ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗ: ଗଡକରିଙ୍କୁ ସାକ୍ଷାତ କଲେ ଆନ୍ଧ୍ର ଜଳସଂପଦ ମନ୍ତ୍ରୀ

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ରାଜ୍ୟ ସରକାର ନିରବ

ନୂଆଦିଲ୍ଲୀ :    ବିବାଦୀୟ ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାପାଇଁ ନିକଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧକୁ ଆନ୍ଧ୍ର ପ୍ରଦେଶ ସରକାର ସିଧାସଳଖ ପ୍ରତ୍ୟାଖ୍ୟାନ କରି ଦେବାପରେ ଆଜି ଆନ୍ଧ୍ର ଜଳସମ୍ପଦ ମନ୍ତ୍ରୀ ଡି ଉମା ମହେଶ୍ୱର ରାଓ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ କେନ୍ଦ୍ର ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ମନ୍ତ୍ରୀ  ନୀତିନ ଗଡକରିଙ୍କ ସହ ଆଲୋଚନା କରିଛନ୍ତି। ପ୍ରତିନିଧି ମଣ୍ଡଳରେ ଆନ୍ଧ୍ରପ୍ରଦେଶର ଜଳ ସମ୍ପଦ ସଚିବ ଶଶିଭୂଷଣ କୁମାର, ମୁଖ୍ୟଯନ୍ତ୍ରୀ ଭେଙ୍କେଟଶ୍ୱର ରାଓଙ୍କ ସମେତ ପ୍ରକଳ୍ପ ସହ ସଂପୃକ୍ତ ଅନ୍ୟ ପ୍ରତିନିଧିମାନେ ସାମିଲ ଥିଲେ। ପ୍ରତିନିଧି ମଣ୍ଡଳ ଦ୍ୱାରା ପୋଲାଭରମ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅବଗତ କରାଯିବା ସହିତ ଯୁଦ୍ଧକାଳୀନ ଭିତ୍ତିରେ ଏହି ପ୍ରକଳ୍ପକୁ ଶେଷ କରିବାପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ାଯାଇଥିଲା।

ସୁତ୍ର ଅନୁସାରେ ଆଜିିର ଆଲୋଚନାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆର୍ଥିକ ସହାୟତା ଉପରେ  ଆଲୋଚନା କରାଯାଇଥିଲା। ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ଏହି ପ୍ରକଳ୍ପର ବଳକା କାର୍ଯ୍ୟ ଶେଷ କରିବାପାଇଁ ୫୪,୧୧୯ କୋଟି ଟଙ୍କାର ସଂଶୋଧିତ ବ୍ୟୟ ଅଟକଳ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା ଏବଂ ଏହାକୁ ଶୀଘ୍ର ମଂଜୁରୀ କରିବାପାଇଁ ଆନ୍ଧ୍ରପ୍ରଦେଶ ଜଳ ସମ୍ପଦ ମନ୍ତ୍ରୀ  ଗଡକରିଙ୍କୁ ଅନୁରୋଧ କରିଥିଲେ।  ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ଵିତ କରିବାପାଇଁ  ଯେଉଁ ସଂଶୋଧିତ ବ୍ୟୟ ଅଟକଳ ଦିଆଯାଇଛି ସେଥିରେ ପ୍ରକଳ୍ପ ପାଇଁ ବିସ୍ଥାପିତ ହେଉଥିବା ଆଦିବାସୀମାନଙ୍କ ଥଇଥାନ ଓ କ୍ଷତିପୂରଣ ଅର୍ଥ ସାମିଲ ଥିବା ପ୍ରତିନିଧି ମଣ୍ଡଳ ଦ୍ୱାରା କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଆଲୋଚନାରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକଳ୍ପରେ ହୋଇଥିବା ଅଗ୍ରଗତି ସମ୍ପର୍କିତ ତଥ୍ୟ ଉପସ୍ଥାପନା କରାଯିବା ସହିତ ୨୦୧୯ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ଵିତ କରାଯିବ ବୋଲି ଆନ୍ଧ୍ର ଜଳସମ୍ପଦ ମନ୍ତ୍ରୀ  ଗଡକରିଙ୍କୁ ଜଣାଇଥିଲେ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଜାତୀୟ ପ୍ରକଳ୍ପକୁ ତ୍ୱରାନ୍ଵିତ କରିବାପାଇଁ ସମସ୍ତ ପ୍ରକାର ଆର୍ଥିକ ସହାୟତା ପ୍ରଦାନ କରାଯିବା ସହିତ ପ୍ରକଳ୍ପର କାର୍ଯ୍ୟ ଯେଭଳି ବିଳମ୍ବ ନହେବ ସେନେଇ ଆବଶ୍ୟକ  ପଦକ୍ଷେପ ନିଆଯିବ ବୋଲି  ଡକରି ଆଶ୍ୱାସନା ଦେଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ପୋଲାଭରମ ପ୍ରକଳ୍ପକୁ ବିରୋଧ କରାଯାଇ ଓଡ଼ିଶା ପକ୍ଷରୁ ଦାଏର କରାଯାଇଥିବା ଏକାଧିକ ମାମଲା ସୁପ୍ରିମକୋର୍ଟ ଓ ଜାତୀୟ ଗ୍ରିନ ଟ୍ରିବ୍ୟୁନାଲରେ ବିଚାରାଧୀନ ଥିବାବେଳେ ଏହି ପ୍ରକଳ୍ପକୁ ଶେଷ କରିବାପାଇଁ କେନ୍ଦ୍ରର ତତ୍ପରତା ଓଡ଼ିଶାକୁ ନିରାଶ କରିଛି।

ସମ୍ବନ୍ଧିତ ଖବର