ଆମେ ଖାଉଥିବା ପାଚିଲା କଦଳୀ ସ୍ୱାସ୍ଥ୍ୟ ପାଇଁ କେତେ ସୁରକ୍ଷିତ?

ଭୁବନେଶ୍ୱର : ଆଜିକାଲି ବଜାରରେ ମିଳୁଥିବା ପାଚିଲା କଦଳୀ ଆମ ସ୍ୱାସ୍ଥ୍ୟ ପାଇଁ କେତେ ସୁରକ୍ଷିତ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବଜାରରେ ବିକ୍ରି ହେଉଥିବା କଦଳୀକୁ ଶୀଘ୍ର ପଚାଇବା ପାଇଁ ବ୍ୟବହାର ହେଉଛି ମାରାତ୍ମକ ରାସାୟନିକ ପଦାର୍ଥ। ବଜାର ଚାହିଦା ମେଣ୍ଟାଇବା ପାଇଁ କଦଳୀକୁ କଂଚା କଟାଯାଇ କାଲସିୟମ କାରବାଇଡ୍‌ ପ୍ରଲେପ ଦେଇ କିମ୍ବା ଇଥେଫୋନ ନାମକ କେମିକାଲ୍‌ ସ୍ପ୍ରେ କରି ପଚାଯାଉଛି। ଏହାର ପ୍ରଭାବରେ କଞ୍ଚା କଦଳୀ ହଳଦୀ ଗୁରୁଗୁରୁ ହୋଇ ଗଛ ପାଚିଲା କଦଳୀ ପରି ଦେଖାଯାଉଛି। ଆମେ ସ୍ୱାସ୍ଥ୍ୟକର ଭାବି ଏହାକୁ ଖାଉଛୁ ମାତ୍ର ଅସଲ କଥା ହେଉଛି ପାଚିଲା କଦଳୀରେ ବିଷ ଖାଇ ଆମେ ମାରାତ୍ମକ ରୋଗକୁ ଆମନ୍ତ୍ରଣ କରୁଛୁ।

ଆମେ ଖାଉଥିବା କଦଳୀ କେତେ ସୁରକ୍ଷିତ? ଏହାର ସତ୍ୟାସତ୍ୟ ଜାଣିବା ପାଇଁ କନକ ନ୍ୟୁଜ ଆରମ୍ଭ କରିଥିଲା ଅନୁସନ୍ଧାନ। ଆଉ ଏହାର ଖିଅ ଖୋଜୁ ଖୋଜୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଥିଲା। କଞ୍ଚା କଦଳୀକୁ ଶୀଘ୍ର ପଚାଇବା ପାଇଁ ଏହା ଉପରେ ଇଥେଫୋନ ସ୍ପ୍ରେ କରାଯାଉଛି। ଏହି ସ୍ପ୍ରେ ଦ୍ୱାରା କଦଳୀ ମାତ୍ର ୨୪ ଘଣ୍ଟା ଭିତରେ ପାଚି ହଳଦୀ ଗୁରୁଗୁରୁ ଦେଖାଯାଉଛି। ଏହି କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଇଥେଫୋନ୍‌ ଭଳି ମାରାତ୍ମକ ରାସାୟନିକ କଦଳୀକୁ ବିଷାକ୍ତ କରିଦେବା ସହିତ ଏହା ଅନେକ ରୋଗର କାରଣ ସାଜୁଛି। ଏଭଳି ରାସାୟନିକ ମାତ୍ରାଧିକ ବ୍ୟବହାର ଘାତକ ମଧ୍ୟ ହୋଇପାରେ।

ଇଥେଫୋନ ହେଉଛି ଏକ ରାସାୟନିକ ମିଶ୍ରଣ। ଇଥେରୋନ୍‌, ପ୍ରୋପାଇଲିନ୍‌ କ୍ଲାଇକୋନ୍‌ ଓ ଡିଷ୍ଟିଲ୍‌ ୱାଟର୍‌ ମିଶି ଇଥେଫୋନ୍‌ ସୃଷ୍ଟି ହୁଏ। ରୁସପୋନ୍‌ ଭଳି ବିଭିନ୍ନ ବ୍ରାଣ୍ଡରେ ବଜାରରେ ଉପଲବ୍ଧ ହେଉଛି ଏହି କେମିକାଲସ। କେମିକାଲ୍‌ ପ୍ରଭାବରେ ସାଧାରଣ ଭାବେ ୨୪ ଘଣ୍ଟାରେ କଦଳୀ ପାଚୁଥିବା ବେଳେ ଅଧିକ ମାତ୍ରାରେ ଇଥେଫୋନ ସ୍ପ୍ରେ କଲେ ୬ ଘଣ୍ଟାରେ ବି ପାଚିଯାଇଥାଏ କଂଚା କଦଳୀ। ଯାହା ସ୍ୱାସ୍ଥ୍ୟ ପାଇଁ ଅତି ହାନିକାରକ। ଇଥେଫୋନ ଦ୍ୱାରା ପଚାଯାଉଥିବା କଦଳୀ ଅନେକ ରୋଗ ସୃଷ୍ଟି କରିଥାଏ। ବିଭିନ୍ନ ପ୍ରକାର ପେଟରୋଗ, ଶ୍ୱାସକ୍ରିୟାରେ ସମସ୍ୟା, ଚର୍ମରୋଗ ଆଦି ରୋଗ ଆକ୍ରାନ୍ତ କରିଥାଏ। ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ଏହାର କୁପ୍ରଭାବ ପଡିଥାଏ। ଛୋଟ ଛୋଟ ଶିଶୁଙ୍କ ମାନସିକ ବିକାଶରେ ମଧ୍ୟ ବାଧା ପହଁଚାଇଥାଏ।

କଦଳୀ ପାଚିବାର ଆଉ ଏକ ପଦ୍ଧତି ମଧ୍ୟ ଜାଣି ରଖନ୍ତୁ। କାଲସିୟମ୍‌ କାରବାଇଡ୍‌ ଦେଇ ପଚାଯାଉଛି କଦଳୀ। ତେବେ ଏହାର ମାରାତ୍ମକ ପ୍ରଭାବ ଯୋଗୁଁ ଫୁଡ୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍‌ ଇଣ୍ଡିଆ ଏହାକୁ ବ୍ୟାନ୍‌ କରିଛି । ମାତ୍ର ଏହାକୁ ମଧ୍ୟ ସଂପୂର୍ଣ୍ଣ ରୋକାଯାଇ ପାରିନାହିଁ । ସେପଟେ ମନଇଚ୍ଛା ଇଥେଫୋନ୍‌ ବ୍ୟବହାର କରୁଛନ୍ତି ବ୍ୟବସାୟୀ। କଦଳୀ ବିକିବା ପାଇଁ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ବ୍ୟବସାୟୀ। ଏଥିରେ ନା ଅଛି ସରକାର ଅଙ୍କୁଶ ଓ ନା ଅଛି ଲୋକଙ୍କ ମଧ୍ୟରେ ସଚେତନତା। ଖାଉଟି ନାଚାର, କାରଣ ବିନା କେମିକାଲରେ ପାଚିଥିବା କଦଳୀ ଏବଂ କେମିକାଲରେ ପାଚିଥିବା କଦଳୀ ଚିହ୍ନିବା ପାଇଁ ଉପାୟ ନାହିଁ।

ସମ୍ବନ୍ଧିତ ଖବର