ଓଡ଼ିଶାରେ ୮୩ଲକ୍ଷ ହିତାଧିକାରୀ ପାଇବେ ମାସିକ ୫୦୦ ଟଙ୍କା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୩ ମାସ ଦିଆଯିବ

ବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତି, ଗହଳି ନ କରିବାକୁ ନିବେଦନ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଓଡ଼ିଶାର ପ୍ରାୟ ୮୩ଲକ୍ଷ ହିତାଧିକାରୀ ଉପକୃତ ହେବ। ଏସଏଲବିସି ପକ୍ଷରୁ ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ସଞ୍ଜୟ କୁମାର ‘ସମ୍ବାଦ’କୁ ଏଭଳି ସୂଚନା େଦଇଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାରେ ପ୍ରାୟ ୧କୋଟି ୫୨ଲକ୍ଷ ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ରହିଛି। ହେଲେ ୮୩ଲକ୍ଷ ଆକାଉଣ୍ଟଧାରୀ ହେଉଛନ୍ତି ମହିଳା। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ କେନ୍ଦ୍ର ସରକାର ପ୍ରତି ମାସରେ ୫୦୦ ଟଙ୍କା ଲେଖାଏଁ ତିନି ମାସରେ ୧୫୦୦ ଟଙ୍କା ଦେବେ। ଏଣୁ ପ୍ରତିମାସରେ ହିତାଧିକାରୀଙ୍କୁ ୫୦୦ ଟଙ୍କା ଦିଆଯିବ। ହେଲେ ସଂପୃକ୍ତ ହିତାଧିକାରୀ ଏହି ଅର୍ଥ ନେବା ବେଳେ ଗହଳି ନ କରି ସାମାଜିକ ଦୂରତ୍ବ ରକ୍ଷା କରିବା ଲାଗି ଶ୍ରୀ କୁମାର ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ବର ସର୍କଲ ମୁଖ୍ୟ ମହାପ୍ରବନ୍ଧକ ପ୍ରବୀନ କାଲା ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ବ୍ୟାଙ୍କ ଆକାଉଣ୍ଟକୁ ସିଧା ଟଙ୍କା ଯିବ। ପ୍ରଥମ ପର୍ଯ୍ୟାୟରେ ମହିଳା ଉଦ୍ୟୋଗୀ ମାନଙ୍କୁ ଟଙ୍କା ପଠାଯିବ। ଆମ ରାଜ୍ୟରେ ଷ୍ଟେଟ ବ୍ୟାଙ୍କ ଅଧୀନରେ ପ୍ରାୟ ୩୯.୫୧ ଲକ୍ଷ ମହିଳା ଆକାଉଣ୍ଟ ଅଛି। ଓଡିଶାରେ ଏସବିଆଇ ବ୍ୟାଙ୍କ ମାଧ୍ୟମରେ କାଲି ଠାରୁ ଟଙ୍କା ପଠାଯିବ। ମହିଳା ମାନଙ୍କ ବ୍ୟାଙ୍କକୁ ଟଙ୍କା ଯିବା ପରେ ଏସଏମଏସ ଯିବ। ତାପରେ ଯାଇ ସେମାନେ ଟଙ୍କା ଉଠେଇ ପାରିବେ। ‌ସେ କହିଛନ୍ତି ଯେ ପେଟ୍ରୋଲ ପମ୍ପରେ ଏସବିଆଇର ମାଇକ୍ରୋ ଏଟିଏମରେ ଟଙ୍କା ଉଠାଣ ହୋଇପାରିବ। ତେବେ ଟଙ୍କା ଉଠେଇବା ପୂର୍ବରୁ ହିତାଧିକାରୀ ନିଶ୍ଚୟ ହାତ ଧୋଇବେ ଓ ଉଠାଇ ସାରିବା ପରେ ବି ହାତ ଧୋଇବା ଦରକାର। ଟଙ୍କା ଉଠାଇବା ସମୟରେ ସାମାଜିକ ଦୂରତା ରକ୍ଷା କରିବା ସହିତ ସକାଳ ୧୦ଟାରୁ ଅପରାହ୍ନ୪ଟା ଯାଏ ବ୍ୟାଙ୍କ ଖୋଲା ରହୁଥିବା ପରିପ୍ରେକ୍ଷୀରେ ଅଯଥା ଭିଡ ନ କରିବା ଲାଗି ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର