ପ୍ରଧାନମନ୍ତ୍ରୀ-ମୁଖ୍ୟ ସଚିବଙ୍କ ‘ପ୍ରଗତି’ ନେଇ ଭିଡିଓ ସମୀକ୍ଷା : ଓଡ଼ିଶାର ୩ଟି ପ୍ରକଳ୍ପ ସ୍ଥାନ ପାଇଲା

ଭୁବନେଶ୍ୱର : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଯୋଗେ ‘ପ୍ରଗତି’ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତିି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୩ଟି ପ୍ରକଳ୍ପ ଯଥା: ରାଉରକେଲାର ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ, ହରିଦାସପୁର-ପାରାଦୀପ ରେଳପଥ ଓ ବାହାରେ ମଳମୁକ୍ତ ଅଭିଯାନ ସ୍ଥାନ ପାଇଥିଲା।

ସୂଚନାନୁସାରେ ହରିଦାସପୁର-ପାରାଦୀପ ରେଳପଥ ନିର୍ମାଣ ପ୍ରକଳ୍ପ ନିମନ୍ତେ ରାଜ୍ୟ ସରକାର ପ୍ରାୟ ୯୭ ପ୍ରତିଶତ ଜମି ରେଳବାଇକୁ ହସ୍ତାନ୍ତର କରିସାରିଛନ୍ତି। ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ଅବଶିଷ୍ଟ ଜମି ହସ୍ତାନ୍ତର କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଥିଲେ। ୨୦୧୯ ମାର୍ଚ ସୁଦ୍ଧା ଏହି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେବ ଏବଂ ଏ ନେଇ ଅନ୍ୟ କୌଣସି ସମସ୍ୟା ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ କେନ୍ଦ୍ର ପରିବହନ ବିଭାଗ ସଚିବ। ରାଉରକେଲାର ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ପ୍ରକଳ୍ପ ସମୀକ୍ଷାରୁ ଅନ୍ୟତମ ମୁଖ୍ୟ ସମସ୍ୟା ହେଉଛି ପ୍ରସ୍ତାବିତ ସେତୁ ଦିଗକୁ ରାସ୍ତା ନିର୍ମାଣ ପ୍ରସଙ୍ଗ। ପ୍ରଥମତଃ ଯେଉଁ ରାସ୍ତାର ଦିଗ ନିର୍ଧାରଣ ହୋଇଥିଲା, ତାକୁ ସ୍ଥାନୀୟ ଲୋକେ ବିରୋଧ କରୁଥିଲେ। ସେଥିରେ ପରିବର୍ତନ କରି ବାଇପାସ୍‌ ନିର୍ମାଣ ପ୍ରସ୍ତାବ ଉଠିବାରୁ ଏହାକୁ ବିରୋଧ କଲେ ଅନ୍ୟ ଗୋଷ୍ଠୀ। ତେବେ ବର୍ତମାନ ସେ ନେଇ ରହିଥିବା ସମସ୍ୟାର ସମାଧାନ ହୋଇଛି। ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ସେତୁର ଅନ୍ୟ ପାର୍ଶ୍ୱସ୍ଥ ଜମି ରାଜ୍ୟ ସରକାର ଆସନ୍ତା ମାସରେ ହସ୍ତାନ୍ତର କରାଯିବ ବୋଲି ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ପ୍ରକାଶ କରିଥିଲେ। ରାଜ୍ୟରେ ବାହାରେ ମଳମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ସହିତ ସୁସ୍ଥ ଓ ସ୍ୱଚ୍ଛ ଓଡ଼ିଶା କାର୍ଯ୍ୟକ୍ରମ ଆଗେଇ ଚାଲିଥିବା ମୁଖ୍ୟ ସଚିବ କହିଥିଲେ। ଏ ନେଇ ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ ଜାରି ରହିଥିବା ସେ ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର