ମାଲକାନଗିରି : ଚିନ୍ତାରେ ପୋଟଳ ଓ ତରଭୁଜ ଚାଷୀ, ସହାୟତା ନମିଳିଲେ ଲକ୍ଷାଧିକ ଟଙ୍କା କ୍ଷତି

ମାଲକାନଗିରି : ଶହ ଶହ ଏକର ଜମିରେ ଫଳେଇଥିଲେ ପରିବା। କିନ୍ତୁ ଏବେ ତୋଳି ପାରୁନାହାନ୍ତି। ଯଦି ତୋଳିବେ ସଙ୍ଗେ ସଙ୍ଗେ ବିକ୍ରି କରିବାକୁ ପଡ଼ିବ। ନଚେତ ଶୁଖି ନଷ୍ଟ ହୋଇଯିବ। ଅନ୍ୟପଟେ ତୋଳିବାରେ ବିଳମ୍ବ ହେଉଥିବାରୁ ଗଛରେ ପାଚିବା ଆରମ୍ଭ ହୋଇଛି। ଏମିତି ସ୍ଥିତିରେ କଣ କରିବେ, କାହାକୁ ନିଜ ଦୁଃଖ ଜଣାଇବେ। ଏଭଳି ଦ୍ବନ୍ଦ୍ବ ଏବଂ ଚିନ୍ତାରେ ରହିଛନ୍ତି ମାଲକାନଗିରି ଜିଲ୍ଲାର ପରିବା ଚାଷୀ। ଖରା ଦିନରେ ପ୍ରଚୁର ପରିବା ଚାଷ କରନ୍ତି ମାଲକାନଗିରି ଜିଲ୍ଲାର ଚାଷୀ। ମାଲକାନଗିରି, କାଲିମେଳା, କୋରକୋଣ୍ଡା, ପଡ଼ିଆ ଅଞ୍ଚଳରେ ବସବାସ କରୁଥିବା ବଙ୍ଗୀୟ ଭାଷାଭାଷୀ ଏହି ଚାଷ କରୁଛନ୍ତି। ବିଶେଷ କରି ପୋଟଳ ଓ ତରଭୁଜ ଏହି ସମୟରେ ଅଧିକ ଉତ୍ପାଦନ ହୁଏ। ଜିଲ୍ଲାର ଚାହିଦା ମେଣ୍ଟାଇବା ପରେ ବଳକା ଜିଲ୍ଲା ବାହାରକୁ ଯାଏ। ଏହାବ୍ୟତୀତ ପଡ଼ୋଶୀ ଆନ୍ଧ୍ର ଏବଂ ଛତିଶଗଡ଼କୁ କିଛି କିଛି ରପ୍ତାନି କରନ୍ତି ଏଠାକାର ଚାଷୀ। କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ସବୁ ବିଗାଡ଼ି ଦେଇଛି। ଶହ ଶହ କ୍ବିଣ୍ଟାଲ ପଟୋଳ ଫଳିଥିବା ବେଳେ ବାହାର ବ୍ୟବସାୟୀ ନେବାକୁ ଆସୁନାହାନ୍ତି। ସ୍ଥାନୀୟ ବଜାରରେ ଯାହା କିଛି ବିକ୍ରି କରିବା ପରେ ବାକି ସବୁ ଗଚ୍ଛିତ ରଖିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ।

ତରଭୁଜ ଅବସ୍ଥା ମଧ୍ୟ ସମାନ। ଏପରିକି ଚାଷ ବାବଦ ଖର୍ଚ୍ଚ ବାହାର କରିବାକୁ ସମସ୍ତ ଉଦ୍ୟମ କରି ଚାଷୀ ବିଫଳ ହୋଇଛନ୍ତି। ହଜାର ହଜାର ହେକ୍ଟର ଚାଷ ଜମିରେ ପୋଟଳ ଚାଷ ହୋଇଥିବା ବେଳେ ଏହି ଫସଲ ଏବେ ମାଟିରେ ମିଶିବାକୁ ବସିଲାଣି। ଚାଷୀ ଋଣ କରି ପୋଟଳ ଓ ତରଭୁଜ ଚାଷ କରିଥିଲେ। ପ୍ରଶାସନ ତରଫରୁ ଚାଷୀଙ୍କୁ ସହଯୋଗ କରାନଗଲେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବେ ବୋଲି ଆଶଙ୍କା କରାଯାଉଛି। ସେହିପରି ମକା ଚାଷୀ ମଧ୍ୟ ହତାଶ ହୋଇଥିବା କହିଛନ୍ତି। ଜିଲ୍ଲାରେ ଗୋଟିଏ ବି ଗାଡ଼ି ଗଡ଼ୁନଥିବା ବେଳେ ପ୍ରଶାସନ କିଛି ବ୍ୟବସ୍ଥା କରିବାକୁ ଦାବି ହୋଇଛି। ପ୍ରଶାସନ ଏ ଦିଗରେ କଣ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର