ବେଣୁ, ବୀଣାଙ୍କୁ ମୋଦୀଙ୍କ ପ୍ରଶ୍ନ : ‘ଚାଷରେ ଆପଣ ଖୁସି ତ!’

ନାଲ୍‌କୋନଗର : ଜୟ ଜଗନ୍ନାଥ। କେମିତି ଅଛନ୍ତି? ଦେଶର କୃଷିରେ ଆପଣଙ୍କର ସିଂହଭାଗ ଅବଦାନ ମହନୀୟ। ଏଥିରେ ଆପଣ ଖୁସି ତ! ଚାଷରୁ ଆପଣଙ୍କର ଆୟ କେତେ? ଏତିକିରେ ଗୁଜୁରାଣ ମେଣ୍ଟି ପାରୁଛି? ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଧାନୀ ଦିଲ୍ଲୀରୁ ଆଜି ସିଧାସଳଖ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ଗାଁର ଚାଷୀ ବେଣୁଧର ପ୍ରଧାନଙ୍କୁ ଭିଡିଓ କନଫରେସିଂ ଜରିଆରେ ଏମିତି ପ୍ରଶ୍ନଗୁଡ଼ିଏ ପଚାରିଛନ୍ତି। କେବଳ ବେଣୁ ନୁହନ୍ତି, ବଅଁରପାଳ ବ୍ଲକର ମହିଳା ଚାଷୀ ବୀଣାପାଣି ରାଉତଙ୍କୁ ବି ତାଙ୍କର ହାଲ୍‌ଚାଲ ପଚାରି ବୁଝିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ତମାମ୍‌ ଚାଷୀଙ୍କ ସହିତ ଏମିତି ପ୍ରାୟ ଦେଢ଼ ଘଣ୍ଟା କାଳ କଥାବାର୍ତ୍ତା ହୋଇଥିଲେ। ଏହି କ୍ରମରେ ଓଡ଼ିଶା ଭାଗରେ ଅନୁଗୁଳ ଜିଲ୍ଲାର ଚାଷୀଙ୍କ ପାଳିଥିଲା। ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ଅଢ଼େଇ ଶହ ଚାଷୀଙ୍କୁ ନେଇ ନାଲ୍‌କୋ ପ୍ରେକ୍ଷାଳୟରେ ଭିଡିଓ କନଫରେନ୍‌ସିଂ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ମୋଦୀ ଗୋଟିଏ ପରେ ଗୋଟିଏ ପ୍ରଶ୍ନ କରି ଚାଲିଥିଲେ। ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଉତ୍ସାହିତ ହୋଇ ବେଣୁ ଅତୀତର ସ୍ମରଣୀୟ କଥା ବଖାଣିଥିଲେ। କହିଥିଲେ, ଅସମୟରେ(ଅଫ୍‌ ସିଜିନ୍‌) ଅନୁଗୁଳରେ ଯେବେ ଫୁଲ କୋବି ଚାଷ କରିବାକୁ ଲୋକେ ଡରୁଥିଲେ ସେତେବେଳେ ମୁଁ ଏଥିପାଇଁ ଅଣ୍ଟା ଭିଡ଼ିଥିଲି। ପ୍ରାୟ ୧୪/୧୫ବର୍ଷ ତଳେ ମୁଁ ସଫଳ ବି ହେଲି। ବେଶ୍‌ ଲାଭ ହେଲା। ଏହା ମୋ ପଡ଼ୋଶୀ ଚାଷୀଙ୍କୁ ପ୍ରେରଣା ଯୋଗାଇଲା। ଏବେ ମୋ ପଡ଼ୋଶୀ ଚାଷୀ ବି ଅସମୟରେ (ଅଫ୍‌ ସିଜିନ୍‌)ରେ ଫୁଲକୋବି ଚାଷ କରୁଛନ୍ତି। ୫୦ରୁ ୮୦ପ୍ରତିଶତ ଚାଷ ସଫଳ ହେଉଛି। କେବଳ ପନିପରିବା ନୁହେଁ, ମାଛ ଚାଷ, ବତକ ପୋଷି ମଧ୍ୟ ଭଲ ରୋଜଗାର କରୁଛି। ବାର୍ଷିକ ୪/୫ଲକ୍ଷ ଲାଭ ଅର୍ଜୁଛି ବୋଲି ବେଣୁ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ। ସେହିପରି ଦୁର୍ଘଟଣାରେ ସ୍ୱାମୀ ଅକର୍ମଣ୍ୟ ହେବା ପରେ ମହିଳା ଚାଷୀ ବୀଣା କେମିତି ସଂଘର୍ଷ କରି ଆଗକୁ ବଢ଼ିଛନ୍ତି; ନୂଆ ଜ୍ଞାନ କୌଶଳରେ ଚାଷ କରି ନିଜର ଅଣ୍ଟା ସଳଖିବା ସହିତ ଗୁଜୁରାଣ କେମିତି ମେଣ୍ଟାଉଛନ୍ତି ସେ କଥା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଦିନ ସାଢ଼େ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସାରା ଦେଶର ଚାଷୀଙ୍କ ସହିତ ମୋଦୀଙ୍କ ବାର୍ତ୍ତାଳାପ ଏମିତି ଚାଲିଥିଲା। ସ୍ୱଳ୍ପ ସମୟ ପାଇଁ ଅନୁଗୁଳର ଚାଷୀଙ୍କ ସହିତ ମୋଦୀ କଥାବାର୍ତ୍ତା ହୋଇଥିଲେ ବି କାର୍ଯ୍ୟକ୍ରମରେ ଉପସ୍ଥିତ ୨୫୦ଚାଷୀଙ୍କୁ ତାହା ବେଶ୍‌ ଉତ୍ସାହିତ କରିଛି। ଜିଲ୍ଲାପାଳ ଅନିଲ ସାମଲଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଗୁଳ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ କୃଷି ବୈଜ୍ଞାନିକ ଡ. ବିନୀତା ଶତପଥୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର