ମୋଦୀଙ୍କ ଖୋଲା ଆକ୍ରମଣ

ଝାରସୁଗୁଡା/ତାଳଚେର : ଓଡ଼ିଶା ସରକାର ଦୁର୍ନୀତିଗ୍ରସ୍ତ। ପଛୁଆ। ଦିଲ୍ଲୀରେ ଥାଇ ଏ ସରକାରଙ୍କୁ ଉଠାଇବାକୁ ପଡ଼ୁଛି। ରାଜ୍ୟର ବିକାଶ ହେଉ, ସେ ଚିନ୍ତା ଏ ସରକାରର ନାହିଁ। ଏଠି କାଗଜ କଲମରେ ପ୍ରଗତି ଚାଲିଛି।

ଆଜି ଝାରସୁଗୁଡା ଓ ତାଳଚେରରେ ଦୁଇଟି ଜନ ସଭାରେ ବିଜେପି କର୍ମୀଙ୍କୁ ସମ୍ବୋଧିତ କରିବା ଛଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଭଳି ଢଙ୍ଗରେ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି। କେବଳ ସେତିକି ନୁହେଁ, ଭାଷଣର ଚାତୁରୀରେ ରାଜ୍ୟ ବିଜେପିକୁ ଯଥେଷ୍ଟ ବଳ ଦେବା ସହିତ କେନ୍ଦ୍ର ସରକାରଙ୍କ ସଫଳତା ବଖାଣିଛନ୍ତି, ଉପା ସରକାରକୁ ନୀଚ୍ଚା ଦେଖାଇଛନ୍ତି। ଏଥିସହିତ ରାଜ୍ୟର ବିକାଶ ପାଇଁ ଓଡ଼ିଶାରେ ଏବେ ପରିବର୍ତ୍ତନ ଜରୁରୀ ହୋଇପଡିଛି ବୋଲି ବାର୍ତା ଦେବାକୁ ଚେଷ୍ଟା କରିଛନ୍ତି ପ୍ରଧାନମନ୍ତ୍ରୀ। ହେଲେ ରାଫେଲ ଦୁର୍ନୀତି, ତେଲ ଦର ବୃଦ୍ଧି ଓ ଟଙ୍କାର ଅବମୂଲ୍ୟାୟନ ଭଳି ବହୁ ବିବାଦୀୟ ପ୍ରସଙ୍ଗରେ ପଦୁଟିଏ ବି କହିନଥିଲେ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ତାଳଚେରରେ ସାର କାରଖାନାର ଶିଳାନ୍ୟାସ କରିଥିବା ବେଳେ ଝାରସୁଗୁଡ଼ା ବିମାନବନ୍ଦରକୁ ଲୋକାର୍ପିତ କରିଥିଲେ। ଉଭୟ ସ୍ଥାନରେ ଦୁଇଟି ପୃଥକ୍‌ ପୃଥକ୍‌ ସରକାରୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହାସହିତ ବିଜେପି କର୍ମୀଙ୍କୁ ନେଇ ଆଉ ଦୁଇଟି ଜନସଭାରେ ଯୋଗଦେଇଥିଲେ ମୋଦୀ। ବିଜେପି ନିର୍ବାଚନ ପ୍ରଚାରର ବିଗୁଲ୍‌ ଫୁଙ୍କିଥିଲେ।

ଉଭୟ ତାଳଚେର ଓ ଝାରସୁଗୁଡାରେ ଅନୁଷ୍ଠିତ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଅତ୍ୟନ୍ତ ଭାବପୂର୍ଣ୍ଣ ସଂପର୍କ ଥିବା ସୂଚାଇଥିଲେ ପ୍ରଧାନମନ୍ତ୍ରୀ। ବାରମ୍ବାର ମିତ୍ର ବୋଲି ମଧ୍ୟ ଉଚ୍ଚାରଣ କରୁଥିଲେ। ହେଲେ, ଉଭୟ ସରକାରୀ କାର୍ଯ୍ୟକ୍ରମ ସ୍ଥଳଠାରୁ କେଇ ଶହ ମିଟର ଦୂରରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକ୍ରମରେ ନବୀନଙ୍କ ବିରୋଧରେ ମୋଦୀଙ୍କର କଠୋର ଆଭିମୁଖ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ କେନ୍ଦ୍ର ସରକାରକୁ ଅସମ୍ଭବ ସହାୟତା ପ୍ରଦାନ କରିଥିବା ନବୀନଙ୍କ ବିରୋଧରେ ମାତ୍ର ମାସକ ବ୍ୟବଧାନରେ ମୋଦୀଙ୍କର ଏଭଳି କଡ଼ା ମନୋଭାବ ବିଜେପି ଶିବିରକୁ ଉଲ୍ଲସିତ କରିଥିବା ବେଳେ ବିଜେଡି ଶିବରରେ କମ୍ପନ ସୃଷ୍ଟି କରିଥିବା କୁହାଯାଉଛି। ପରୋକ୍ଷରେ ମୋଦୀ ଓଡ଼ିଶାରେ ନିର୍ବାଚନୀ ବାତାବରଣକୁ ଖୋରାକ ଯୋଗାଇଛନ୍ତି। ଉଭୟ ସଭାରେ ରାଜ୍ୟ ସରକାର ଓ ନବୀନଙ୍କ ବିରୋଧରେ ୧୦ ଦଫା ଅଭିଯୋଗ ଫର୍ଦ ଉପସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ।

ତାଳଚେରରେ ଅନୁଷ୍ଠିତ ସଭାରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା, ଆୟୁଷ୍ମାନ ଯୋଜନା ଓ ଟଙ୍କିକିଆ ଚାଉଳ ଯୋଜନା ସଂପର୍କରେ ଠାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ତାଙ୍କ ଆଭିମୁଖ୍ୟ ପ୍ରକଟ କରିଥିଲେ। ଆଉ ଛି଼ଡୁଥିବା ପଶ୍ଚିମ ଓଡ଼ିଶା ଭୋଟ ବ୍ୟାଙ୍କକୁ ଟାଣି ଧରିବା ଲାଗି ଝାରସୁଗୁଡାରେ ସରକାରକୁ ଦୁର୍ନୀତିଗ୍ରସ୍ତ ଓ ପଛୁଆ ବୋଲି କହିଥିଲେ ମୋଦୀ। ଭ୍ରଷ୍ଟାଚାର ଓ ବିଳମ୍ବିତ ନିଷ୍ପତ୍ତି ଓଡ଼ିଶା ସରକାରର ପରିଚୟ ହେଲାଣି। ତେଣୁ ଦିଲ୍ଲୀରେ ଥାଇ ଆମକୁ ଓଡ଼ିଶା ସରକାରଙ୍କୁ ଉଠାଇବାକୁ ପଡ଼ୁଛି। ରାଜ୍ୟର ବିକାଶ ହେଉ, ସେ ନେଇ ଓଡ଼ିଶା ସରକାରର ଚିନ୍ତା ନାହିଁ। ରାଜ୍ୟର ବିକାଶ ଅପେକ୍ଷା ଦିଲ୍ଲୀ କଥା ବେଶୀ ଚିନ୍ତା କରୁଛନ୍ତି ନବୀନ ବୋଲି ସେ କହିଥିଲେ।

ଓଡ଼ିଶାରେ ‘ପିସି’ କାରବାର ଚାଲିଛି ବେଲି ଉଲ୍ଲେଖ କରି ମୋଦୀ କହିଲେ ଯେ ଏହି ପିସି ପାଇଁ କୌଣସି ବିକାଶ ହୋଇପାରୁନାହିଁ। ବିନା ହାତଗୁଞ୍ଜାରେ କିଛି ବି କାର୍ଯ୍ୟ ହେଉନାହିଁ। ପିସି କାରବାର ରାଜ୍ୟର ଗରିବ ଲୋକଙ୍କୁ ପେଷି ଦେଲାଣି। ଚାରା ଠାରୁ ଆରମ୍ଭ କରି ରାସ୍ତାଘାଟ ଯାଏ ସବୁଠି ଘୋଟାଲା ହେଉଛି। ଓଡ଼ିଶାବାସୀ ହନ୍ତସନ୍ତ ହେଉଛନ୍ତି। ରାଜ୍ୟରେ ଭ୍ରଷ୍ଟତନ୍ତ୍ର ଚାଲିଛିି। ଏଭଳି ସ୍ଥିତିରେ ବିକାଶ କେମିତି ସମ୍ଭବ ହେବ?

ବେକାରୀ, ମାତୃଶିଶୁ ମୃତ୍ୟୁ, ଅପପୁଷ୍ଟି ସ୍ଥିତି ଗମ୍ଭୀର ରହିଛି ବୋଲି ଦର୍ଶାଇ ମୋଦୀ ଗୋଟିଏ ପଟେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସଂପର୍କରେ ସୂଚନା ଦେଇଥିବା ବେଳେ ସମାନ୍ତରାଳ ଭାବେ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମରେ ଓଡ଼ିଶା ଯୋଗନଦେବା ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହୋଇନାହିଁ। ନବୀନ ବାବୁ କାହିଁକି ବୁଝିପାରୁନାହାନ୍ତି ମୁଁ ବୁଝିପାରୁନି। ଖୋଲା ସଭାରେ ନବୀନ ବାବୁଙ୍କୁ ପୁଣି ଥରେ କହୁଛି, ଯୋଜନାରେ ସାମିଲ ହୁଅନ୍ତୁ, ଗରିବଙ୍କୁ ଲାଭ ଦିଅନ୍ତୁ। ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା କଥା କାହାକୁ ଅଛପା ନୁହେଁ।

ପ୍ରଧାନମନ୍ତ୍ରୀ କହିଥିଲେ, ଆସନ୍ତାକାଲି ରାଞ୍ଚିରୁ ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦେଶବ୍ୟାପୀ ଆରମ୍ଭ ହେବ। ଏହାଦ୍ୱାରା ୧୦ କୋଟି ଗରିବ ପରିବାର ଅର୍ଥାତ ପ୍ରାୟ ୫୦ କୋଟି ଲୋକ ଉପକୃତ ହେବେ। ୫ ଲକ୍ଷ ଟଙ୍କା ପଯ୍ୟର୍ନ୍ତ ଜଣଙ୍କୁ ଚିକିତ୍ସା ଖର୍ଚ୍ଚ ଲାଗି ବୀମା ସୁବିଧା ମିଳିବ। ୨୭ଟି ରାଜ୍ୟ ଏଥିରେ ସାମିଲ ହୋଇଛନ୍ତି। ଭିତ୍ତିଭୂମି ସଂପର୍କରେ ମୋଦୀ କହିଥିଲେ, ଓଡ଼ିଶାରେ ଡାକ୍ତରୀ ଶିକ୍ଷା ଏବଂ ଆଧୁନିକ ଚିକିତ୍ସା ସେବାକୁ ବିକଶିତ କରିବା ଲାଗି ୫ ଟି ଜିଲ୍ଲା ହସ୍ପିଟାଲ (ବାଲେଶ୍ୱର, ବାରିପଦା, କୋରାପୁଟ, ବଲାଙ୍ଗୀର ଏବଂ ପୁରୀ) କୁ ମେଡିକାଲ କଲେଜ ହସ୍ପିଟାଲରେ ପରିଣତ କରାଯାଇଛି। ତାଳଚେର ଓ ସୁନ୍ଦରଗଡରେ ଆଉ ଦୁଇଟି ମେଡିକାଲ କଲେଜ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଚାଲିଛି । ୩୬୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତାରେ କଟକ, ବୁର୍ଲା ଏବଂ ବ୍ରହ୍ମପୁର ମେଡିକାଲ କଲେଜର ଆଧୁନିକୀକରଣ ହେଉଛି। ୫୭୦ କୋଟି ଟଙ୍କା ବିନିଯୋଗରେ ରାଉରକେଲା ମେଡିକାଲ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲର ମଧ୍ୟ ଆଧୁନିକୀକରଣ କରାଯାଉଛି।

ସ୍ୱଚ୍ଛତା କ୍ଷେତ୍ରରେ ଓଡ଼ିଶାର ପଛୁଆପଣ ସଂପର୍କରେ ସଙ୍ଗିନ ଅଭିଯୋଗ ଆଣି ପ୍ରଧାନମନ୍ତ୍ରୀ କହିଥିଲେ, ଏ ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ପଟ୍ଟନାୟକଙ୍କ ସହ କଥା ହୋଇଥିଲି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପଛରେ ପଡ଼ିଥିବା ଜଣାଇଥିଲି। ଏଠି ପୁଣି କହୁଛି, ନବୀନ ଓଡ଼ିଶାରେ ସ୍ୱଚ୍ଛତାକୁ ପ୍ରାଥମିକତା ଦିଅନ୍ତୁ।

କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡ଼ପ କରୁଥିବା ନେଇ ଗର୍ଜୁଥିଲା ରାଜ୍ୟ ବିଜେପି। ଆଜି ଏ ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀ ମୁହଁ ଖୋଲିଛନ୍ତି। ରାଜ୍ୟ ସରକାରଙ୍କ ଟଙ୍କିକିଆ ଚାଉଳ ପଛର ରହସ୍ୟ ସୂଚାଇ ମୋଦୀ କହିଥିଲେ, କେନ୍ଦ୍ର ସରକାର ଚାଉଳ କେଜି ପିଛା ୨୫ରୁ ୩୦ ଟଙ୍କା ଦେଉଛନ୍ତି। ଅର୍ଥାତ୍‌ ରାଜ୍ୟ ସରକାର ଯେଉଁ ୧ ଟଙ୍କିଆ ଚାଉଳ ଦେଉଛନ୍ତି, ତା ପଛରେ କେନ୍ଦ୍ରର ଭାଗ ୨୫ରୁ ୩୦ ଟଙ୍କା ରହିଛି। ଏଥିପାଇଁ ପ୍ରତି ମାସରେ ଓଡ଼ିଶାକୁ କେନ୍ଦ୍ର ୪୫୦ କୋଟି ଟଙ୍କା ଦେଉଛି।

ଉପା ସରକାର ଓ ଏନ୍‌ଡିଏ ସରକାରର ତୁଳନାତ୍ମକ ଚିତ୍ର ପ୍ରଦାନ କରିବାକୁ ଭୁଲି ନ ଥିଲେ ମୋଦୀ। ବିମାନ ବନ୍ଦର, ସାର କାରାଖାନା ସଂପର୍କରେ ଉପା ସରକାରର ଉଦାସୀନତା ସୂଚାଇବା ସହିତ ତାଙ୍କ ସରକାରର ଆଗୁଆପଣ ଚିତ୍ର ରଖିଥିଲେ। ବିକାଶ ପାଇଁ ସରକାରର ପ୍ରତିବଦ୍ଧତା ସଂପର୍କରେ ଠାରି କହିଥିଲେ, ୫୦ ବର୍ଷ ପରେ ଦ୍ୱିତୀୟ ବିମାନ ବନ୍ଦର ହୋଇଛି। ଖୁବ୍‌ ଶୀଘ୍ର କୋରାପୁଟ, କଳାହାଣ୍ଡି ଓ ରାଉରକେଲାରେ ବି ବିମାନବନ୍ଦର ହେବ। ସେହିପରି ସାର କାରଖାନା ଆଜି ଆରମ୍ଭ ହୋଇଛି, ସେ ନିଜେ ୩୬ମାସ ପରେ ଆସି ଏହାର ଉଦ୍‌ଘାଟନ କରିବେ।

କେନ୍ଦ୍ରୀୟ ଅବହେଳା ନେଇ ରାଜ୍ୟ ସରକାରଙ୍କ ନାରାବାଜି ଉପରେ ଜବାବ ଦେଇଥିଲେ ପ୍ରଧାନମନ୍ତ୍ରୀ। କହିଥିଲେ, ଉପା ସରକାର ସମୟରେ ୮୨ ହଜାର କୋଟି ଟଙ୍କା ମିଳୁଥିଲା। ଏନ୍‌ଡିଏ ସରକାର ସମୟରେ ଏହା ୨ଲକ୍ଷ କୋଟି ଟଙ୍କା ଡେଇଁଛି। ହେଲେ ଦୁର୍ଭାଗ୍ୟ ହେଲା, ଅନୁଦାନ ଅର୍ଥ ଖର୍ଚ୍ଚ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି।

ନିଜ ଭାଷଣ ଛଳରେ ଉଜ୍ଜଳା ଯୋଜନାକୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ। ରାଜ୍ୟର ୫୦ ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସାମିଲ କରାଯାଇଥିବା ଜଣାଇଥିଲେ। ଆହୁରି କହିଥିଲେ, ୨୦୨୨ ସୁଦ୍ଧା ଦେଶରେ କେହି ହେଲେ ବାସହୀନ ରହିବେ ନାହିଁ । ଓଡ଼ିଶାରେ ଗତ ଚାରି ବର୍ଷ ମଧ୍ୟରେ ୧୦ ଲକ୍ଷ ଗୃହ ନିର୍ମାଣ ପାଇଁ କେନ୍ଦ୍ରୀୟ ମଂଜୁରି ଦିଆଯାଇଛି । ଜନଧନ ଯୋଜନାରେ ଓଡ଼ିଶାରେ ୧ କୋଟି ୩୦ ଲକ୍ଷ ଖାତା ଖୋଲାଯାଇଛି।

ଏସବୁ ସହିତ ଉଭୟ କାର୍ଯ୍ୟକ୍ରମରେ ମୋଦୀ ‘ପରିବର୍ତ୍ତନ’ କଥା ଉଠାଇଥିଲେ। ବିକାଶ ପାଇଁ ଓଡ଼ିଶାରେ ଏବେ ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି। ପରିବର୍ତ୍ତନ ହିଁ ଓଡ଼ିଶାକୁ ଆଗକୁ ନେଇପାରିବ। ବିଜେପି ସରକାର ଓଡ଼ିଶାରେ ଆଣିବା ପାଇଁ ଜନସାଧାରଣଙ୍କୁ ପରୋକ୍ଷରେ ଆହ୍ଵାନ ଦେଇଥିଲେ ମୋଦୀ।

ଦଳୀୟ କାର୍ଯ୍ୟକ୍ରମରେ ବରିଷ୍ଠ ନେତାମାନଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ସୁରେଶ ପ୍ରଭୁ, ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର