ଏଣିକି ପିଏମ୍‌ଏଓ୍ୱାଇ ଯୋଜନାରେ କେନ୍ଦ୍ର ଓ ରାଜ୍ୟର ଲୋଗୋ ରହିବ

ବିଧାନସଭାରେ ଘୋଷଣା କଲେ ପଞ୍ଚାୟତିରାଜ ମନ୍ତ୍ରୀ
ଅଯୋଗ୍ୟ ବାଦ୍ ପଡ଼ିବେ, ଯୋଗ୍ୟ ସାମିଲ ପାଇଁ ବାଟ ଖୋଲିଲେ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଓଡ଼ିଶାର ଲୋଗୋ ପ୍ରତ୍ୟାହାର ହେବ ନାହିଁ। ବରଂ ଏଣିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ଲୋଗୋ ବ୍ୟବହୃତ ହେବ। ଆଜି ଏ ସଂକ୍ରାନ୍ତରେ ଆଗତ ଏକ ମୁଲତବୀ ପ୍ରସ୍ତାବ ଆଲୋଚନା ଶେଷରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏଭଳି ଘୋଷଣା କରିଛନ୍ତି। ଏଥିସହିତ ଏହି ପ୍ରସଙ୍ଗକୁ ନେଇ ଦୀର୍ଘ ଦିନ ଧରି ବିଜେଡି-ବିଜେପି ମଧ୍ୟରେ ଚାଲିଥିବା ଟଣାଓଟରାରେ ପୂର୍ଣ୍ଣଛେଦ ପଡିପାରେ ବୋଲି ଆଶା ପ୍ରକାଶ ପାଇଛି। ଯଦିଓ ଆଜି ବିରୋଧୀ ବିଜେପି ଦଳର ବିଧାୟକମାନେ ମନ୍ତ୍ରୀ ଗୃହରେ ଅସତ୍ୟ କହୁଛନ୍ତି ବୋଲି ଦର୍ଶାଇ କକ୍ଷତ୍ୟାଗ କରିଥିଲେ।

ମନ୍ତ୍ରୀ ଆଜି ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଏକଥା ବି କହିଥିଲେ ଯେ ଆବାସ ତାଲିକାରୁ ଯେଉଁମାନଙ୍କ ନାମ ବାଦ୍‌ ପଡିଛି, କିନ୍ତୁ ସେମାନେ ଯୋଗ୍ୟ ବୋଲି ବିଚାର କରୁଛନ୍ତି, ସେମାନେ ଆଉ ଗୋଟିଏ ସୁଯୋଗ ପାଇବେ। ସେମାନଙ୍କ ଆବେଦନକୁ ଯାଞ୍ଚ କରିବା ପରେ ସରକାର ଆବଶ୍ୟକ ପଦକ୍ଷେପ ନିଶ୍ଚିତ ନେବେ। ସେହିପରି ଯଦି କୌଣସି ଅଯୋଗ୍ୟ ବ୍ୟକ୍ତି ଘର ପାଇଥିବା ନେଇ ଅଭିଯୋଗ ଆସେ, ତାହାକୁ ତୁରନ୍ତ ଯାଞ୍ଚ କରି ତାଲିକାରୁ ବାଦ୍ ଦିଆଯିବ।

ମନ୍ତ୍ରୀ କହିଥିଲେ ଯେ ଯେଉଁମାନେ ପୂର୍ବରୁ ଘର ପାଇଛନ୍ତି ଅଥଚ ଘର ସମ୍ପୂର୍ଣ୍ଣ ହୋଇପାରିନି, ସେମାନଙ୍କୁ ମଧ୍ୟ ଗୋଟିଏ ସର୍ତରେ ନୂଆ ତାଲିକାରେ ସାମିଲ କରାଯାଇପାରିବ। ସେ କ୍ଷେତ୍ରରେ ସଂପୃକ୍ତ ହିତାଧିକାରୀ ପୂର୍ବରୁ ନେଇଥିବା ଅର୍ଥ ଫେରସ୍ତ ଦେବା ପରେ ସରକାର ନୂଆ ତାଲିକାରେ ତାଙ୍କ ନାମ େଯାଡ଼ିପାରିବେ। ତେବେ ଭୂମିହୀନଙ୍କୁ ଅଗ୍ରାଧିକାର ଭିତ୍ତିରେ ଜାଗା ଓ ଘର ବଣ୍ଟନ କରିବା ଲାଗି ସରକାରଙ୍କ ପ୍ରାଥମିକତା ରହିଥିବା ମନ୍ତ୍ରୀ କହିଥିଲେ।

ସରକାରଙ୍କ ପକ୍ଷରୁ ଆହୁରି କୁହାଯାଇଛି ଯେ ଏଣିକି ଆବାସ ପ୍ରଦାନ ବେଳେ ହିତାଧିକାରୀଙ୍କୁ ଆଉ ଜମି ରେକର୍ଡ ଦେବା ଦରକାର ନାହିଁ। ବରଂ ଯଦି ସେ ବ୍ୟକ୍ତିଗତ ସତ୍ୟପାଠ ବଳରେ ଏ ସଂକ୍ରାନ୍ତରେ ଜଣାନ୍ତି, ତେବେ ତାଙ୍କୁ ଯୋଜନାରେ ଘର ମିଳିବ।

ଉଲ୍ଲେଖଯୋଗ୍ୟ ଯେ ଆଜି ମୁଲତବୀ ଆଲୋଚନାରେ ଉଭୟ କଂଗ୍ରେସ ଓ ବିଜେପି ସଭ୍ୟମାନେ ତମ୍ବିତୋଫାନ କରିଥିଲେ। ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅଂଶଧନ ୬୦: ୪୦ ରହିଛି। ପିଏମ୍ଏଓ୍ୱାଇ ଆରମ୍ଭ ହେବା ଦିନଠାରୁ କେନ୍ଦ୍ର ସରକାର ୯୯୦୦ ଟଙ୍କା ଦେଇଛନ୍ତି ଓ ରାଜ୍ୟ ସରକାର ଅଂଶଧନ ବାବଦରେ ୬୬୦୦ କୋଟି ଟଙ୍କା ଦେଇଛନ୍ତି। ଯେଉଁମାନେ ଏହି ପ୍ରକଳ୍ପ ୪ ଓ ୬ମାସ ମଧ୍ୟରେ ଶେଷ କରିବେ, ସେମାନଙ୍କୁ ଯଥାକ୍ରମେ ୨୦ ହଜାର ଓ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ ବ୍ୟବସ୍ଥା ରହିଛି। ରାଜ୍ୟ ସରକାର ୧୦୬୯ କୋଟି ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଯେଉଁଥିରୁ ୬୨୮ କୋଟି ଟଙ୍କା ୩.୬୯ଲକ୍ଷ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ଯଦି ରାଜ୍ୟ ଅଂଶ ଭାବରେ ଏହାକୁ ସାମିଲ କରାଯିବ, ତେବେ ଏହି ଯୋଜନାରେ କେନ୍ଦ୍ରୀୟ ଓ ରାଜ୍ୟ ଅଂଶ ଯଥାକ୍ରମେ ୫୬: ୪୪ ହୋଇଯିବ। ଏଣୁ ଏହି ଯୋଜନାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଲୋଗୋ ବ୍ୟବହୃତ ହେବ। ଓଡ଼ିଶାରେ ଏବେ ସୁଦ୍ଧା ୩ଲକ୍ଷ ୬୦ ହଜାର ବିଜୁ ପକ୍କାଘର ନିର୍ମାଣ ହୋଇଥିବା ମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର