ଓଡ଼ିଶାରେ ‘ପ୍ରଗତି’ ପ୍ରକଳ୍ପର କାର୍ଯ୍ୟାନ୍ଵୟନର ସମୀକ୍ଷା : ଅଗ୍ରଗତିରେ ସନ୍ତୋଷ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ମୁଖ୍ୟସଚିବଙ୍କ ପ୍ରସ୍ତାବକୁ ବି ଗ୍ରହଣ କଲେ

ଭୁବନେଶ୍ୱର : ଓଡ଼ିଶା ଗସ୍ତର ଅବ୍ୟବହିତ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ‘ପ୍ରଗତି’ ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି। ସମୀକ୍ଷା ସମୟରେ ଏସବୁ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସନ୍ତୋଷ ପ୍ରକାଶ କରିଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଯୋଗେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହିତ ମୁଖ୍ୟତଃ ୩ଟି ପ୍ରଗତି ପ୍ରକଳ୍ପ ଯଥା: ଅମୃତ ଯୋଜନା, ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ରେଳବାଇ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଥିଲେ। ସୂଚନାନୁସାରେ, ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ପୁରୀ, ବାରିପଦା, ବାଲେଶ୍ୱର, ଭଦ୍ରକ ଆଦି ୯ଟି ସହରାଞ୍ଚଳରେ ‘ଅମୃତ’ ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନାରେ ମଞ୍ଜୁରି ପାଇଥିବା ୧୯୩ଟି ପ୍ରକଳ୍ପ ମଧ୍ୟରୁ ୧୬୭ଟି ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ଅବଶିଷ୍ଟ ୨୬ଟି ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ଵାନ କରାଯାଇଛି। ବର୍ତମାନ ସୁଦ୍ଧା ୫୯ଟି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି। ଜୁନ୍‌ ମାସ ଶେଷ ସୁଦ୍ଧା ଆଉ ୫୯ଟି ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବାକୁ ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏ ସମସ୍ତ ପ୍ରକଳ୍ପ ପାଇଁ ୧୫୯୯ କୋଟିର ବ୍ୟୟ ଅଟକଳ କରାଯାଇଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ୫୦ ପ୍ରତିଶତ ଲେଖାଏଁ ଅର୍ଥ ଯୋଗାଇ ଦେଉଛନ୍ତି।

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାଜ୍ୟର ପ୍ରାୟ ୮୬.୮୧ ଲକ୍ଷ ପରିବାରଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଥିବା ମୁଖ୍ୟ ସଚିବ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଶତ ପ୍ରତିଶତ ରାସନ କାର୍ଡ ଏବଂ ଯୋଗାଣ ବ୍ୟବସ୍ଥାକୁ କମ୍ପ୍ୟୁଟରୀକରଣ କରାଯାଇଛି। ସେହିପରି ୯୩ ପ୍ରତିଶତ ରାସନ କାର୍ଡର ଆଧାର ସଂଯୋଗୀକରଣ, ସମସ୍ତ ୧୨୪୮୩ଟି ଖୁଚୁରା ବିକ୍ରୟ କେନ୍ଦ୍ରରେ ପିଓଏସ୍‌ ମେସିନ କାର୍ଯ୍ୟକ୍ଷମ କରାଯାଇଥିବା ବେଳେ ଅଭିଯୋଗ ସମାଧାନ ବ୍ୟବସ୍ଥା ଓ ସ୍ୱଚ୍ଛତା ପୋର୍ଟାଲ୍‌ କାର୍ଯ୍ୟକାରୀ କରାଯାଇଛି। ଧାନ ସଂଗ୍ରହ ବ୍ୟବସ୍ଥାରେ ବାର୍ଷିକ ପ୍ରାୟ ୭୫୦୦ କୋଟିର ଅଣନଗଦ ନେଣଦେଶ ବା ଡିଜିଟାଲ୍‌ ପେମେଣ୍ଟ ବ୍ୟାଙ୍କ ଖାତା ଜରିଆରେ କରାଯାଉଛି। ତେବେ ଅନେକ ସ୍ଥାନରେ ଇଣ୍ଟରନେଟ୍‌ ଉପଲବ୍ଧ ନ ଥିବାରୁ ଅଣନଗଦ କାରବାର କ୍ଷେତ୍ରରେ ଅସୁବିଧା ହେଉଥିବା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ମୁଖ୍ୟ ସଚିବ।

ରେଳବାଇ ପ୍ରକଳ୍ପ ସମୀକ୍ଷାରେ ସ୍ଥାନ ପାଇଥିଲା ବୁଢ଼ାପଙ୍କରୁ ଶାଳଗାଁ ମଧ୍ୟରେ ୩ୟ ଓ ୪ର୍ଥ ରେଳପଥ ପ୍ରକଳ୍ପ। ପ୍ରାୟ ୧୭୦ କି.ମି. ଦୈଘ୍ୟର ଏହି ରେଳ ପ୍ରକଳ୍ପ ପାଇଁ ୧୧୭୩ କୋଟିର ବ୍ୟୟ ଅଟକଳ କରାଯାଇଛି। ଖଣିଜ ପରିବହନର ବୃଦ୍ଧି ପାଉଥିବାରୁ ୩ୟ ଓ ୪ର୍ଥ ରେଳପଥ ନିର୍ମାଣ କରାଯାଉଛି। ଏଥିପାଇଁ ଆବଶ୍ୟକ ୮୪.୭୦ ହେକ୍ଟର ଜମି ମଧ୍ୟରୁ ୧୩.୭୦ ହେକ୍ଟରର ସରକାରୀ ଜମିରେ କାମ ଆରମ୍ଭ ପାଇଁ ରାଜ୍ୟ ସରକାର ଅନୁମତି ଦେଇସାରିଥିବା ଶ୍ରୀ ପାଢ଼ୀ ଜଣାଇଥିଲେ। ଅବଶିଷ୍ଟ ୭୧ ହେକ୍ଟର ଘରୋଇ ଜମିକୁ ଅଧିଗ୍ରହଣ ନ କରି ସିଧାସଳଖ ଜମି ମାଲିକମାନଙ୍କଠାରୁ କ୍ରୟ କରାଗଲେ, ପ୍ରକଳ୍ପ ନିର୍ମାଣ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇପାରିବ ବୋଲି ମୁଖ୍ୟ ସଚିବ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ପରାମର୍ଶକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିଥିଲେ। ବୈଠକରେ ବିଭାଗୀୟ ସଚିବମାନେ ଉପସ୍ଥିତ ରହି ଆବଶ୍ୟକ ତଥ୍ୟ ଯୋଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର