ମୁକ୍ତିକାନ୍ତଙ୍କୁ ପୁଣି ଉଠାଇନେଲା ପୁଲିସ୍‌

ମୋଦୀ କେବେ ଶୁଣିବେ ମୋ ପୁଅର ‘ମନ୍‌ କି ବାତ୍‌’?

ରାଉରକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବ୍‌କା ସାଥ୍‌, ସବ୍‌କା ବିକାଶ’ର ନାରାରେ ବୋଧହୁଏ ରାଉରକେଲାର ନାମ ନାହିଁ । ନହେଲେ ୩ ବର୍ଷ ତଳେ ରାଉରକେଲାର ବିକାଶ ପାଇଁ ସେ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଆନ୍ତେ କେମିତି? ପୁଣି ତାଙ୍କ ପ୍ରତିଶ୍ରୁତିକୁ ମନେପକାଇବା ପାଇଁ ୧୫୫୦ କିଲୋମିଟର ପଦଯାତ୍ରାରେ ଯାଇଥିବା ମୋ ପୁଅ ମୁକ୍ତିକାନ୍ତର ଡାକ ସେ ନଶୁଣି ଚୁପ୍‌ ରହନ୍ତେ କେମିତି? ସବୁ ବେଳେ ‘ମନ୍‌ କି ବାତ୍‌’ ଶୁଣାଉଥିବା ପ୍ରଧାନମନ୍ତ୍ରୀ ମୋଦୀ ମୋ ପୁଅର ମନ୍‌ କି ବାତ୍‌ କେବେ ଶୁଣିବେ?-ଏଭଳି ଶବ୍ଦରେ କ୍ଷେଦୋକ୍ତି ପ୍ରକାଶ କରିଛନ୍ତି ମୁକ୍ତିକାନ୍ତଙ୍କ ମା’ ବାସନ୍ତୀ ବିଶ୍ୱାଳ। ମୁକ୍ତିକାନ୍ତଙ୍କ ସମର୍ଥନରେ ସ୍ଥାନୀୟ ସେକ୍ଟର-୨ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ଯୁବ ଜାଗୃତି ମଞ୍ଚର ଆବାହକ ଗୋପାଳ ଜେନା ଜାରି ରଖିଥିବା ଅନଶନସ୍ଥଳକୁ ଆଜି ସକାଳ ୧୧ଟାରେ ସ୍ୱାମୀ (ମୁକ୍ତିକାନ୍ତଙ୍କ ବାପା) ମହେନ୍ଦ୍ର ଓ ସାନ ପୁଅ ଶ୍ରୀକାନ୍ତଙ୍କ ସହ ପହଞ୍ଚିବା ପରେ ସେ ନିଜ ମର୍ମ ବେଦନା ପ୍ରକାଶ କରିଥିଲେ। ଅନଶନରତ ମୁକ୍ତିକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗୁଡୁଥିବାରୁ କିଛି ଘଟିଲେ ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ହିଁ ସିଧାସଳଖ ଦାୟୀ ରହିବେ ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ, ଦିଲ୍ଲୀ ଯନ୍ତରମନ୍ତରରେ ଦିନେ ଓ ରାମଲୀଲା ମୈଦାନରେ ଦୁଇ ଦିନ ଧରି ଆମରଣ ଅନଶନ ଜାରି ରଖିଥିବା ରାଉରକେଲା ଖରିଆବାହାଲ ବସ୍ତିର ମୃତ୍ତିକା ଶିଳ୍ପୀ ମୁକ୍ତିକାନ୍ତ ବିଶ୍ୱାଳ (୨୯)ଙ୍କୁ ଆଜି ରାତି ପ୍ରାୟ ୮ଟାରେ ଦିଲ୍ଲୀ ତିଲକନଗର ମାର୍ଗ ପୁଲିସ୍‌ ପୁଣି ଉଠାଇ ନେଇ ଜବାହରଲାଲ୍‌ ନେହରୁ ମାର୍ଗସ୍ଥିତ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରିଛି। ରାଉରକେଲାରୁ ଦିଲ୍ଲୀ ଦୀର୍ଘ ୧୫୫୦ କିଲୋମିଟର ପଦଯାତ୍ରା ଓ ଏହା ପରେ ୩ ଦିନ ଧରି ଅନଶନ ଜାରି ରଖିଥିବା ମୁକ୍ତିକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଗୁରୁତର ଅବନତି ଘଟିଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଦିଲ୍ଲୀ ପୁଲିସ୍‌ କହିଛି। ତେବେ ବିନାନୁମତିରେ ସେ ଅନଶନରେ ବସିଥିବାରୁ ତାଙ୍କୁ ଗିରଫ କରାଯିବ କି ନାହିଁ, ସେ ସମ୍ପର୍କରେ ପୁଲିସ୍‌ କିଛି ସ୍ପଷ୍ଟ କରିନାହିଁ। ମୁକ୍ତିକାନ୍ତ କହିଛନ୍ତି ଯେ, ଆଜି ପୂର୍ବାହ୍ନରୁ ସନ୍ଧ୍ୟା ମଧ୍ୟରେ ପୁଲିସ୍‌ ଅନଶନସ୍ଥଳୀକୁ ପ୍ରାୟ ୭ ଥର ଆସି ଫେରିଯାଇଥିଲେ। ରାତି ୮ଟାରେ ସଶସ୍ତ୍ର ବାହିନୀ ସହ ଆସ ପୁଲିସ୍‌ ତାଙ୍କୁ ଜୋର-ଜବରଦସ୍ତ ଉଠାଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତରମାନେ ତାଙ୍କୁ ଇଞ୍ଜେକସନ୍‌ ଦେବା ପରେ ସେ ପ୍ରାୟ ୧୦ ମିନିଟ୍‌ ଯାଏ ବେହୋସ୍‌ ହୋଇ ପଡ଼ିଥିଲେ। ଚେତା ଫେରିବା ପରେ ତାଙ୍କୁ ଆଉ ଗୋଟିଏ ଇଞ୍ଜେକସନ୍‌ ଦିଆଯାଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ମୁକ୍ତିକାନ୍ତ ଶଯ୍ୟାରୁ ଉଠିପାରୁ ନାହାନ୍ତି ବୋଲି ‘ସମ୍ବାଦ’କୁ କହିଛନ୍ତି।

ପ୍ରକାଶଥାଉକି, ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ୍‌ ହସ୍ପିଟାଲ (ଆଇଜିଏଚ୍‌)କୁ ସୁପର ସ୍ପେଶାଲିଟି ହସ୍ପିଟାଲ ଓ ମେଡ଼ିକାଲ୍‌ କଲେଜରେ ରୂପାନ୍ତର ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତିକୁ ତାଙ୍କୁ ସ୍ମରଣ କରାଇବା ଲକ୍ଷ୍ୟରେ ଗତ ଏପ୍ରିଲ୍‌ ୧୬ରେ ମୁକ୍ତିକାନ୍ତ ଏଠାରୁ ପଦଯାତ୍ରା ଆରମ୍ଭ କରିଥିଲେ। ଦୀର୍ଘ ୭୧ ଦିନ ଚାଲିବା ପରେ ସେ ଗତ ଜୁନ୍‌ ୨୭ ତାରିଖରେ ଦିଲ୍ଲୀରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର