ମାଲକାନଗିରି ପୁଲିସ ଦ୍ୱାରା ୩ ନକ୍ସଲ ଗିରଫ

ମାଲକାନଗିରି : ମାଲକାନଗିରି ପୋଲିସକୁ ମିଳିଛି ବଡ ସଫଳତା। ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ପାହାଡରେ ଏସପି ଜଗମୋହନ ମୀନାଙ୍କ ନେତୃତ୍ୱରେ ଡିଭିଏଫ ଓ ଏସଓଜି ଯବାନ କମ୍ବିଂ ବେଳେ ୩ଜଣ ମହିଳା କ୍ୟାଡର ନକ୍ସଲଙ୍କୁ ଗିରଫ କରାଯାଇଛି। ଗିରଫ ୩ଜଣ ହେଲେ ଜାମଲି କୁରାମୀ, ଯୋଗୀ କାବାସି ଏବଂ ଇଡମେ ମାଣ୍ଡବି।

ପୁଲିସ ତରଫରୁ କୁହାଯାଇଛି ଯେ ଗିରଫ ଇଡମେ ମାଣ୍ଡବୀ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ଗୋବିନ୍ଦପାଲ ଗ୍ରାମ ବାସିନ୍ଦା। ଗତ ବର୍ଷ ଫେବ୍ରୁଆରି ୨ ତାରିଖ ଦିନ ମାଥିଲି ବ୍ଲକର ବାରା ଗ୍ରାମର ଦସୁରୁ ଦୁରୁଆକୁ ହତ୍ୟା କରିବା,ଗତ ଡିସେମ୍ବର ମାସ ୧୯ ତାରିଖ ଦିନ ଜଗରମୁଣ୍ଡା ଗ୍ରାମର ମୁୟା କାବାସିକୁ ହତ୍ୟା କରିବା,କାଦଭଟ୍ଟା ଗ୍ରାମରେ ଲୋକଙ୍କୁ ପ୍ରଜାକୋର୍ଟରେ ମାଡ ମାରିବା, ଲୁଲେର ଗ୍ରାମରେ ଯାନବାହାନରେ ନିଆଁ ଲଗାଇବା,ଦଲଦଲିରେ ପୁଲିସ ଉପରେ ଗୁଳି ଚଳାଇବା,ଗୋଲିଆଗୁଡା ଗ୍ରାମରେ ହୋଇଥିବା ପ୍ରଜାକୋର୍ଟରେ ଗ୍ରାମବାସୀଙ୍କୁ ନିର୍ଯାତନା ଦେବା, ଟେମରୁପାଲ୍ଲୀରେ ଜେସିବି ଏବଂ ରୋଲରରେ ନିଆଁ ଲଗାଇବା ଭଳି ଘଟଣାରେ ସାମିଲ ଥିବା ପୁଲିସ କହିଛି। ସେହିପରି ଯୋଗୀ କାବାସି ଦନ୍ତେୱାଡା ଜିଲ୍ଲାର ନିଲାବାଇ ଗ୍ରାମର ବାସିନ୍ଦା। ସେ ମଧ୍ୟ ଉପରକ୍ତ ସମସ୍ତ ଘଟଣାରେ ସାମିଲ ଥିବା ପୋଲିସ କହିଛି। ଜାମଲି କୁରାମୀ ଜଗଦଲପୁର ଜିଲ୍ଲାର ବଦରିମୁମ ଗ୍ରାମର ବାସିନ୍ଦା। ସେ ମଧ୍ୟ ଏହି ସବୁ ହିଂସାରେ ସାମିଲ ଥିବା ଜଣାପଡିଛି। ଯୋଗୀ ନାମରେ ସରକାର ୪ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣ ନାମରେ ସରକାର ୧ ଲକ୍ଷ ଟଂକା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ। ଗୁଇନ୍ଦା ସୂଚନା ଆଧାରେ ପୁଲିସ ମାଥିଲିର ତୁଳସୀ ପାହାଡରେ ଚଢାଉ କରି ଏହି ୩ଜଣଙ୍କୁ ଧରିଥିବା ପ୍ରକାଶ।

ସମ୍ବନ୍ଧିତ ଖବର