁପରଭାଇଜରଙ୍କୁ ଦୁଇଥର ଚେକିଂ କରାଯିବ। ପରୀକ୍ଷା ହଲ୍‌ ଭିତରେ ହିଁ ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲିବ। ଏଥର ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ ସହଯୋଗ କରାଯିବ। କୌଣସି ଅସୁବିଧା ହେଲେ ପୁଲିସ ପାଟ୍ରୋଲିଂ ଭ୍ୟାନ୍‌ ସଙ୍ଗେ ସଙ୍ଗେ ପହଁଞ୍ଚିବ। ପ୍ରଶ୍ନପତ୍ରଗୁଡ଼ିକର ସୁରକ୍ଷା ପାଇଁ ୨୦୨ ହବ୍‌ରେ ପୁଲିସ ମୁତୟନ ରହିବେ।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲାଯିବା ସମୟରେ ସରକାରୀ ଅଧିକାରୀ କିମ୍ବା ଶିକ୍ଷକ ମୋବାଇଲ୍‌ ପାଖରେ ରଖିବେ ନାହିଁ। କେନ୍ଦ୍ର ଭିତରକୁ ଯିବା ପୂର୍ବରୁ ମୁଖ୍ୟ ଫାଟକ ନିକଟରେ ପରୀକ୍ଷାର୍ଥୀଙ୍କ ଶରୀରକୁ ଭଲ ଭାବେ ଯାଞ୍ଚ କରାଯିବ। କେବଳ ଅଧ୍ୟାପିକା ହିଁ ଛାତ୍ରୀଙ୍କ ଯାଞ୍ଚ କରିବେ। ପରୀକ୍ଷାର ୩୦ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ ଲାଗି ଅନୁମତି ଦିଆଯିବ। ଏନେଇ ଫାଟକ ନିକଟରେ ବଡ଼ ଅକ୍ଷରରେ ନୋଟିସ୍‌ ଲାଗିବ। ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀ ସିଟ୍‌ରେ ବସିବାକୁ କୁହାଯାଇଛି। ପରୀକ୍ଷା କେନ୍ଦ୍ର ନିକଟରେ ଯେପରି ଅଭିଭାବକ ଏକାଠି ନ ହୁଅନ୍ତି, ସେଥିପ୍ରତି ପଦକ୍ଷେପ ନେବାକୁ କୁହାଯାଇଛି। ଦରକାର ପଡ଼ିଲେ ପରୀକ୍ଷା କେନ୍ଦ୍ର ସୁପରିନଟେଣ୍ତେଣ୍ଟ ସ୍ଥାନୀୟ ପୁଲିସର ସହାୟତା ନେଇପାରିବେ। ଯଦି ପରୀକ୍ଷା କେନ୍ଦ୍ରର କୌଣସି ଅଧ୍ୟାପକ ଓ କର୍ମଚାରୀ କପି ଯୋଗାଣରେ ସମ୍ପୃକ୍ତ ଥିବା ନଜରକୁ ଆସେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆବଶ୍ୟକ ପଡ଼ିଲେ ପୁଲିସ ଦ୍ବାରା ବନ୍ଧା ହେବେ। ଛାତ୍ର ଓ ଛାତ୍ରୀଙ୍କ ଲାଗି ଅଲଗା ଶୌଚାଳୟ, ପରୀକ୍ଷା ସମୟରେ ପର୍ଯ୍ୟାୟକ୍ରମେ ଶୌଚାଳୟ ଯାଞ୍ଚ, ଶୌଚାଳୟ ଯିବା ପୂର୍ବରୁ ପରୀକ୍ଷାର୍ଥୀ ନିଜ ଟେବୁଲ୍‌ରେ ଯେପରି ପ୍ରଶ୍ନପତ୍ର ରଖି ଯିବେ, ସେଥିପ୍ରତି ଇନ୍‌ଭିଜିଲେଟରମାନେ ଧ୍ୟାନ ଦେବା ଆବଶ୍ୟକ ବୋଲି ପରିଷଦ ପକ୍ଷରୁ ସମସ୍ତ ପରୀକ୍ଷା କେନ୍ଦ୍ରର ସୁପରିନଟେଣ୍ଡେଣ୍ଟଙ୍କୁ କୁହାଯାଇଛି। ଏହି ଭିଡିଓ କନ୍‌ଫରେନ୍‌ସିଂରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମେତ ଉନ୍ନୟନ କମିସନର ସୁରେଶ ମହାପାତ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ସୁନ୍ଦରଲାଲ୍‌ ସିଲ୍‌, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ, ଗଣଶିକ୍ଷା ବିଭାଗ ଯୁଗ୍ମ ସଚିବ ଶୁଭଶ୍ରୀ ନନ୍ଦ, ପୁଲିସ ଅତିରିକ୍ତ ମହାନିର୍ଦେଶକ, ପରିଷଦର ପରୀକ୍ଷା‌ ନିୟନ୍ତ୍ରକ ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଗଠନ ହେଲା ଦୁଇସ୍ତରୀୟ ସ୍କ୍ବାଡ୍‌
ଭୁବନେଶ୍ବର: ଯୁକ୍ତ୨ ପରୀକ୍ଷାକୁ ଆଉ ମାତ୍ର ୫ ଦିନ ବାକି ରହିଛି। ତା’ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦୁଇସ୍ତରୀୟ ସ୍କ୍ବାଡ୍‌ ଗଠନ ହୋଇଛି। ‌ଭୁବନେଶ୍ବରସ୍ଥିତ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ଅଧୀନରେ ସେଣ୍ଟ୍ରାଲ ସ୍କ୍ବାଡ୍‌ ଗଠନ ହୋଇଥିବା ବେଳେ ୩ଟି ଜୋନ୍‌ରେ ଜୋନାଲ ସ୍କ୍ବାଡ୍‌ କରାଯାଇଛି। ସେଣ୍ଟ୍ରାଲ ଜୋନ୍‌ରେ ସର୍ବାଧିକ ୮୯ ଜଣ ସଦସ୍ୟ ରହିଛନ୍ତି। ବ୍ରହ୍ମପୁର ଜୋନ୍‌ରେ ୩୮, ସମ୍ବଲପୁର ଜୋନ୍‌ରେ ୪୧ ଓ ବାରିପଦା‌ ଜୋନ୍‌ରେ ୩୯ ଜଣ ରିଡର ଓ ଅଧ୍ୟାପକ ସାମିଲ ହୋଇଛନ୍ତି। ଆସନ୍ତା ୨୯ ତାରିଖ ଅପରାହ୍ନ ସୁଦ୍ଧା ସ୍କ୍ବାଡ୍‌ରେ ଥିବା ସଦସ୍ୟକୁ ରିଲିଭ୍‌ କରିବାକୁ ପରିଷଦ ପକ୍ଷରୁ ସମସ୍ତ ଯୁକ୍ତ୨ କଲେଜ ଅଧ୍ୟକ୍ଷଙ୍କୁ କୁହାଯାଇଛି। ମାର୍ଚ୍ଚ ୨ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ସମସ୍ତ ସ୍କ୍ବାଡ୍‌ ସଦସ୍ୟ ନିଜ ନିଜ ଜୋନ୍‌ କାର୍ଯ୍ୟାଳୟରେ ରିପୋଟିଂ କରିବାକୁ ନିର୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ୨୪ ତାରିଖଠାରୁ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରକୁ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯାଉଛି। ମାର୍ଚ୍ଚ ପହିଲା ସୁଦ୍ଧା ସମସ୍ତ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପହଞ୍ଚିବ। ମାର୍ଚ୍ଚ ୧୧ରେ ଦ୍ବିତୀୟ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯିବ ଏବଂ ୧୭ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ। ତେଣୁ ଏହି ସମୟ ମଧ୍ୟରେ ପଡ଼ୁଥିବା ରବିବାର ଓ ଛୁଟି ଦିନଗୁଡ଼ିକରେ ପ୍ରଶ୍ନପତ୍ର ଗ୍ରହଣ କରିବାକୁ ସମସ୍ତ ପରୀକ୍ଷା ପରିଚାଳନା ହବ୍‌ର ସୁପ‌ରଭାଇଜରଙ୍କୁ କୁହାଯାଇଛି। ହବ୍‌ର ସୁପରଭାଇଜର ଓ ଡେପୁଟି ସୁପରଭାଇଜର ହିଁ କେବଳ ପ୍ରଶ୍ନପତ୍ର ପ୍ୟାକେଟ୍‌ ଗ୍ରହଣ କରି‌ପାରିବେ। ପରୀକ୍ଷା କେନ୍ଦ୍ରର ଆବଶ୍ୟକତା ଅନୁଯାୟୀ ସୁପରଭାଇଜରମାନେ ପ୍ରଶ୍ନପତ୍ର ସଂଗ୍ରହ କରିବେ। ଯଦି କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ହୁଏ ତେବେ ସଙ୍ଗେ ସଙ୍ଗେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କୁହାଯାଇଛି। ହବ୍‌ରେ ୨୪ ଘଣ୍ଟା ସିସିଟିଭି ଚାଲିବ। ଅନ୍ୟ କୌଣସି ସମୟରେ ହବ୍‌ର ତାଲା ଓ ସିଲ୍‌ ଖୋଲାଯିବ ନାହିଁ। ପୁଲିସ ପକ୍ଷରୁ ୨୪ ଘଣ୍ଟିଆ ସୁରକ୍ଷା ରହିବ। ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି।

ସମ୍ବନ୍ଧିତ ଖବର