ପ୍ରମୁଖ ପ୍ରସଙ୍ଗରୁ ଦୂରେଇ ରହିଲେ

ଭୁବନେଶ୍ୱର : କଟକ ବାଲିଯାତ୍ରା ପଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ କଲ୍ୟାଣ ସମାବେଶର ପ୍ରଭାବ ଓଡ଼ିଶା ରାଜନୀତି ଉପରେ ପଡିବ କି? ମହାନଦୀ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆଲୋଚନା ଜୋର ଧରିଥିଲା ବେଳେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ କ’ଣ ବିଜେପିକୁ ଶକ୍ତି ଯୋଗାଇବ?

ପ୍ରଧାନମନ୍ତ୍ରୀ ଆଜି ସନ୍ଧ୍ୟାରେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବା ସହିତ ଏମିତି କିଛି ପ୍ରଶ୍ନକୁ ନେଇ ରାଜନୈତିକ ମହଲରେ ପୋଷ୍ଟମର୍ଟମ ଆରମ୍ଭ ହୋଇଗଲାଣି। ବିଜେଡି ଓ କଂଗ୍ରେସ ଏହି ଘଟଣାରେ ତତ୍କାଳ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ କଠୋର ସମାଲୋଚନା କରିବା ସହିତ ମହାନଦୀ ପ୍ରସଙ୍ଗରେ ଘେରିବା ଆରମ୍ଭ କରି ଦେଲେଣି। ଅନ୍ୟପଟରେ ପ୍ରଧାନମନ୍ତ୍ରୀଙ୍କ ଏହି ଜନ କଲ୍ୟାଣ ସମାବେଶ ତାଙ୍କ ପାଇଁ ଆଦୌ କଲ୍ୟାଣ ଦାୟକ ହେଲା ନାହିଁ ବୋଲି ଚିନ୍ତାରେ ପଡିଗଲେଣି ରାଜ୍ୟ ବିଜେପି।

ପ୍ରଧାନମନ୍ତ୍ରୀ ଆସୁଛନ୍ତି ବୋଲି ଜାଣି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉଦ୍ଦେଶ୍ୟରେ ଅତ୍ୟନ୍ତ ଶାଣିତ ପ୍ରଶ୍ନ ରଖି ଉତ୍ତର ମାଗିଥିଲେ। ଆଜି ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗରେ ମୁହଁ ଖୋଲିଲେ ସତ, ମାତ୍ର ଛତିଶଗଡର ବେଆଇନ କାରନାମା ସଂପର୍କରେ ପ୍ରଧାନମନ୍ତ୍ରୀ ନିରବ ରହିଲେ। କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅନ୍ୟାୟ କରିନାହିଁ, ଏକଥା ବି କହିଲେନି। କେବଳ ସେତିକି ନୁହେଁ, ନବୀନଙ୍କ ନାଁ ନେଲେନି, କିମ୍ବା ସରକାରକୁ ପୂର୍ବଥର ମାନଙ୍କ ଭଳି ଶାଣିତ ଆକ୍ରମଣ ତାଙ୍କ ଭାଷଣରେ ନଥିଲା। ପ୍ରଧାନମନ୍ତ୍ରୀଙ୍କର ଏଭଳି ଆଭିମୁଖ୍ୟ ମହାନଦୀ ପ୍ରସଙ୍ଗରେ ରାଜ୍ୟ ବିଜେପିକୁ ଅଧିକ ଅକଳରେ ପକାଇ ଦେଇଛି। କାରଣ ଗତ ଦୁଇବର୍ଷ ଧରି ରାଜ୍ୟ ବିଜେପି ନେତା, କର୍ମୀ ପ୍ରତିଟି ସଭା ସମିତି, ଆଲୋଚନାରେ ଯେଉଁ କିଛି କଥା ଗର୍ଜି ଚାଲିଛନ୍ତି, ତାକୁ ହିଁ କେବଳ ମୋଦି ଦୋହରାଇଥିଲେ। ଏହାଠାରୁ ଆଉ ପାଦେ ଆଗକୁ ଯାଇ କିଛି ବି ଆଶ୍ୱାସନା ଶୁଣାଇନଥିଲେ ରାଜ୍ୟବାସୀଙ୍କୁ।

ମହାନଦୀ ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ନିଜେ ସରକାର ରାଜ୍ୟ ବିଧାନସଭାରେ କହିଛନ୍ତି, ମହାନଦୀର ଅଧାରୁ ଅଧିକ ଜଳ ସମୁଦ୍ରକୁ ଯାଉଛି। ମହାନଦୀ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଉଦ୍ୟମ କରିଥିଲେ ଓ ରାଜ୍ୟ ସରକାର ସହଯୋଗ କଲେନି ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ। ଆଉ ପାଦେ ଆଗକୁ ଯାଇ ୨୦ ବର୍ଷ ତଳେ ଆରମ୍ଭ ହୋଇଥିବା ଲୋୟର ଇନ୍ଦ୍ର ପ୍ରକଳ୍ପ କାହିଁକି ଅଟକି ରହିଛି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିବା ସହିତ ସ୍ୱାସ୍ଥ୍ୟ ଓ ଚାଷୀଙ୍କ ସଂପର୍କରେ ଧାଡିଟିଏ କହିଥିଲେ।

ଆଜି ବିଜେଡି ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ତତ୍କାଳ ପ୍ରତିକ୍ରିୟା ରଖିଛି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ସ୍ୱାଭିମାନୀ ଓଡ଼ିଆଙ୍କୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ବିଚଳିତ କରିଛି। ତାଙ୍କ କଥା ଗ୍ରହଣଯୋଗ୍ୟ ନୁହେଁ। ପ୍ରଧାନମନ୍ତ୍ରୀ କହିଲେ ଯେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଚେଷ୍ଟା କରିଥଲେ ଯେ ଦ୍ୱିପାକ୍ଷିକ ଆଲୋଚନା କରି ସମାଧାନ କରିବା ପାଇଁ। ଶ୍ରୀ ଗଡ଼କରୀ ଯେତେବେଳେ ଜଳସମ୍ପଦ ମନ୍ତ୍ରୀ ହେଲେ ତାହାର ବହୁ ପୂର୍ବରୁ ସୁପ୍ରିମକୋର୍ଟରେ ମାମଲା ଶୁଣାଣି ଆରମ୍ଭ ହୋଇଯାଇଥିଲା। ସଂସଦରେ ତାଙ୍କ ମନ୍ତ୍ରୀ ଯଦିଓ ଟ୍ରିବ୍ୟୁନାଲ୍‌କୁ ସମର୍ଥନ କଲେ, କିନ୍ତୁ ସୁପ୍ରମିକୋର୍ଟରେ ତାଙ୍କ ବିଭାଗର ଓକିଲ ଟ୍ରିବ୍ୟୁନାଲ୍‌କୁ ବିରୋଧ କଲେ। ପ୍ରଧାନମନ୍ତ୍ରୀଙ୍କ ଭାଷାରେ ଜନତା ସବୁ ଜାଣୁଛନ୍ତି। ଓଡ଼ିଶାର ଜନସାଧାରଣ ବି ସବୁ ବୁଝୁଛନ୍ତି ଓ ଦେଖୁଛନ୍ତି। ସତ୍ୟ କ’ଣ, ମିଥ୍ୟା କ’ଣ ଲୋକ ସବୁ ଜାଣୁଛନ୍ତି। କେନ୍ଦ୍ର ସରକାର କେବେ ବି ଥରେ ପ୍ରୟାସ କଲେ ନାହିଁ ଛତିଶଗଡ଼ର କାମ ଅଟକାଇବାକୁ। ମହାନଦୀ ପ୍ରସଙ୍ଗରେ କିଛି ଟିପ୍ପଣୀ ଦେବେ ବୋଲି ଆଶା କରିଥିଲୁ। ତାହା ବି ପ୍ରତାରଣାରେ ପରିଣତ ହୋଇଛି। କେନ୍ଦ୍ର ସରକାର ଓଡ଼ିଶାକୁ ବିଭିନ୍ନ ପ୍ରକଳ୍ପ ପାଇଁ ୮୦ ହଜାର କୋଟି ଟଙ୍କା ଦେଇଥିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଲେ। କିନ୍ତୁ ୪ ବର୍ଷ ଭିତରେ ଓଡ଼ିଶା ସରକାର କିଛି ଏମିତି ଟଙ୍କା ପାଇ ନାହାନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିଲା ପରେ ଓଡ଼ିଶାବାସୀ ନିରାଶ ହୋଇଛନ୍ତି। ତାଙ୍କ ଉପରେ ବହୁତ ଆଶା ଥିଲା, ମହାନଦୀ ପ୍ରସଙ୍ଗରେ ସେ ଆଶ୍ୱାସନା ଦେବେ। କିନ୍ତୁ ପ୍ରତ୍ୟକ୍ଷରେ ସେ ଛତିଶଗଡ଼ ସରକାରଙ୍କୁ ସଂପୂର୍ଣ୍ଣ ସମର୍ଥନ କଲେ। ମହାନଦୀ ବିଷୟରେ ସେ ଯାହା କହିଲେ ତାହା ସମସ୍ତେ ଜାଣନ୍ତି। କିନ୍ତୁ ଆଜିର ସମସ୍ୟା ଭିନ୍ନ। ଆଜିର ସମସ୍ୟା ହେଉଛି ଛତିଶଗଡ଼ ସରକାର ମହାନଦୀ ପାଣି ରୋକିଦେଉଛି। ପ୍ରଧାନମନ୍ତ୍ରୀ ଯାହା କହିଲେ ତାହା ମିଥ୍ୟା। ସେ କହିଲେ, ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ଓଡ଼ିଶା ସରକାର ରାଜି ହେଲେନି। ଆମେ ଏହା ଗଠନ ପାଇଁ ପଦକ୍ଷେପ ନେଲୁ। ବରଂ ସୁପ୍ରିମ କୋର୍ଟଙ୍କ ନିର୍ଦେଶରେ ଟ୍ରିବ୍ୟୁନାଲ୍‌ ଗଠନ ହୋଇଛି। ଟ୍ରିବ୍ୟୁନାଲ୍‌କୁ କେନ୍ଦ୍ର କାର୍ଯ୍ୟକ୍ଷମ କରୁନାହିଁ ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତିି।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ମହାନଦୀର ପ୍ରବେଶସ୍ଥଳ ଶୁଖାଶୋଡା ଓ ଚିଖିଲିଠାରୁ ପାରାଦୀପ ଯାଏ ଦୀର୍ଘ ୫୦୦ କିଲୋମିଟର ଧରି ମହାନଦୀ ସୁରକ୍ଷା ଅଭିଯାନ ନାଁରେ ବ୍ୟାପକ କାର୍ଯ୍ୟକ୍ରମ କରିଥିଲା ବିଜେଡି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସରକାର ଓ ରାଜ୍ୟ ବିଜେପିକୁ ଟାର୍ଗେଟ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ, ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଚୁପ୍‌ ରହିଛନ୍ତି। ଓଡ଼ିଶାର ବିଜେପି ନେତାମାନେ ଛତିଶଗଡ଼ର କାମକୁ ସମର୍ଥନ କରୁଛନ୍ତି। ଆଉ ଏଠାକୁ ଆସି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ସେମାନଙ୍କର ଦୋ ମୁହାଁ ନୀତି ଲୋକେ ଜାଣିସାରିଲେଣି। ଯଦି ସତରେ ଓଡ଼ିଶା ପ୍ରତି ସେମାନଙ୍କର ଦରଦ ଅଛି, ସେମାନେ ଛତିଶଗଡ଼ ସରକାର ମହାନଦୀ ଉପରେ ଚଳାଇଥିବା ନିର୍ମାଣ କାର୍ଯ୍ୟକୁ ବିରୋଧ କରନ୍ତୁ ଓ ବନ୍ଦ କରାନ୍ତୁ। ସେମାନେ ଛତିଶଗଡ଼଼ର ବିଜେପି ସରକାରକୁ ବିରୋଧ କରିପାରିବେ କି?

ଆଶା କରାଯାଉଥିଲା, ଆଜି ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଜୋରଦାର ଉତ୍ତର ରଖିବେ, ଯାହାକୁ ଧରି ବିଜେପି ଏହି ପ୍ରସଙ୍ଗରେ ଆଗକୁ ଯାଇପାରିବ। ହେଲେ ଶ୍ରୀ ମୋଦି ଛତିଶଗଡ଼ ପ୍ରକଳ୍ପ ବନ୍ଦ କରିବା ସମ୍ପର୍କରେ ଉଁ କି ଚୁଁ କହିନଥିଲେ। ଏପରିକି ମହାନଦୀ ପ୍ରସଙ୍ଗରେ ଓ଼ଡ଼ିଶା ପ୍ରତି ଅନ୍ୟାୟ ହୋଇନାହିଁ, ଏତିକି ବି ପ୍ରଧାନମନ୍ତ୍ରୀ କହିଥିଲେ କିମ୍ବା ବିଜେଡି ଅଭିଯୋଗ ଅସତ୍ୟ ବୋଲି ଜଣାଇନଥିଲେ।

ସେହିଭଳି ତୈଳ ଦର ବୃଦ୍ଧି ଚିନ୍ତାଜନକ ସ୍ଥିତିରେ ରହିଛି। ଗାଁ ଗଣ୍ଡା ଯାଏ ସବୁବର୍ଗର ଲୋକେ ତ୍ରାହି ତ୍ରାହି ଡାକିଲେଣି। ଏହା ବିରୋଧରେ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକୁଛି। ଯେହେତୁ ପଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର, ଏଣୁ ସ୍ୱାଭାବିକ ଭାବେ ରାଜ୍ୟ ବିଜେପି ଚାପରେ ଅଛି। ମାତ୍ର ପ୍ରଧାନମନ୍ତ୍ରୀ ଏ କ୍ଷେତ୍ରରେ ମଧ୍ୟ କିଛି କହିଲେ ନାହିଁ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା ସଂପର୍କରେ ବିଧାନସଭା ଗୃହ କମିଟିକୁ ପ୍ରଧାନମନ୍ତ୍ରୀ ଭେଟିଲେ ନାହିଁ ବୋଲି ବାରମ୍ବାର ଖୁଣ୍ଟା ଦେଉଛନ୍ତି ଶାସକ ବିଜେଡି ଓ କଂଗ୍ରେସ। ମାତ୍ର ସେ କ୍ଷେତ୍ରରେ ମଧ୍ୟ ପ୍ରଧାନମନ୍ତ୍ରୀ ନିରବତା ଅବଲମ୍ବନ କଲେ। ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ପ୍ରସଙ୍ଗ କିମ୍ବା ରାଉରକେଲାର ଆଇଜିଏଚ୍‌କୁ ସୁପର ସ୍ପେସାଲିଷ୍ଟ ମେଡିକାଲ ନେଇ ବିଜେପି ବିଧାୟକ ଦିଲ୍ଲୀପ ରାୟ ଏକାଧିକବାର ଆପତ୍ତି ଉଠାଇ କେନ୍ଦ୍ର ସରକାରଙ୍କୁ ଦାୟୀ କରୁଛନ୍ତି। ହେଲେ, ସେ ନେଇ ମଧ୍ୟ କିଛି ବି କହିନଥିଲେ ମୋଦି।

ସବୁଠାରୁ ବଡ଼ କଥା ହେଉଛି, ନିଜ ସରକାରର ସଫଳତା ବଖାଣିଲା ବେଳେ ମଞ୍ଚ ଉପରେ ତଥା ତାଙ୍କ ପାଖରେ ଦୁଇ ଦୁଇ ଜଣ କ୍ୟାବିନେଟ୍‌ ପାହ୍ୟାର ମନ୍ତ୍ରୀ ଉପସ୍ଥିତ ଥିଲେ। କିନ୍ତୁ ଶ୍ରୀ ମୋଦି ସେମାନଙ୍କ ନାଁ ଧରିନଥିଲେ। ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ଅନୁପସ୍ଥିତ ରହିବା ସୂଚାଇ ଦେଇଛି ଯେ ବିଜେପି ସ୍ୱାସ୍ଥ୍ୟ ତଥାପି ଠିକ୍‌ ହୋଇନାହିଁ।

ସମ୍ବନ୍ଧିତ ଖବର