ପୋଲସରା ନାବାଳିକା ଦୁଷ୍କର୍ମ ମାମଲା : ଘଟଣାସ୍ଥଳରେ ବିଜେପି ଟିମ୍‌ର ଅନୁଧ୍ୟାନ

ବ୍ରହ୍ମପୁର/ଛତ୍ରପୁର/ପୋଲସରା/କଳମ୍ବ : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ହାତିଓଟ ଗ୍ରାମପଞ୍ଚାୟତ ଧୋୟାକଣା ଗ୍ରାମର ନାବାଳିକା ଗଣଦୁଷ୍କର୍ମ ଘଟଣାର ୪ ଦିନ ବିତିଯାଇଛି। କିନ୍ତୁ ଏଭଳି ଅମାନବୀୟ କାଣ୍ତ ଘଟାଇଥିବା ଦୁର୍ବୃତ୍ତଙ୍କ ଟେର ପୁଲିସ୍‌ ଏଯାଏଁ ପାଇ ପାରିନାହିଁ। ଆଜି ବିଜେପିର ଏକ ଟିମ୍‌ ଉକ୍ତ ଗାଁ ଗସ୍ତ କରିବା ପରେ ପୁଲିସର ଅନୁସନ୍ଧାନ ଉପରେ ଅଙ୍ଗୁଳି ଉଠାଇଛନ୍ତି। ବିଜେପି ମହିଳା ମୋର୍ଚ୍ଚା ସଭାପତି ପ୍ରଭାତି ପରିଡ଼ାଙ୍କ ନେତୃତ୍ବରେ ଗସ୍ତ କରିଥିବା ଏହି ତଥ୍ୟାନୁସନ୍ଧାନ ଟିମ୍‌ରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ସାଧାରଣ ସମ୍ପାଦିକା ବବିତା ପାତ୍ର, ଲେଖାଶ୍ରୀ ସାମନ୍ତସି˚ହାର, ଅନିତା ପ୍ରିୟଦର୍ଶିନୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେଶ୍ବର ମହାନ୍ତି, ଜୟନ୍ତୀ ପଢ଼ିହାରୀ, ଅନିଶ ପ୍ରିୟଦର୍ଶିନୀ ପ୍ରମୁଖ ସାମିଲ ଥିଲେ। ଏହାପରେ ଏହି ଟିମ୍‌ ଜିଲ୍ଲା ଏସ୍‌ପିଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ। ମହିଳାମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ଏହି ମାମଲାରେ ସମ୍ପୃକ୍ତ ମାନେ ଶାସକଦଳର ଜଣେ କ୍ଷମତାସୀନ ନେତାଙ୍କ ଛତ୍ରଛାୟା ତଳେ ରହିଛନ୍ତି। ସେମାନଙ୍କୁ ଆଣି ପଚରାଉଚୁରା କଲେ ନାବାଳିକା ଦୁଷ୍କର୍ମର ସମସ୍ତ ଘଟଣା ପଦାକୁ ଆସିପାରିବ ।

ଏ ସମ୍ପର୍କରେ ଗଞ୍ଜାମ ଏସ୍‌ପି ବ୍ରିଜେଶ୍‌ ଶ୍ରୀ ରାୟ କହିଛନ୍ତି ଯେ, ୩୦ଜଣଙ୍କୁ ପଚରାଉଚୁରା କରାଯାଇଛି। ଦୋଷୀଙ୍କୁ ତୁରନ୍ତ ଧରାଯିବ।

ସମ୍ବନ୍ଧିତ ଖବର