ବଲାଙ୍ଗୀର ଗସ୍ତରେ ୧୫୫୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି

ବଲାଙ୍ଗୀର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନ ପରେ ଦିନିକିଆ ବଲାଙ୍ଗୀର ଗସ୍ତରେ ଆସୁଛନ୍ତି। ଏଥି ପାଇଁ ରେଳବାଇ, ଜିଲ୍ଲା ପ୍ରଶାସନ ଏବଂ ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ମୋଦୀ ବଲାଙ୍ଗୀର ଗସ୍ତରେ ୧୫୫୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ ବୋଲି ଜଣାପଡ଼ିଛି।

ସରକାରୀ କାର୍ଯ୍ୟକ୍ରମ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନର ବଲାଙ୍ଗୀର ପଟୁ ଟ୍ରେନ ଶୁଭାରମ୍ଭ କରିବେ। ଏହି ଟ୍ରେନ୍‌ ବଲାଙ୍ଗୀର ଠାରୁ ବିଛୁପାଲି ମଧ୍ୟରେ ଚଳାଚଳ କରିବ। ଉଭୟ ଷ୍ଟେସନ ମଧ୍ୟରେ ୧୯ କିଲୋମିଟର ଦୂରତା ଥିବା ବେଳେ ଦିନକୁ ଏକ ଯୋଡ଼ି ଟ୍ରେନ ଚଳାଚଳ କରିପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ସୋନପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଶିଳାନ୍ୟାସ, ଓଡ଼ିଶାର ୬ଟି ଜିଲ୍ଲା (ବରଗଡ଼, ବଲାଙ୍ଗୀର, ପୁୀର, ଫୁଲବାଣୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର)ରେ ପାସପୋର୍ଟ ସେବା କେନ୍ଦ୍ର ଉଦ୍‌ଘାଟନ କରିବେ।

ମୋଦିଙ୍କ ଦଳିୟ ସମାବେଶ ପଥରଚେପା ପଡ଼ିଆ ଠାରେ ଅନୁଷ୍ଠିତ ହେବ। ଏଥି ପାଇଁ ବ୍ୟାପକ ପ୍ରସ୍ତୁତ ଚାଲିଛି। ମୋଦିଙ୍କ ସମାବେଶ ପାଇଁ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ଓ ବିଧାୟକ ପ୍ରଦୀପ ପୁରୋହିତଙ୍କ ସମେତ ଶତାଧିକ ଦଳୀୟ ନେତା ଗୁରୁବାର ପ୍ରସ୍ତାବିତ ସଭାସ୍ଥଳ ପରିଦର୍ଶନ କରିଛନ୍ତି। ଇତି ମଧ୍ୟରେ ବଲାଙ୍ଗୀରବାସୀଙ୍କୁ ନିମନ୍ତ୍ରଣ କରାଯାଇଛି।

ସମ୍ବନ୍ଧିତ ଖବର