ପୋଲାଭରମ୍‌ ପାଇଁ ଜନଶୁଣାଣିକୁ ଓଡ଼ିଶାର ନା

0 37

ଭୁବନେଶ୍ୱର : ପୋଲାଭରମ୍‌ ପ୍ରକଳ୍ପ ପାଇଁ ଜନଶୁଣାଣି କରାଇବାକୁ ରାଜ୍ୟ ସରକାରଙ୍କ ଉପରେ ଉଭୟ ଆନ୍ଧ୍ର ପ୍ରଦେଶ ଓ କେନ୍ଦ୍ର ସରକାର ବାରମ୍ବାର ଚାପ ପକାଉଛନ୍ତି। ଇତିମଧ୍ୟରେ ଆନ୍ଧ୍ର ସରକାର ପୁଣି ଥରେ ଜନଶୁଣାଣି ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। କିନ୍ତୁ ପୋଲାଭରମ୍‌ ପ୍ରକଳ୍ପ ନେଇ ମାମଲା ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ଦର୍ଶାଇ ରାଜ୍ୟ ସରକାର ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତିି।

ଗତ ମାର୍ଚ ୧୬ ତାରିଖରେ ଆନ୍ଧ୍ର ପ୍ରଦେଶ ଜଳ ସଂପଦ ସଚିବ ଓଡ଼ିଶା ସରକାରଙ୍କୁ ଚିଠି ଲେଖି ଜନଶୁଣାଣି ପାଇଁ ଅନୁରୋଧ କରିଥିଲେ। ଚିଠିରେ ଇନ୍ଦିରା ସାଗର ପୋଲାଭରମ୍‌ ଜଳସେଚନ ପ୍ରକଳ୍ପ ଯୋଗୁଁ ଓଡ଼ିଶାରେ ବ୍ୟାପକ ଜଳମଗ୍ନ ହେବାର ଆଶଙ୍କାକୁ ଏଡ଼ାଇବା ପାଇଁ ସାବେରୀ ଏବଂ ସିଲେରୁ ନଦୀରେ ସୁରକ୍ଷା ନଦୀବନ୍ଧ ନିର୍ମାଣ କରାଯିବ ବୋଲି ସେ ଦର୍ଶାଇଛନ୍ତି। ଏଥିପାଇଁ ଓଡ଼ିଶା ସୀମାରେ ଥିବା ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି ଆୟୋଜନ କରିବାର ଆବଶ୍ୟକତା ରହିଛି। ଏଣୁ ରାଜ୍ୟ ସରକାର ଜନଶୁଣାଣି କରାଇବାକୁ ସଂପୃକ୍ତ ଜଳ ସଂପଦ ସଚିବ ଯୁକ୍ତି ବାଢ଼ିଛନ୍ତି।
ଏ ନେଇ ଗତ ୧୨ ତାରିଖରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଆନ୍ଧ୍ର ପ୍ରଦେଶ ସଚିବଙ୍କୁ ରୋକ୍‌ଠୋକ୍‌ ଜବାବ ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ପ୍ରସ୍ତାବର ଆଇନଗତ ଦିଗ ପ୍ରତି ତର୍ଜମା କରାଯାଇଛି। ତେବେ ଏହି ମାମଲା ସୁପ୍ରିମ କୋର୍ଟରେ ବିଚାରାଧୀନ ରହିଛି। ଏଣୁ ବୋର୍ଡ ପକ୍ଷରୁ ଏହି ପ୍ରକଳ୍ପ ନିମନ୍ତେ ଜନଶୁଣାଣି ଆରମ୍ଭ କରିହେବନାହିଁ। ଏ ସଂକ୍ରାନ୍ତରେ ବୋର୍ଡର ଆଭିମୁଖ୍ୟ ପୂର୍ବରୁ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଅବଗତ କରାଯାଇଥିବା ସଦସ୍ୟ ସଚିବ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପୋଲାଭରମ୍‌ ପ୍ରକଳ୍ପ ପାଇଁ ଆବଶ୍ୟକ ଜନଶୁଣାଣି ହୋଇନଥିଲେ ବି ୨୦୦୫ରେ କେନ୍ଦ୍ର ସରକାର ଏହି ପ୍ରକଳ୍ପ ନିମନ୍ତେ ପରିବେଶ ମଞ୍ଜୁରି ଦେଇଥିଲେ। ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଅଞ୍ଚଳ ଅନୁସୂଚିତ ଶ୍ରେଣୀଭୁକ୍ତ ଅଞ୍ଚଳ ହୋଇଥିଲେ ବି ଜନଶୁଣାଣି ବିନା ୨୦୦୭ରେ କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରକଳ୍ପକୁ ଅନୁମତି ପ୍ରଦାନ ଦିଆଯାଇଥିଲା। ପରିବେଶ ମଞ୍ଜୁରି ଦେବା ପୂର୍ବରୁ ଜନଶୁଣାଣି କରାଯିବା ବାଧ୍ୟତାମୂଳକ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଦର୍ଶାଯାଇଛି। ତେବେ କେନ୍ଦ୍ର ସରକାର ଏହାକୁ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରିବା ପରେ ଆଇନଗତ ଦିଗକୁ ସୁଧାରିବା ପାଇଁ ଜନଶୁଣାଣି ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.