ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ବାତ୍ୟା କ୍ଷୟକ୍ଷତି ପାଇଁ ତତ୍କାଳ ଆବଶ୍ୟକତା ଲାଗି ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ଘୋଷଣା କରିଛନ୍ତି । ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ପରେ ସେ ଏହି ଘୋଷଣା କରିଛନ୍ତି। ପରିଦର୍ଶନରୁ ଫେରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କ୍ଷୟକ୍ଷତିର ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସହାୟତା ରାଶି ଘୋଷଣା କରିଛନ୍ତି । ମୋଦୀ କହିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ କେନ୍ଦ୍ରୀୟ ଟିମ୍ ଓଡ଼ିଶାକୁ ଆସି ବାତ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ କ୍ଷୟକ୍ଷତି ନେଇ ପୁଙ୍ଖାନୁପୁଙ୍ଖ ଆକଳନ କରିବେ । କ୍ଷୟକ୍ଷତି ନେଇ ସଂପୂର୍ଣ୍ଣ ରିପୋର୍ଟ ମିଳିବା ପରେ ପୂର୍ଣ୍ଣାଙ୍ଗ ଯୋଜନା କରାଯିବ । ଏଥିସହ ସେ କହିଥିଲେ, କୋଭିଡ୧୯ ମହାମାରୀ ସମୟରେ ଏପରି ମହାବାତ୍ୟା ଆସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସଠିକ ଢଙ୍ଗରେ ବାତ୍ୟାର ପରିଚାଳନା ଓ ମୁକାବିଲା କରିଥିବାରୁ ଅନେକ ଜୀବନରକ୍ଷା ହୋଇପାରିଛି । ସେଥିପାଇଁ ଓଡ଼ିଶା ସରକାରଙ୍କୁ ଅନେକ ଧନ୍ୟବାଦ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଓଡ଼ିଶାବାସୀ ବହୁତ ଭଲ ଭାବରେ ବାତ୍ୟାର ମୁକାବିଲା କରିଛନ୍ତି । ଓଡ଼ିଶା ପ୍ରଶାସନ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଫଳରେ ଜୀବନ ବଞ୍ଚିଯାଇଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ବାତ୍ୟା ‘ଅମ୍ଫାନ’ ଜନିତ କ୍ଷୟକ୍ଷତି ନେଇ ଆକାଶ ମାର୍ଗରୁ ଆକଳନ ପରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଏହି ମନ୍ତବ୍ୟ ଦେଇଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରସ୍ଥିତ ସମ୍ମିଳନୀ କକ୍ଷରେ ମୋଦୀ ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ ।
ସାମାଜିକ ଦୂରତ୍ୱ ରକ୍ଷା କରି ମୋଦୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ ୩ଟାରେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାହାରିଥିଲେ ଏବଂ ଦୀର୍ଘ ଦେଢ଼ ଘଣ୍ଟା ଧରି ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶମାର୍ଗରେ ଥାଇ ପରିଦର୍ଶନ ସହ ସ୍ଥିତି ସଂପର୍କରେ ଅବଗତ ହୋଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/760ccfb2-2b2d-4a33-9d5c-ef0c522a0020.jpg)