ପୋଲାଭରମ ପ୍ରକଳ୍ପ ମାମଲା: କେନ୍ଦ୍ର-ଆନ୍ଧ୍ରକୁ ନୋଟିସ, ୩ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କହିଲେ ସୁପ୍ରିମକୋର୍ଟ

୪ ସପ୍ତାହ ପରେ ମାମଲାର ହେବ ଶୁଣାଣୀ

ନୂଆଦିଲ୍ଲୀ: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାରେ ନିର୍ମାଣାଧିନ ପୋଲାଭରମ ପ୍ରକଳ୍ପ ନେଇ ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାର ଓ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ମିଳିନଥିବା ସତ୍ତ୍ୱେ ବି ଆନ୍ଧ୍ରପ୍ରଦେଶ ନିର୍ମାଣ କାର୍ଯ୍ୟ ଜାରି ରଖିଥିବାରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ ହେବା ପରେ ଏହି ନୋଟିସ ଜାରି ହୋଇଛି। ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ଓଡ଼ିଶା ସରକାର ବେଆଇନ ବୋଲି ଯୁକ୍ତି ବାଢ଼ିଛନ୍ତି। ପୂର୍ବରୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପୋଲାଭରମ ପ୍ରକଳ୍ପ ନିର୍ମାଣର କାର୍ଯ୍ୟବନ୍ଦ ପାଇଁ ନୋଟିସ ଜାରି କରିଥିଲେ ମଧ୍ୟ ପରବର୍ତ୍ତି ସମୟରେ ପୁଣି ଥରେ ଚାଲୁ କରିବାକୁ ଆଦେଶ ଦେଇଥିଲେ। ନୋଟିସରେ ସୁପ୍ରିମକୋର୍ଟ କହିଛନ୍ତି, ୩ ସପ୍ତାହ ମଧ୍ୟରେ ଉଭୟ କେନ୍ଦ୍ର ସରକାର ଓ ଆନ୍ଧ୍ରପ୍ରଦେଶ ସରକାର ଜବାବ ଦିଅନ୍ତୁ। ଜବାବ ମିଳିବା ପରେ ଏ ନେଇ ୪ ସପ୍ତାହ ପରେ ମାମଲାର ଶୁଣାଣୀ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ପୋଲାଭରମ ପ୍ରକଳ୍ପ ନେଇ ସୁପ୍ରିମକୋର୍ଟ ଆଜି ଅନ୍ୟ ଏକ ମାମଲାର ଶୁଣାଣୀ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଏହି ପ୍ରକଳ୍ପ ନେଇ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଓ ମହାରାଷ୍ଟ୍ରକୁ ପକ୍ଷଭୁକ୍ତ କରାଯାଇଥିଲା। ଏଥିରେ ସଂପୃକ୍ତ ରାଜ୍ୟମାନଙ୍କର ମତାମତ ଲୋଡା ଯାଇଥିଲା। ବର୍ତ୍ତମାନ ସଂପୃକ୍ତ ରାଜ୍ୟମାନେ ସେମାନଙ୍କ ମତାମତ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। କେନ୍ଦ୍ର ଓ ଆନ୍ଧ୍ରପ୍ରଦେଶ ନିକଟରୁ ଜବାବ ମିଳିବା ପରେ ୬ଟି ରାଜ୍ୟର ମତାମତ ସାର୍ବଜନିକ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର