ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ରାତିରୁ ଜିଲ୍ଲାବ୍ୟାପୀ ତାଲା ବନ୍ଦ କରାଯାଇଛି। ବୁଧବାର କିଛି ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତାଲା ବନ୍ଦକୁ କଡ଼ାକଡ଼ି ପାଳନ ପାଇଁ ଭବାନୀପାଟଣା ସହରର କଲେଜ ଛକ, ମାଣିକେଶ୍ୱରୀ ହାଇସ୍କୁଲ ଛକ, ଘୋଡ଼ଘାଟ ଛକ ସମେତ ସହରର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଯାଞ୍ଚ କରାଯାଇଥିଲା। କିଛି ଆଇନ୍‌ ଉଲଙ୍ଘନକାରୀଙ୍କୁ ପୁଲିସ ଦଣ୍ଡ ଦେଇଥିଲା।

Advertisment

ବନ୍ଦ କଡ଼ାକଡ଼ି ପାଳନ କରିବାକୁ ଭବାନୀପାଟଣା, ଧର୍ମଗଡ଼ରେ ଗୋଟିଏ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ ହୋଇଛନ୍ତି। ପୁଲିସ ପକ୍ଷରୁ ୪୦ଟି ଗାଡ଼ିରେ ସଚେତନ କରିବା ସହିତ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ସହରର କିରାନା ଦୋକାନ, ପନିପରିବା ଦୋକାନରେ ଲୋକଙ୍କ ପ୍ରବଳ ଭିଡ଼ ହୋଇଥିଲା। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ସହିତ ଜିଲ୍ଲାପାଳଙ୍କ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ହୋଇଥିଲା। ଏଥିରେ ସମସ୍ତ ଆବାସିକ ହଷ୍ଟେଲଗୁଡ଼ିକୁ ବନ୍ଦ କରି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘରକୁ ପଠାଇବା, ପିଡିଏସ୍‌ ଚାଉଳ ହିତାଧିକାରୀଙ୍କ ଘରେ ପହଞ୍ଚାଇବା, ରାଜ୍ୟ ବାହାରୁ ଫେରିଥିବା ଦାଦନ ଶ୍ରମିକଙ୍କ ମନିଟରିଂ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ହୋଇଥିଲା। ମଙ୍ଗଳବାର ଜିଲ୍ଲାପାଳ ଡା. ଗଭାଲି ପରାଗ ହର୍ଷଦ, ଭବାନୀପାଟଣା ଉପଜିଲ୍ଲାପାଳ ସୁଶାନ୍ତ ସିଂ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଭବାନୀପାଟଣାର ବିଭିନ୍ନ ମହାବିଦ୍ୟାଳୟର ହଷ୍ଟେଲ୍‌ ପରିଦର୍ଶନ କରିଥିଲେ। ଯଦି ଆବଶ୍ୟକ ପଡ଼େ ସେଠାରେ ଆସ୍ଥାୟୀ କରୋନା ଡାକ୍ତରଖାନା ସ୍ଥାପନ କରାଯିବ ବୋଲି ସୂଚନା ଦେଇଥିଲେ। ଏଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଥିଲେ। କରୋନା ପୋଟାଲ୍‌ରେ ଜିଲ୍ଲାରେ ଏପର୍ଯ୍ୟନ୍ତ ୯ ଜଣ ପଞ୍ଜୀକରଣ କରିଛନ୍ତି। ଜିଲ୍ଲାରେ ୪୬ଟି ସ୍କ୍ରିନିଂ ଟିମ୍‌ ୨୨୯ ଗାଁରେ ୬୧୫ ଜଣଙ୍କ ସ୍କ୍ରିନିଂ କରିଛନ୍ତି। ସେହିଭଳି ୩ ହଜାର ୬୪୦ଟି ପରିବାରକୁ କରୋନା ଭୂତାଣୁ ଉପରେ ସଚେତନ କରାଯାଇଛି।

କାଠ ଫାଳିଆରେ ଗୋଡ଼େଇ ଗୋଡ଼େଇ ପିଟିଲା ପୁଲିସ
ପୁରୀ : କରୋନା ଭୂତାଣୁ ଏବେ ବେକାବୁ ପରିସ୍ଥିତି ସୃଷ୍ଟି କରିଛି। ସାରା ବିଶ୍ବ ଏହାକୁ ନେଇ ଚିନ୍ତିତ ଥିବାବେଳେ ଏଭଳି ଭୟାବହ ରୋଗକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ତେବେ ପୁରୀ ସହରରେ କଟକଣାକୁ ଅଦନକ ସ୍ଥାନରେ ଖୋଲା ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳିଛି। ଲୋକଙ୍କୁ ବୁଝାଇ ବୁଝାଇ ନିରାଶ ହେବା ପରେ ଏବେ ପୁଲିସ ଅମାନିଆ ଲୋକଙ୍କୁ ପିଟିବା ଆରମ୍ଭ କରିଛି। ଆଜି ସକାଳୁ ପୁଲିସର ଏହି ଅଭିଯାନ ଆରମ୍ଭ ହୋଇଥିଲା। ପୂର୍ବଭଳି ସହରର ପ୍ରବେଶ ପଥରେ ନାକାବନ୍ଦୀ କରାଯାଇଥିଲା। ବ୍ୟାରିକେଡ୍ ପକାଇ ଚାରିଆଡ଼ୁ ବ୍ଲକିଂ କରାଯାଇଥିଲା। ତଥାପି ସାହି ଗଳିକନ୍ଦିର ଲୋକେ ଆସି ବଡ଼ଦାଣ୍ତ ସହ ଅନ୍ୟ ମୁଖ୍ୟରାସ୍ତାରେ ଚାଲିଚାଲି ଅବା ଗାଡ଼ି ଧରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ପୁଲିସ ଏମାନଙ୍କୁ ତଡ଼ିବା ଆରମ୍ଭ କରିଥିଲା। ବାଡ଼ିରେ ଯାହାକୁ ପାଇଲା ପିଟିବା ଆରମ୍ଭ କରିଥିଲା। ଭୟରେ ବହୁ ଲୋକ ଏଣେତେଣେ ଦୌଡ଼ିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ କିଛି ପୁଲିସ ଲାଠି ବଦଳରେ କାଠ ଫାଳିଆ ଧରି ଲୋକଙ୍କୁ ପିଟୁଥିବା ଦେଖିବାକୁ ମିଳିଥିଲା। ଆଜି ମାର୍କେଟ୍‌ ଛକ, ମରିଚିକୋଟ ଛକରେ କିଛି ପୁଲିସ କାଠ ଫାଳିଆ ଧରି ଲୋକଙ୍କୁ ପିଟୁଥିଲେ। ଏହାକୁ ସାଧାରଣରେ ନାପସନ୍ଦ କରାଯାଇଛି। କରୋନା କଟକଣା ପାଇଁ ପୁରୀ ପୁଲିସ ସହରକୁ ତିନୋଟି ଜୋନ୍‌ରେ ବିଭକ୍ତ କରି ସ୍ଥିତି ନିୟନ୍ତ୍ରଣ କରୁଛି। ସହରକୁ ୬ଟି ସେକ୍ଟରରେ ବିଭକ୍ତ କରାଯାଇଛି। ପ୍ରତି ଜୋନ୍‌ରେ ଦୁଇଟି ସେକ୍ଟର ରହିଛି। ପ୍ରତି ସେକ୍ଟର ଦାୟିତ୍ବରେ ଜଣେ ଲେଖାଁ ଇନ୍ସପେକ୍ଟର ଓ ପ୍ରତି ଜୋନ୍‌ରେ ଜଣେ ଲେଖାଁ ଡିଏସପି ନେତୃତ୍ବ ନେଉଛନ୍ତି। ସେହିଭଳି ପ୍ରଶାସନ ପକ୍ଷରୁ ତିନୋଟି ଏନ୍ସଫୋର୍ସମେଣ୍ଟ ସ୍କ୍ବାଡ୍ ଗଠନ କରାଯାଇଛି। କେବଳ ପୁରୀ ସହର ନୁହେଁ, ଚନ୍ଦନପୁରରେ ବି କଟକଣାକୁ କଡ଼ାକଡ଼ି କରାଯାଇଛି। ଗତକାଲି ଅମାନିଆ ଦୋକାନୀ, ଚାଳକ ଓ ବ୍ୟବସାୟୀଙ୍କୁ ପୁଲିସ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଥିଲା। ଚନ୍ଦନପୁର ଥାନା ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ପାଇଁ ପୁଲିସକୁ ଏହି ପଦକ୍ଷେପ ନେବାକୁ ପଡ଼ିଛି। ଫଳରେ ଆଜିଠାରୁ ସମସ୍ତ ଦୋକାନ ବଜାର ଚନ୍ଦନପୁର ବଜାରରେ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଏ ଭିତରେ ବି କିଛି ଦୋକାନ ଲୁଚାଛପାରେ ଖୋଲି ବେପାର କରୁଥିବା ଦେଖିବାକୁ ମିଳିଛି।