ପୋଲସରା ବିଧାନସଭା କ୍ଷେତ୍ର : ସହରାଞ୍ଚଳରେ ବିଜେପି, ଗ୍ରାମାଞ୍ଚଳରେ ବିଜେଡି

ପୋଲସରା, ବୁଗୁଡା ଏନ୍ଏସିରେ ବିଜେପିକୁ ଅଧିକ ଭୋଟ, ଚିନ୍ତାରେ ବିଜେଡି

ବ୍ରହ୍ମପୁର : ସଦ୍ୟସମାପ୍ତ ସାଧାରଣ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ‌ ଅନ୍ତର୍ଗତ ଦୁଇ ଏନ୍‌ଏସି ପୋଲସରା ଓ ବୁଗୁଡାରେ ବିଜେପି ଅଧିକ ଭୋଟ ପାଇଥିବା ବେଳେ ଗ୍ରାମାଞ୍ଚଳରେ ବିଜେଡି ଅଧିକ ଭୋଟ ପାଇଛି। ବିଜେଡି ଏହି ବିଧାନସଭା ଆସନରେ ବିଜୟୀ ହୋଇଥିଲେ ମଧ୍ୟ ମୁଣ୍ଡ ଉପରେ ରହିଛି ପୌର ନିର୍ବାଚନ। ଏହା ବିଜେଡିକୁ ଚିନ୍ତାରେ ପକାଇଛି।

୨୦୦୯ ସୀମା ନିର୍ଦ୍ଧାରଣ ବେଳେ ନୂତନ ଭାବେ ଗଠିତ ହୋଇଥିଲା ପୋଲସରା ବିଧାନସଭା କ୍ଷେତ୍ର। ପୋଲସରା ବ୍ଲକ, ବୁଗୁଡା ବ୍ଲକ, ପୋଲସରା ଏନ୍‌ଏସି ଓ ବୁଗୁଡା ଏନ୍‌ଏସିକୁ ନେଇ ଏହି ନିର୍ବାଚନ ମଣ୍ତଳୀ ଗଠିତ। ୨୦୦୯ରେ ପ୍ରଥମେ ଏହି ବିଧାନସଭା କ୍ଷେତ୍ର ନିର୍ବାଚନକୁ ସାମ୍ନା କରିଥିଲା। ବିଜେଡି ୪୯.୦୪ ପ୍ରତିଶତ ଭୋଟ ପାଇଁ ବିଜୟୀ ହୋଇଥିଲା। କ˚ଗ୍ରେସ ୩୮.୯୮ ପ୍ରତିଶତ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲା। ବିଜେପି ମାତ୍ର ୪.୯୮ ପ୍ରତିଶତ ଭୋଟ ପାଇଥିଲା। କିନ୍ତୁ ୨୦୧୪ ନିର୍ବାଚନରେ ପୂର୍ବ ସ୍ଥିତି ବଦଳି ଥିଲା । ତିନି ପ୍ରମୁଖ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଥିଲେ।

ବିଜେଡିର ଭୋଟ ହାର ୧ ପ୍ରତିଶତ କମିଥିଲେ ମଧ୍ୟ ୪୮.୧ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଥିଲା। କ˚ଗ୍ରେସର ଭୋଟହାର କମିଥିଲେ ବି ଦ୍ବିତୀୟ ସ୍ଥାନରେ ଥିଲା ଓ ଏହି ଦଳର ପ୍ରାର୍ଥୀଙ୍କୁ ୩୨.୮୨ ପ୍ରତିଶତ ଭୋଟ ମିଳିଥିଲା। କିନ୍ତୁ ବିଜେପି ତୃତୀୟ ସ୍ଥାନରେ ରହିଥିଲେ ହେଁ ପ୍ରାୟ ୮ ପ୍ରତିଶତ ଭୋଟହାର ବୃଦ୍ଧି ପାଇଥିଲା। ବିଜେପି ପ୍ରାର୍ଥୀ କୁମୁଦିନୀ ପଟ୍ଟନାୟକ ୧୩.୩୧ ପ୍ରତିଶତ ଭୋଟ ପାଇଥିଲେ। କିନ୍ତୁ ଚଳିତ ସାଧାରଣ ନିର୍ବାଚନରେ ଭିନ୍ନଚିତ୍ର ଦେଖିବାକୁ ମିଳିଛି।

ଗତ ଥରର ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ବିଜେଡି ଏଠାରେ ପୁନର୍ବାର ପ୍ରାର୍ଥୀ କରିଥିଲା। ଗତ ଥର କ˚ଗ୍ରେସ ପ୍ରାର୍ଥୀ ହୋଇଥିବା ଗୋକୁଳାନନ୍ଦ ମଲ୍ଲିକ ଏଥର ବିଜେପିରୁ ପ୍ରାର୍ଥୀ ହୋଇଥିଲେ। କ˚ଗ୍ରେସ ନୂତନ ପ୍ରାର୍ଥୀ ଦେଇଥିଲା। ୨୦୧୪ରେ ଭୋଟହାର ଅଳ୍ପ କମିଥିଲେ ହେଁ ଚଳିତ ନିର୍ବାଚନରେ ବିଜେଡି ଭୋଟହାର ସାମାନ୍ୟ ବୃଦ୍ଧି ପାଇଛି। ବିଜେଡି ୫୦.୩୯ ପ୍ରତିଶତ ଭୋଟ ପାଇଛି। ଗତ ଦୁଇଟି ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ଥିବା କ˚ଗ୍ରେସ ୨.୧୯ ପ୍ରତିଶତ ଭୋଟ ପାଇ ଅମାନତ ହରାଇବା ସହ ତୃତୀୟ ସ୍ଥାନକୁ ଚାଲି ଯାଇଛି। କିନ୍ତୁ ବିଜେପି ଗତ ନିର୍ବାଚନ ତୁଳନାରେ ୨୯.୧୦ ପ୍ରତିଶତ ଅଧିକ ଭୋଟ ପାଇଛି। ବିଜେପି ସମୁଦାୟ ୪୨.୪୧ ପ୍ରତିଶତ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି। ଗତ ତିନିଟି ନିର୍ବାଚନକୁ ଦେଖିଲେ ପୋଲସରା ବିଧାନସଭା ନିର୍ବାଚନମଣ୍ତଳୀକୁ ବିଜେପି ଦଖଲ କରିପାରି ନ ଥିଲେ ହେଁ ଭୋଟ ହାର ବୃଦ୍ଧି ପାଇବାରେ ଲାଗିଛି। ଏପରି କି ଦ୍ବିତୀୟ ସ୍ଥାନ ଦଖଲକରି ମୁଖ୍ୟ ପ୍ରତିଦ୍ବନ୍ଦୀ ହୋଇଛି।

୨୦୧୪ ନିର୍ବାଚନରେ ଏହି ନିର୍ବାଚନ କ୍ଷେତ୍ରରେ ଥିବା ଦୁଇଟି ଯାକ ଏନ୍‌ଏସିରେ ବିଜେଡି ଅଧିକ ଭୋଟ ପାଇଥିଲା। ଏହା ସହିତ ଗ୍ରାମଞ୍ଚଳରୁ ମଧ୍ୟ ଭଲ ଭୋଟ ପାଇଥିଲା। କିନ୍ତୁ ଚଳିତ ନିର୍ବାଚନରେ ପୋଲସରା ଏବ˚ ବୁଗୁଡା ଏନ୍‌ଏସିରେ ବିଜେଡି ଠାରୁ ବିଜେପି ପ୍ରାର୍ଥୀ ଅଧିକ ଭୋଟ ପାଇଛନ୍ତି। ଗ୍ରାମାଞ୍ଚଳରେ ବିଜେପି ଠାରୁ ବିଜେଡି ଅଧିକ ଭୋଟ ପାଇଥିବାରୁ ଗଡ ସୁରକ୍ଷିତ ରଖିବାରେ ସକ୍ଷମ ହୋଇଛି। ୨୦୧୭ ମସିହାରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ବିଜେପିର ଭୋଟ ହାର ବୃଦ୍ଧି ପାଇଥିଲା। ପୋଲସରା ଅଞ୍ଚଳରେ ବି ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଏହାର ପ୍ରଭାବ ଚଳିତ ସାଧାରଣ ନିର୍ବାଚନ ପ୍ରତିଫଳିତ ହୋଇଛି। ପୂର୍ବରୁ କଂଗ୍ରେସ ବିଜେଡିର ମୁଖ୍ୟ ପ୍ରତିଦ୍ବନ୍ଦୀ ଥିବା ବେଳେ ଏଥର ବିଜେପି ହୋଇଛି। ଆଗକୁ ରହିଛି ପୌର ନିର୍ବାଚନ। ପୋଲସରା ବିଧାନସଭା କ୍ଷେତ୍ରରେ ଦୁଇଟି ଏନ୍‌ଏସି ପୋଲସରା ଓ ବୁଗୁଡା ରହିଛି । ଚଳିତ ସାଧାରଣ ନିର୍ବାଚନରେ ପୋଲସରା ଏନ୍‌ଏସିରେ ବିଜେପି ବିଧାୟକ ପ୍ରାର୍ଥୀ ୭ ହଜାର ୭୮ ଖଣ୍ତ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀଙ୍କୁ ୩ ହଜାର ୮୯୩ ଓ କ˚ଗ୍ରେସ ପ୍ରାର୍ଥୀଙ୍କୁ ୨୦୧ ଖଣ୍ତ ଭୋଟ ମିଳିଛି। ସେହିପରି ବୁଗୁଡା ଏନ୍‌ଏସିରେ ବିଜେପି ୩ ହଜାର ୯୬୧ ଖଣ୍ତ ଭୋଟ ପାଇଥିବା ବେଳେ ବିଜେଡି ୩ ହଜାର ୪୧୭ ଖଣ୍ତ ଭୋଟ ପାଇଛି। ପୋଲସରା ବିଧାନସଭା ଆସନ ବିଜେପି ଦଖଲ କରିପାରି ନ ଥିଲେ ହେଁ ଦୁଇଟି ଯାକ ଏନ୍‌ଏସିରେ ଅଧିକ ଭୋଟ ପାଇଛି। ଆଗକୁ ପୌର ନିର୍ବାଚନ ଥିବା ବେଳେ ଏହା ବିଜେଡିକୁ ଚିନ୍ତାରେ ପକାଇଛି। ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ମାନସ ମନ୍ଥନ। କିଭିଳ ପୌର ନିର୍ବାଚନରେ ଦୁଇ ଏନ୍‌ଏସିକୁ ବିଜେଡି ଦଖଲ କରିବ ସେଥିଲାଗି ବିଜେଡି ରଣ କୌଶଳ ଆରମ୍ଭ କରିଛି। ଅନ୍ୟପକ୍ଷରେ ଭୋଟ ହାର ବୃଦ୍ଧି ପାଇଥିଲେ ହେଁ କାହିଁକି ହାରିଲା ତାହାର ସମୀକ୍ଷା କରୁଛି ବିଜେପି।

ସମ୍ବନ୍ଧିତ ଖବର