ପକ୍‌ସୋ ଆଇନ: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ‍ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶ

ଡିସେମ୍ବର ୧୨ରେ ପରବର୍ତୀ ଶୁଣାଣି, ସତ୍ୟପାଠ ଦାଖଲ କରିପାରନ୍ତି ସରକାର

ଭୁବନେଶ୍ବର :ଛୋଟ ପିଲାମାନଙ୍କୁ ଯୌନ ଶୋଷଣରୁ ରକ୍ଷା କରିବା ପାଇଁ ପକସୋନ ଭଳି କଠୋର ଦଣ୍ଡବିଧାନ ଥିବା ଆଇନ୍‍ ପ୍ରଣୟନ କରାଯାଇଛି। ଏହା ସତ୍ତ୍ବେ ମଧ୍ୟ ଶିଶୁମାନଙ୍କ ପ୍ରତି ହିଂସାକାଣ୍ଡ ଥମୁନି। ଏହାକୁ ନେଇ ସୁପ୍ରିମ୍‍କୋର୍ଟ ଗଭୀର ଉଦ୍‍ବେଗ ପ୍ରକାଶ କରିବା ସହ ଉଭୟ କେନ୍ଦ୍ର ଏବଂ ଓଡିଶା ସମେତ ସବୁ ରାଜ୍ୟ ସରକାର ଏଭଳି ଘୃଣ୍ୟ ଅପରାଧ ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶର କିପରି ଅନୁପାଳନ କରାଯାଇଛି ସେ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରିବାକୁ ପଡିବ। ଏହି ମାମଲା ଆସନ୍ତା ୧୨ ତାରିଖରେ ପରବର୍ତ୍ତୀ ଶୁଣାଣିପାଇଁ ଥିବାରୁ ରିପୋର୍ଟ ପ୍ରସ୍ତୁତ ଲାଗି ତତ୍ପରତା ପ୍ରକାଶ ପାଇଛି ।

ଶିଶୁମାନଙ୍କ ଉପରେ ବଢି ଚାଲିଥିବା ବଳାତ୍କାର ପ୍ରସଙ୍ଗକୁ ସୁପ୍ରିମ୍‍କୋର୍ଟ ନିଜ ଆଡୁ ଏକ ଅପରାଧିକ ମାମଲା ଭାବେ ଗ୍ରହଣ କରିଛନ୍ତି। କେବଳ ସେତିକି ନୁହେଁ, ପକ୍େ‍ସା ଆଇନ କିଭଳି କାର୍ଯ୍ୟକାରୀ ହେଉଛି, ସେ ସଂକ୍ରାନ୍ତରେ ରିପୋର୍ଟ ମାଗିଥିଲେ। ତଦନୁଯାୟୀ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ସରକାର ଯେଉଁ ତଥ୍ୟ ଦାଖଲ କରିଛନ୍ତି ସେଥିରୁ ୬ବର୍ଷରୁ କମ୍‍ ପିଲା ବି ଯୌନ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ଦୁଷ୍କର୍ମରୁ ବର୍ତୁନଥିବା ଜଣାପଡିଛି। ସମଗ୍ର ଦେଶରେ ଯେତେ ପିଲା ଏଭଳି ଅଭାବନୀୟ ପରିସ୍ଥିତିର ଶିକାର ହେଉଛନ୍ତି ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ହେଉଛନ୍ତି ବାଳିକା। ଏହି ପୀଡିତାଙ୍କ ମଧ୍ୟରୁ ୬୦ ପ୍ରତିଶତଙ୍କ ବୟସ ୧୩ରୁ ୧୬ ବର୍ଷ ଭିତରେ ଥିବା ବେଳେ ୨୨ ପ୍ରତିଶତ ୧୬ରୁ ୧୮ବର୍ଷ ଓ ୧୩ ପ୍ରତିଶତ ୬ରୁ ୧୨ବର୍ଷ ବୟସ୍କ ବୋଲି ଜଣାପଡିଛି। ଅବଶିଷ୍ଟ ହେଉଛନ୍ତି ୬ବର୍ଷରୁ କମ୍। ରିପୋର୍ଟ ଅନୁଯାୟୀ, ଯେତେ ଝିଅ ଯୌନ ଶୋଷଣର ଶିକାର ହେଉଛନ୍ତି ସେମାନଙ୍କ ମଧ୍ୟରୁ ୨୭ ପ୍ରତିଶତ ନିଜ ପରିବାର ପରିଜନ ଓ ପଡୋଶୀଙ୍କ ଦ୍ବାରା ହିଁ ଅତ୍ୟାଚାରିତା।

ଅନ୍ୟୂନ ୬୫ ପ୍ରତିଶତ କ୍ଷେତ୍ରରେ ଅଜଣା ଲୋକଙ୍କ ଦ୍ବାରା ଯୌନ ନିର୍ଯାତନା ଦିଆଯାଇଥାଏ। ଏମିତିକି କେତେକ କ୍ଷେତ୍ରରେ ପୀଡିତାମାନଙ୍କ ବନ୍ଧୁବାନ୍ଧବ ବି ଏହି ଅପରାଧରେ ଜଡିତ ଥାଆନ୍ତି। ଶିଶୁମାନଙ୍କୁ ଯୌନ ଶୋଷଣରୁ ରକ୍ଷା କରିବା ପାଇଁ କଠୋର ଆଇନ୍‍ ପ୍ରଣୟନ ହୋଇଥିଲେ ମଧ୍ୟ ମାତ୍ର ୮ ପ୍ରତିଶତ ଘଟଣାରେ ମାସକ ଭିତରେ ତଦନ୍ତ ସରୁଛି। ଅନ୍ତତଃ ୪୯ ପ୍ରତିଶତ ପକସୋ ମାମଲାରେ ପୁଲିସ୍‍ ଫୋରେନସିକ୍‍ ପରୀକ୍ଷାଗାରରେ ପରୀକ୍ଷାପାଇଁ ନମୂନା ଦାଖଲ କରିପାରୁନାହାନ୍ତି ।

ସରକାରୀ ରିପୋର୍ଟର ସ୍ବୀକାରୋକ୍ତି ଅନୁଯାୟୀ ୯୯ ପ୍ରତିଶତ ଘଟଣାରେ ପୀଡିତାଙ୍କୁ କ୍ଷତିପୂରଣ ଦିଆଯାଉନାହିଁ ଓ ୯୬ ପ୍ରତିଶତରେ ସେମାନଙ୍କୁ ସହାୟକ ବି ଯୋଗାଇବା ସମ୍ଭବ ହୋଇନାହିଁ। ପକସୋ ଆଇନ୍‍ରେ ସ୍ବତନ୍ତ୍ର କୋର୍ଟ ମାଧ୍ୟମରେ ତ୍ବରିତ ମାମଲା ଫଏସଲା ପାଇଁ ବ୍ୟବସ୍ଥା ଥିଲେ ବି ୬୩ ପ୍ରତିଶତ ମାମଲା ବର୍ଷ ବର୍ଷ ଧରି ଗଡୁଛି ।

ସୁପ୍ରିମ୍‍କୋର୍ଟର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ତିନିଜଣିଆ ଖଣ୍ଡପୀଠ ପକସୋ ମାମଲା ଗୁଡିକର ବିଚାର ମନ୍ଥରତା ଘେନି ଗଭୀର ଉଦ୍‍ବେଗ ପ୍ରକାଶ କରିଛନ୍ତି। ଏଭଳି ମାମଲାର ତଦନ୍ତ ସହ ଜଡିତ ବ୍ୟକ୍ତିଙ୍କୁ ତାଲିମ ଦେବା, ପର୍ଯ୍ୟାପ୍ତ ସଂଖ୍ୟକ ସ୍ବତନ୍ତ୍ର କୋର୍ଟ ଖୋଲିବା, ସୀମିତ ସମୟ ମଧ୍ୟରେ ତଦନ୍ତ ଓ ବିଚାର ପ୍ରକ୍ରିୟା ଯେପରି ଶେଷହୁଏ ସେ ଦିଗରେ ସକରାତ୍ମକ ପଦକ୍ଷେପ ନେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସର୍ବୋଚ୍ଚ ଅଦଲାତ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର